ଆଜି ନୂଆଁଖାଇ ; ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ, ଅନ୍ନ ଏଠି ବ୍ରହ୍ମ

0

ସମ୍ବଲପୁର: ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା। ସମ୍ବଲପୁରରେ ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ। ଧାର୍ଯ୍ୟ ଶୁଭଲଗ୍ନ ଅନୁସାରେ ଲାଗି ହେଲା ନବାନ୍ନ। ଆଧୁନିକତାର ଦ୍ରୁତ ପ୍ରବାହ ଓ ଡିଜିଟାଲ୍ ବିପ୍ଳବ ଭିତରେ ଅନେକ ପାରମ୍ପରିକ ପର୍ବପର୍ବାଣି ଆଜି କ୍ୟାଲେଣ୍ଡର୍‌ର ତାରିଖରେ ସୀମିତ ରହିଯାଉଥିବା ବେଳେ ‘ନୂଆଁଖାଇ’ ଆଜି ନିଜ ମାଟି, ଭାଷା ଓ ପରିଚୟ ସହ ଯୋଡ଼ି ହୋଇ ରହିବାର ସଶକ୍ତ ମାଧ୍ୟମ ପାଲଟିଛି। କୃଷି ପାଇଁ କୃତଜ୍ଞତା, ଅନ୍ନକୁ ‘ବ୍ରହ୍ମ’ର ସମ୍ମାନ ହିଁ ‘ନୂଆଁଖାଇ’ର ବାର୍ତ୍ତା। କର୍ପୋରେଟ୍ ଚାପ, ବିଦେଶରେ ବସବାସ କିମ୍ବା ମେଟ୍ରୋ ସହରର ବ୍ୟସ୍ତବହୁଳ ଜୀବନଶୈଳୀ ସତ୍ତ୍ୱେ ଆଜି ମଧ୍ୟ ନୂଆଁଖାଇ ଆପଣା ପଣକୁ ପ୍ରମାଣିତ କରିଛି।

ବେଙ୍ଗାଲୁରୁ, ହାଇଦରାବାଦ, ଦିଲ୍ଲୀ କିମ୍ବା ମୁମ୍ବାଇର ଆଇଟି ଅଫିସରେ କାମ କରୁଥିବା ଯୁବକ ହୁଅନ୍ତୁ କି ସୁରଟର କଳ କାରଖାନାରେ ଖଟୁଥିବା ଶ୍ରମିକ, ସମସ୍ତେ ଆଜି ଭିଟାମାଟି ମୁହଁା। ଭାଦ୍ରବ ମାସ ଆସିଲେ ଅଫୁରନ୍ତି ଉତ୍ସାହ ଦେଖିବାକୁ ମିଳେ। ରେଳ, ବସ୍‌, ବିମାନ ଟିକଟ ଯେତେ କଷ୍ଟରେ ମିଳିଲେ ମଧ୍ୟ ନୂଆଁଖାଇ ଲଗ୍ନ ବାହାରିବା ପରେ ଉତ୍ସାହ ବହୁଗୁଣିତ ହୋଇଯାଏ। ଗଁା ମାଟି ଚଟାଣରେ ହେଉ ଅବା ରାଜ ପରିବାରର ଚାକଚକ୍ୟ ପରିବେଶରେ ନବାନ୍ନ ଭକ୍ଷଣର ଅନୁଭୂତିକୁ କେହି ହାତଛଡ଼ା କରନ୍ତି ନାହିଁ। ସପ୍ତାହନ୍ତ ଛୁଟିରେ ପର୍ଯ୍ୟଟନସ୍ଥଳ ନୁହେଁ ନିଜ କୁଟୁମ୍ବ ସହ ଏକାଠି ବସି ନୂଆ ଖାଇବାକୁ ଏମାନେ ଧାଇଁ ଆସନ୍ତି ଭିଟାମାଟିକୁ।

ଡିଜିଟାଲ୍ ଯୁଗରେ ମଧ୍ୟ ନୂଆଁଖାଇ ଜୁହାର ପରମ୍ପରା ନିଆରା। ସାମାଜିକ ଗଣମାଧ୍ୟମରେ ଆଜି ‘ନୂଆଁଖାଇ ଜୁହାର୍’ ଏକ ଷ୍ଟାଟସ୍ କିମ୍ବା ରିଲ୍‌ରେ ସୀମିତ ନୁହେଁ। ଏହା ଯୁବପିଢ଼ିଙ୍କ ସ୍ୱାଭିମାନର ପ୍ରତୀକ। ବଡ଼ଙ୍କୁ ପ୍ରଣାମ କରିବା ଏବଂ ସମବୟସ୍କଙ୍କ ସହ ‘କୋଳାକୋଳି’ ହେବାର ନିଆରା ପରମ୍ପରା ଅନ୍ୟ କେଉଁଠି ଦେଖିବାକୁ ମିଳେନି। ଅହଂକାର ଭୁଲି କ୍ଷମା କରିବା ଓ ଆଲିଙ୍ଗନ କରିବାର ମହାନ ବାର୍ତ୍ତା ଯୁବସମାଜକୁ ପାରିବାରିକ ମୂଲ୍ୟବୋଧ ସହ ବାନ୍ଧି ରଖିଛି। ନୂଆଁଖାଇରେ ସମ୍ବଲପୁରୀ ପୋଷାକକୁ ଗର୍ବର ସହ ପରିଧାନ କରି ହାତବୁଣା ଯେ ଅନ୍ତର୍ଜାତିକ ଫ୍ୟାସନ ହୋଇପାରେ, ତାହା ଆଜିର ଯୁବପିଢ଼ି ପ୍ରମାଣିତ କରିଛନ୍ତି। ଏହା ସ୍ଥାନୀୟ ବୁଣାକାରଙ୍କ ଆର୍ଥିକ ବିକାଶରେ ବିରାଟ ଭୂମିକା ଗ୍ରହଣ କରିପାରିଛି।

ନୂଆଁଖାଇ ଆଜି କେବଳ ପଶ୍ଚିମ ଓଡ଼ିଶାର ୧୦ଟି ଜିଲାରେ ସୀମିତ ନୁହେଁ, ବେଙ୍ଗାଲୁରୁ, ଚେନ୍ନାଇ, ପୁଣେ, ଦୁବାଇ, ଆମେରିକା, ଲଣ୍ଡନ ଓ ଅଷ୍ଟ୍ରେଲିଆରେ ରହୁଥିବା ପ୍ରବାସୀ ଓଡ଼ିଆ ବିଦେଶ ମାଟିରେ ବୃହତ୍ ଆକାରରେ ‘ନୂଆଁଖାଇ ଭେଟ୍‌ଘାଟ୍’ ଆୟୋଜନ କରି ନୂଆଁଖାଇ ବିଶ୍ବର କୋଣ ଅନୁକୋଣରେ ପହଞ୍ଚିପାରିଛି। ପଶ୍ଚିମ ଓଡ଼ିଶାର ଢୋଲ, ନିଶାନ, ମହୁରୀର ସ୍ବର ଆଜି ବିଶ୍ବର ବିଭିନ୍ନ ପ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରିଥିବା ବେଳେ ସମ୍ବଲପୁରୀ ନୃତ୍ୟ ଓ ଗୀତକୁ ଆଧୁନିକ ଫ୍ୟୁଜନ୍ ସଙ୍ଗୀତ ସହ ମିଶାଇ ନୂଆ ପିଢ଼ିର କଳାକାର ଏହାକୁ ବିଶ୍ୱ ଦରବାରରେ ସ୍ବତନ୍ତ୍ର ସ୍ଥାନ ଦେଇପାରିଛନ୍ତି। ଖାଦ୍ୟ ଓ ଚାଷୀ ମଧ୍ୟରେ ଥିବା ନିବିଡ଼ିତା ଧୀରେଧୀରେ ଅସ୍ପଷ୍ଟ ହୋଇ ଆସୁଥିବା ବେଳେ ନୂଆଁଖାଇ ପ୍ରତ୍ୟେକ ଭାତ ଗୁଣ୍ଡା ପଛରେ କୃଷକର ଅକ୍ଲାନ୍ତ ପରିଶ୍ରମ ଓ ମାଟିର ଅବଦାନକୁ ଆଜି ମଧ୍ୟ ଜୀବନ୍ତ ରଖିପାରିଛି। ଯୁବପିଢ଼ି ପାଇଁ ନୂଆଁଖାଇ ଅତୀତର ନିୟମ ନୁହେଁ, ଏହା ମାଟିର ସ୍ନେହ ଓ ଆତ୍ମୀୟତାର ବନ୍ଧନ ଏହା ପ୍ରମାଣିତ ହୋଇଛି।

Leave A Reply

Your email address will not be published.