ଶୁଭ ମହାଳୟା

ଅର୍ଜୁନୀ ଚରଣ ବେହେରା

ଆଶ୍ୱିନମାସ କୃଷ୍ଣପକ୍ଷ ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ସମୟକୁ ପିତୃପକ୍ଷ କୁହାଯାଏ l ପିତୃପକ୍ଷ ର ଅନ୍ତିମ ଦିନ, ଅର୍ଥାତ ଅମାବାସ୍ୟାକୁ ମହାଳୟା କୁହାଯାଏ l ଏହାକୁ ପିତୃ ଅମାବାସ୍ୟା ତଥା ଦେବ ଅମାବାସ୍ୟା ନାମରେ ମଧ୍ୟ ଅଭିହିତ କରା ଯାଏ l ଆମ ହିନ୍ଦୁ ଧର୍ମ ଓ ସଂସ୍କୃତିରେ ଏହି ଦିନଟି ଅତି ତାତ୍ପର୍ଯ୍ୟପୂର୍ଣ୍ଣ l ପିତୃ ପକ୍ଷରେ ପିଣ୍ଡଦାନ ଓ ତର୍ପଣ ଦ୍ୱାରା ପୁତ୍ରଗଣ ପୂର୍ବସୁରୀଙ୍କୁ ପୁତ ନାମକ ନର୍କରୁ ଉଦ୍ଧାର କରନ୍ତି ବୋଲି ବିଶ୍ୱାସ ରହିଛି l ଏହି ପିଣ୍ଡ ଦାନ ଓ ତର୍ପଣକୁ ଶ୍ରାଦ୍ଧ କୁହାଯାଏ l ଶ୍ରଦ୍ଧା ପୂର୍ବକ ପୁର୍ବଜଙ୍କୁ ସ୍ମରଣ କରି ପିଣ୍ଡ ଦାନ କରାଯାଉ ଥିବା ଯୋଗୁଁ ଏହାକୁ ଶ୍ରାଦ୍ଧ କୁହାଯାଏ l ଶ୍ରଦ୍ଧାୟା ଦଦାତି ଇତି ଶ୍ରାଦ୍ଧମ୍ l ଆମର ଶାସ୍ତ୍ର ତଥା ବିଭିନ୍ନ ସ୍ମୃତିରେ 96 ପ୍ରକାର ଶ୍ରାଦ୍ଧର ବ୍ୟବସ୍ଥା ରହିଛି ଅମାବାସ୍ୟା -16, ଯୁଗ – 4, ମନୁ – 14, ସଂକ୍ରାନ୍ତି – 12, ଯୋଗ -13, ଅଷ୍ଟକ-4, ମହାଳୟା -16 ଏବଂ ଅନ୍ୟାନ୍ୟ -17 l କିନ୍ତୁ କାଳ ଗର୍ଭରେ ଏ ବ୍ୟବସ୍ଥା ଗୁଡିକ କ୍ରମେ ଲୋପ ପାଇଛି ଏବଂ ମହାଳୟାକୁ ହିଁ ମୁଖ୍ୟ ସ୍ଥାନ ଦିଆଯାଇଛି l ମହାଳୟା ଶ୍ରାଦ୍ଧକୁ ଗ୍ରାମାଞ୍ଚଳରେ ମହଳା ଶ୍ରାଦ୍ଧ ବୋଲି କହିଥାନ୍ତି l ବିବାହ,ବ୍ରତ,ଗୃହ ପ୍ରତିଷ୍ଠା ଇତ୍ୟାଦି ଶୁଭକର୍ମ ମାନଙ୍କରେ ପିତୃଗଣଙ୍କୁ ସନ୍ତୁଷ୍ଟ କରିବା ତଥା ସେମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରି ନନ୍ଦୀ ମୁଖୀ ଶ୍ରାଦ୍ଧ ଦେବାର ବ୍ୟବସ୍ଥା ରହିଛି l ଏହା ଛଡା ବ୍ୟକ୍ତିର ମୃତ୍ୟୁ ବାର୍ଷିକିରେ ସ୍ୱତନ୍ତ୍ର ଶ୍ରାଦ୍ଧ ଓ ପିଣ୍ଡ ଦାନ ପରମ୍ପରା ରହିଛି l ପ୍ରତି ଓଡ଼ିଆ ଘରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧlନ୍ନ ସମର୍ପଣ ପାଇଁ ଘରର ଈଶାନ କୋଣରେ ଦେଇ ପିଣ୍ଡି ଥାଏ l
ଶ୍ରାଦ୍ଧର ମହତ୍ୱ ପ୍ରତିପାଦନ କରି ଆମ ପୁରାଣ ଶାସ୍ତ୍ର ମାନଙ୍କରେ ବହୁ ଉପାଖ୍ୟାନ ମାନ ରହିଛି l ତା’ ଭିତରୁ ମହାଗ୍ରନ୍ଥ ମହାଭାରତର ନିମ୍ନ ଦୁଇଟି ଉପାଖ୍ୟାନ ଉଲ୍ଲେଖ ଯୋଗ୍ୟ l
1. ମହାବୀର କର୍ଣ୍ଣ ମୃତ୍ୟୁ ପରେ ସ୍ଵର୍ଗରେ ପହଞ୍ଚି
କ୍ଷୁଧାରେ ଆତୁର ହେଉ ଥାଆନ୍ତି l ଏହି ସମୟରେ ତାଙ୍କୁ ଇନ୍ଦ୍ର ସ୍ବର୍ଣ୍ଣ ଓ ଅନ୍ୟାନ୍ୟ ରତ୍ନ ମାନ ଭୋଜନ କରିବାକୁ ଦେଲେ l ଏଥିରେ କର୍ଣ୍ଣ ପ୍ରଶ୍ନ କରିବାରୁ ଇନ୍ଦ୍ର କହିଲେ ତୁମେ ତୁମ ଜୀବନକାଳରେ ସୁବର୍ଣ୍ଣ ଦାନ କେବଳ ମାତ୍ର କରିଛ କାହାରିକୁ ଅନ୍ନ ଦାନ କରି ନାହଁ l ଏହା ଶୁଣି କର୍ଣ୍ଣ ଇଚ୍ଛା ପ୍ରକାଶ କଲେ ମର୍ତ୍ତ୍ୟକୁ ଯାଇ ପିଣ୍ଡଦାନ କରି ଏହି କାର୍ଯ୍ୟଟି ପୂର୍ଣ୍ଣ କରିବା ପାଇଁ l ପ୍ରତିବର୍ଷ କର୍ଣ୍ଣ ଏହି ପିତୃପକ୍ଷରେ ପୃଥିବୀରେ ପିଣ୍ଡଦାନ ନିମନ୍ତେ ଅବସ୍ଥାନ କରନ୍ତି ବୋଲି ବିଶ୍ୱାସ କରାଯାଏ l
2.ଦ୍ୱିତୀୟ ଆଖ୍ୟାନ ମହର୍ଷି ଜରକ୍ତlରୁଙ୍କ ଚରିତ l ଜରକ୍ତlରୁ ନାଗରାଜ ବାସୁକୀଙ୍କ ଭଉଣୀ ମନଶା ଦେବୀଙ୍କୁ ବିବାହ କରିଥିଲେ l ଋଷି ଜରକ୍ତlରୁ ଓ ମନଶାଙ୍କ ଔରସରୁ ଆସ୍ତିକ ଜନ୍ମ ହୋଇ ଥିଲେ l ବହୁ ପୂର୍ବରୁ ନାଗ ମାତା କଦ୍ରୁ ତାଙ୍କର ସପତଣୀ ବିନତାଙ୍କ ସହିତ କଳହ ସମୟରେ ନାଗକୂଳକୁ ଅଭିଶାପ ଦେଇଥିଲେ ଅଗ୍ନିରେ ଭସ୍ମ ହୋଇଯିବେ ବୋଲି l ସେହିସମୟ ଆସି ଉପସ୍ଥିତ ହୋଇଥିଲା ମହାରାଜ ପରୀକ୍ଷିତଙ୍କ ସର୍ପ ଦଂଶନରେ ମୃତ୍ୟୁର ପ୍ରତିଶୋଧ ନେବାପାଇଁ ଯେତେବେଳେ ତାଙ୍କ ପୁତ୍ର ଜନ୍ମେଜୟ ଉତ୍ତଙ୍କ ଋଷିଙ୍କ ପରାମର୍ଶରେ ସର୍ପଯଜ୍ଞ କଲେ l ସେତେବେଳେ ଆସ୍ତିକ ବ୍ରହ୍ମାଙ୍କଠାରୁ ବର ପାଇ ସର୍ପ କୂଳକୁ ରକ୍ଷା କରିଥିଲେ l ଆସ୍ତିକ ସର୍ପ ମାନଙ୍କୁ ରକ୍ଷା କରି ଥିବାରୁ ସର୍ପ କୁଳ ଆସ୍ତିକଙ୍କୁ ପ୍ରାର୍ଥନା କରିଥିଲେ ଆମେମାନେ ଆପଣଙ୍କର କି ଉପକାର କରିପାରିବୁ l ଆସ୍ତିକ କହିଥିଲେ, ଆଜି ଠାରୁ ମୋର ନାମ ଯିଏ ଉଚ୍ଚାରଣ କରିବ ତାକୁ ତୁମ୍ଭେମାନେ ଦଂଶନ କରିବ ନାହିଁ l ଏଣୁ ଆସ୍ତିକ ନାମ ଉଚ୍ଚାରଣ କଲେ ସର୍ପଦଂଶନର ଭୟ ରହେ ନାହିଁ ବୋଲି ବିଶ୍ୱାସ ରହିଛି l ଜରକ୍ତlରୁ ଚରିତ ମହାଭାରତ ସହିତ ଦେବୀ ଭାଗବତ ଏବଂ ବ୍ରହ୍ମ ବୈବର୍ତ୍ତ ପୁରାଣରେ ମଧ୍ୟ ଅଛି l ଜରକ୍ତlରୁ ଥିଲେ ଜଣେ ବିଶାଳ ବପୁଧାରୀ ପୁରୁଷ l ତାଙ୍କର ଏହି ବିଶାଳ ଶରୀରକୁ ସେ ତପସ୍ୟା ବଳରେ କ୍ଷୀଣ କରି ଦେଇଥିଲେ l ଜରା ଅର୍ଥାତ ଜଳାଇଦେବା, କାରୁ ଅର୍ଥାତ ବିଶାଳ ଶରୀର ଯୋଗୁଁ ତାଙ୍କ ନାମ ହୋଇଥିଲା ଜରକ୍ତlରୁ l ତାଙ୍କର ପିତା ମାତା ଓ ବଂଶ ବିଷୟରେ ପୁରାଣ ମାନଙ୍କରେ ସବିଶେଷ ସୂଚନା ନାହିଁ l କେବଳ ଏତିକି ଅଛି,ସେ ଗୋଟିଏ ଯାଯାବର ବ୍ରାହ୍ମଣ ଗୋଷ୍ଠୀର ଜଣେ ଋଷି ଥିଲେ l ସେ ବାଲ୍ୟକାଳରୁ ଈଶ୍ଵର ଅନୁରାଗୀ ଥିଲେ ଏବଂ ପରେ ଗୃହତ୍ୟାଗୀ ସନ୍ୟାସୀ ହୋଇ ତପଶ୍ଚର୍ଯ୍ୟା କରି ସିଦ୍ଧି ପ୍ରାପ୍ତ ହୋଇଥିଲେ l ଏକଦା ଜରତ୍କାରୁ ଭ୍ରମଣ କରୁ କରୁ ପୁତନର୍କ ପାଖରେ ପହଞ୍ଚିଲେ l ସେଠାରେ ସେ ଦେଖିବାକୁ ପାଇଲେ କେତେଜଣ ମହାତ୍ମା ପୁତ ନର୍କକୁ ତଳକୁ ମୁହଁ କରି ଦଉଡିରୁ ଝୁଲୁଛନ୍ତି ଏବଂ ମୂଷା ମାନେ ଦଉଡ଼ିକୁ କାଟୁଛନ୍ତି l ସେମାନେ ଯନ୍ତ୍ରଣାରେ ଚିତ୍କାର କରୁଥିଲେ l ତାଙ୍କୁ ଜରକ୍ତlରୁ ପ୍ରଶ୍ନକଲେ ହେ ମହାତ୍ମା ! ଆପଣଙ୍କର ଏ ଦଶା କାହିଁକି ହୋଇଛି ? ସେମାନେ କହିଲେ, ଆମ୍ଭେ ମାନେ ଅପୁତ୍ରିକ ହୋଇ ଥିବାରୁ ଏ ଦଶା ଭୋଗ କରୁଛୁ l ଆମ ବଂଶରେ କେହି ଥିଲେ ସେ ଆମକୁ ଶ୍ରାଦ୍ଧ ଓ ପିଣ୍ଡଦାନ କରି ଉଦ୍ଧାର କରନ୍ତା l ଆମ ବଂଶରେ ଜରକ୍ତlରୁ ନାମରେ ଜଣେ ପୁତ୍ର ଥିଲେ,କିନ୍ତୁ ସେ ସଂସାରତ୍ୟାଗୀ ହୋଇ ସନ୍ୟାସୀ ହୋଇଗଲେ lଏକଥା ଶୁଣି ସେ କହିଲେ ମୁଁ ସେହି ଅଧମ ପୁତ୍ର l ସେହି ମହାତ୍ମାମାନଙ୍କ ପରାମର୍ଶରେ ଜରକ୍ତlରୁ ଆସି ମନଶା ଦେବୀଙ୍କୁ ବିବାହ କରି ଥିଲେ l ତାଙ୍କ ଔରସରୁ ଆସ୍ତିକ ଜନ୍ମ ଗ୍ରହଣ କରି ପିତୃକୂଳକୁ ଶ୍ରାଦ୍ଧଦେଇ ନର୍କରୁ ଉଦ୍ଧାର କରିଥିଲେ ଓ ମାତୃ ନାଗକୁଳ ନାଗମାନଙ୍କୁ ସର୍ପ ଯଜ୍ଞରୁ ରକ୍ଷା କରିଥିଲେ l
ମହାଳୟା ଅବସରରେ ଗୟାରେ ପିଣ୍ଡ ଦାନ ବହୁ ପୁଣ୍ୟଦାୟୀ ଅଟେ l ପୁଣ୍ୟ କାବ୍ୟ ରାମାୟଣରେ ମାଆ ସୀତାଙ୍କର ଗୟାଠାରେ ଫଲଗୁ ନଦୀରେ ଶ୍ୱଶୁର ଦଶରଥଙ୍କୁ ବାଲିପିଣ୍ଡ ପ୍ରଦାନ ଏକ ସୁନ୍ଦର ଉପାଖ୍ୟାନ ଅଛି l ଏହାର ସ୍ମୃତି ବହନ କରେ ମା’ ସୀତାଙ୍କ ଅଭିଶାପରୁ ଅନ୍ତଃ ସଲୀଳା ଫଲ୍ଗୁନଦୀ l
ଆମ ଓଡ଼ିଶାର ଯାଜପୁର ବିରଜାକ୍ଷେତ୍ର ଅବସ୍ଥିତ ନାଭି ଗୟାରେ ପିଣ୍ଡଦାନ ଗୟା ପିଣ୍ଡ ସମ ପୁଣ୍ୟ ପ୍ରଦାୟୀ ବୋଲି ବିଚାର କରାଯାଏ l ନାଭିଗୟାର ସ୍ମୃତି ବହନ କରେ ଏଠାରେ ଏକ ନାଭି ଆକୃତିର ଏକ ଗୋଲାକାର ବୃହତ କୁଣ୍ଡ l ପିଣ୍ଡଦାନ ପରେ ସମସ୍ତ ଅବଶେଷ ସାମଗ୍ରୀ ଏହି କୁଣ୍ଡରେ ନିକ୍ଷେପ କରା ଯାଏ l ମାତ୍ର ଆଶ୍ଚର୍ଯ୍ୟର କଥା, ଏହି କୁଣ୍ଡକୁ କେଭେ ପରିଷ୍କାର କରାଯାଉ ନ ଥିଲେ ମଧ୍ୟ ଏହା କେବେ ପୂର୍ଣ୍ଣ ହୁଏ ନାହିଁ l ବିରଜା କ୍ଷେତ୍ରକୁ ନାଭି ଗୟା କୁହା ଯିବା ସମ୍ବନ୍ଧରେ ଦୁଇଟି ପୌରାଣିକ ଉପାଖ୍ୟାନ ରହିଛି l ପ୍ରଥମଟି ହେଲା, ଏଠାରେ ସତୀଙ୍କ ନାଭିପିଣ୍ଡ ପତିତ ହୋଇଥିଲା, ଦ୍ୱିତୀୟ ହେଲା ଗୟା ତୀର୍ଥ ଭାବରେ ଭାରତରେ ତିନୋଟି ପୀଠ ଅଛି l ଗୟାସୁରର ପାଦ, ନାଭି ଓ ମସ୍ତକ ତିନୋଟି ସ୍ଥାନ ଯଥାକ୍ରମେ ଆନ୍ଧ୍ରପ୍ରଦେଶର ପିଠା ପୁରମ, ଯାଜପୁର ଏବଂ ବିହାରର ଗୟା ଠାରେ ନିପତିତ ହୋଇଥିବାରୁ ସ୍ଥାନ ଗୁଡିକ ଯଥା କ୍ରମେ ପାଦ ଗୟା, ନାଭି ଗୟା ଓ ଶୀର୍ଷ ଗୟା ନାମରେ ନାମିତ l ନାଭି ଗୟା ମାହାତ୍ମ୍ୟ ବର୍ଣ୍ଣନାରେ କୁହା ଯାଇଛି –
ତତ୍ର ଶ୍ରୀ ବିରଜା କ୍ଷେତ୍ରେ
ଦେବ୍ୟା ଈଶାନ କୋଣତଃ l
ଗୟାନାଭି ମହାପୂଣ୍ଣ୍ୟଃ
ପିତୃନାମ୍ ମୁକ୍ତିଦାୟକଃ ll
ହିନ୍ଦୁ ଦର୍ଶନରେ ପାପ ପୁଣ୍ୟର ବିଚାର ଏବଂ ଇହ ଲୋକ ଓ ପରଲୋକ ମଧ୍ୟରେ ସଂଯୋଗର ସେତୁ ହେଉଛି ମହାଳୟା l ଜୀବର ମୃତ୍ୟୁ ହେଲେ ମଧ୍ୟ ଆତ୍ମାର ବିଲୟ ହୁଏନାହିଁ ଏହି ସତ୍ୟକୁ ପ୍ରମାଣିତ କରେ ମହାଳୟା l ସମାଜକୁ ଶୃଙ୍ଖଳିତ କରି ଜନ ଜୀବନ ଧାରାକୁ ଏକ ଅପ୍ରତିହତ ସ୍ରୋତ ମଧ୍ୟରେ ଭସାଇ ନେବା ପାଇଁ ଆମ ଶାସ୍ତ୍ରରେ ସୃଷ୍ଟିହୋଇଛି ଓଷା, ବ୍ରତ ଓ ପର୍ବ ପର୍ବାଣି l ପୂର୍ବ ପୁରୁଷ ମାନଙ୍କ ପ୍ରତି ଉତ୍ତରପୁରୁଷ ମାନଙ୍କ ନିବିଡ଼ କର୍ତ୍ତବ୍ୟ ବୋଧ ଓ କୃତଜ୍ଞତାର ବାର୍ତ୍ତା ଦିଏ ମହାଳୟା l
ଆଶ୍ୱିନ ମାସ କୃଷ୍ଣ ପ୍ରତିପଦା ଦିନରୁ ପିତୃ ପୁରୁଷ ଗଣ ପିତୃଲୋକରୁ ମର୍ତ୍ତ୍ୟକୁ ଅବତରଣ କରନ୍ତି ଓ ଅମାବାସ୍ୟା ପର୍ଯ୍ୟନ୍ତ ଅବସ୍ଥାନ କରନ୍ତି l ଏହି ପିତୃ ଲୋକ ସ୍ୱର୍ଗ ଓ ମର୍ତ୍ତ୍ୟର ମଧ୍ୟବର୍ତ୍ତୀ ଅଞ୍ଚଳ ଯେଉଁ ଠାରେ ତିନି ପୁରୁଷ ପର୍ଯ୍ୟନ୍ତ ପିତୃଲୋକ ବାସକରି ଥାନ୍ତି l ଚତୁର୍ଥ ପୁରୁଷର ଆଗମନ ହେଲେ ବରିଷ୍ଠ ପିତୃ ପୁରୁଷ ସ୍ୱର୍ଗ ଗମନ କରନ୍ତି l ପିତୃପକ୍ଷ ପିତୃ ପୁରୁଷ ମାନଙ୍କୁ ପୂଜା କରିବାର ପ୍ରକୃଷ୍ଠ ସମୟ l ଏଣୁ ଶ୍ରୀମଦ ଭାଗବତର ସପ୍ତମ ସ୍କନ୍ଧ ଚଉଦ ଅଧ୍ୟାୟରେ କୁହାଯାଇଛି –
ଆଶ୍ୱିନ ମାସ କୃଷ୍ଣପକ୍ଷେ l
ପିତୃଙ୍କୁ ପୂଜିବ ପ୍ରତ୍ୟକ୍ଷେ ll
ସମ୍ଭାର ଯଥା ଶକ୍ତି ମତେ l
ପିତୃ ପୂଜିବ ଶ୍ରଦ୍ଧାଚିତ୍ତେ ll
ଜ୍ଞାତି, ସୁହୃଦ, ବନ୍ଧୁ ଜନ l
ଭୋଜନ ଦେବ ମିଷ୍ଟଅନ୍ନ ll
ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କଲେ ପିତୃଲୋକ ଧରାବତରଣ କରନ୍ତି ଏବଂ ସୂର୍ଯ୍ୟ ଯେତେବେଳେ ପୁଣି କନ୍ୟାରୁ ଯାଇ ବିଛାରାଶିରେ ପ୍ରବେଶକରନ୍ତି ସେମାନେ ପୁଣି ପିତୃ ଲୋକକୁ ପ୍ରସ୍ଥାନ କରିଥାନ୍ତି l କିନ୍ତୁ ଶାସ୍ତ୍ର ନିର୍ଦ୍ଧେଶ ମତେ ମହାଳୟାରେ ଶେଷ ହେଉଥିବା କୃଷ୍ଣପକ୍ଷକୁହିଁ ପିତୃପକ୍ଷ ରୂପେ ପାଳନ କରାଯାଏ (ଅନ୍ଧାରରେ ଆସ ଆଲୁଅରେ ଯାଆ)l ପିତୃ ପକ୍ଷରେ ଯେ କୌଣସି ଦିନ ଶ୍ରାଦ୍ଧକରି ପିଣ୍ଡ ଦାନ କଲେ ପିତୃ ପୁରୁଷ ତାହା ଗ୍ରହଣ କରିଥାନ୍ତି l ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ତର୍ପଣ ଓ ଅମାବାସ୍ୟା ଦିନ ବା ମହାଳୟା ଦିନ ଶ୍ରାଦ୍ଧ କରି ଏହି ପର୍ବର ଉଦଯାପନ କରାଯାଏ l ମହାଳୟା ଶ୍ରାଦ୍ଧରେ ମାତୁଳ କୂଳକୁ ପ୍ରାଧାନ୍ୟ ଦିଆଯାଉଥିବା ଦୃଷ୍ଟିରୁ ଏହାକୁ ମଉଳା ଶ୍ରାଦ୍ଧ ମଧ୍ୟ କୁହାଯାଏ l ପୁରୋହିତଙ୍କ ଦ୍ୱାରା ମନ୍ତ୍ରପାଠ କରି ଶ୍ରାଦ୍ଧକାରିର ନଅ ପୁରୁଷଙ୍କୁ ପିଣ୍ଡଦାନ କରାଯାଏ l ପିତାଙ୍କର ତିନି ପୁରୁଷ ପିତା,ପିତାମହ,ପ୍ରପିତାମହ,ମାତାଙ୍କ ତିନିପୁରୁଷ ମାତା,ମାତାମହୀ,ପ୍ରମାତାମହୀ ଏବଂ ମଉଳାକୁଳର ତିନିପୁରୁଷ ମାତାମହ,ପ୍ରମାତାମହ ବୃଦ୍ଧପ୍ରମାତାମହ ଏମିତି ନଅ ପୁରୁଷଙ୍କୁ ପିଣ୍ଡଦାନ କରାଯାଏ lପ୍ରକାରାନ୍ତରେ ମାତୃକୂଳର ତିନିପୁରୁଷ ଓ ପିତୃ କୂଳର ତିନି ପୁରୁଷ ଆଦି ଛଅ ପୁରୁଷଙ୍କୁ ପିଣ୍ଡ ଦାନ ଦେବାର ଵିଧି ରହିଛି l ଅଜ୍ଞତା ବଶତଃ କାଳେ କୌଣସି ଅପୁତ୍ରିକ ବ୍ୟକ୍ତି ଵଂଶରେ ରହି ଯାଇ ଥିବେ ସେଥି ପାଇଁ ଏକ ସ୍ୱତନ୍ତ୍ର ପିଣ୍ଡ ବଢ଼ା ଯାଏ l ମହାଳୟା ଦିବସରେ କୂଳ ପୁରୋହିତଙ୍କୁ ନିମନ୍ତ୍ରଣ କରା ଯାଏ ଏବଂ ପାଦ୍ୟ ଅର୍ଘ୍ୟ ଦେଇ ସ୍ୱାଗତ କରା ଯାଏ l ସାଧାରଣତଃ ଘରର ବଡ଼ ପୁଅ ପୁରୋହିତଙ୍କ ମନ୍ତ୍ରପାଠ ଓ ଅନ୍ୟାନ୍ୟ ପୂଜା ଆବାହନ ଦ୍ୱାରା ପିଣ୍ଡ ଦାନ କରିଥାନ୍ତି l ଅରୁଆ ଚାଉଳ, କ୍ଷୀର, ନଡ଼ିଆ, କଦଳୀ,ନବାତ, ଘିଅ, ମହୁ ଦ୍ୱାରା ପିଣ୍ଡ ପ୍ରସ୍ତୁତ କରାଯାଇ ପୁରୋହିତଙ୍କ ନିର୍ଦ୍ଧେଶ ମତେ କର୍ତ୍ତା ଦକ୍ଷୀଣ ଆଣ୍ଠୁ ତଳେ ଭରା ଦେଇ ପିଣ୍ଡ ସମର୍ପଣ କରନ୍ତି l ବ୍ରାହ୍ମଣ ମାନଙ୍କର ରନ୍ଧା ପିଣ୍ଡ ସମର୍ପଣ କରାଯାଏ l ଏହି ମହାଳୟା ଶ୍ରାଦ୍ଧ ଆଚାଣ୍ଡାଳ ବ୍ରାହ୍ମଣ ସମସ୍ତ ହିନ୍ଦୁପରିବାରରେ ପାଳନ କରାଯାଏ l ଶ୍ରାଦ୍ଧ ସମାପନରେ କର୍ତ୍ତାଙ୍କ ସମେତ ପରିବାରର ଅନ୍ୟାନ ସଦସ୍ୟ ନତଜାନୁ ହୋଇ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପ୍ରଣତି ବାଢ଼ି ଥାନ୍ତି ଓ ଅଜ୍ଞାତରେ ହୋଇଥିବା ଅପରାଧ ପାଇଁ କ୍ଷମାପ୍ରାର୍ଥନା କରନ୍ତି l ଶ୍ରାଦ୍ଧ ସମାପ୍ତିରେ ବ୍ରାହ୍ମଣଙ୍କୁ ଭୁରି ଭୋଜନ ଦେଇ ଆପ୍ୟାୟିତ କରିବା ଏବଂ ଉପଯୁକ୍ତ ଦକ୍ଷିଣା ଦେଇ ସନ୍ତୁଷ୍ଟ କରିବା ବିଧେୟ l ବ୍ରାହ୍ମଣ ହେଉଛନ୍ତି ସ୍ୱୟଂ ଭଗବାନଙ୍କ ସ୍ୱରୂପ,ସେ ସନ୍ତୁଷ୍ଟ ହେଲେ ଭଗବାନ ସନ୍ତୁଷ୍ଟ ହୁଅନ୍ତି ବୋଲି ବିଶ୍ୱାସ ରହିଛି l ଏଣୁ ଭାଗବତର ତୃତୀୟ ସ୍କନ୍ଧ ଷୋହଳ ଅଧ୍ୟାୟରେ କୁହାଯାଇଛି :-
ବ୍ରାହ୍ମଣ ମୁଖେ ଯେବେ ଭକ୍ଷେ l
ମୁହିଁ ଭୁଞ୍ଜଇ ତା ପ୍ରତ୍ୟକ୍ଷେ ll
ଶ୍ରାଦ୍ଧ ଉପରାନ୍ତେ ପଡୋଶୀ,ଦୁଃଖୀ,ରଙ୍କି,ବ୍ରାହ୍ମଣ ଓ ସାଧୁ ସନ୍ୟାସୀମାନଙ୍କୁ ସାତ୍ଵିକଭୋଜନ ଦେଇ ପରିତୃପ୍ତ କଲେ ପିତୃ ପୁରୁଷଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ l ପିତୃଗଣଙ୍କ ଆଶୀର୍ବାଦ ପ୍ରାପ୍ତ ହେଲେ ମନୁଷ୍ୟ ଅଶେଷ ସୁଖ ଭୋଗ କରିଥାଏ l ଏଣୁ କୁହାଯାଏ,” ପିତା ମାତା କଲ୍ୟାଣରୁ ପୁତ୍ର ହୁଏ ସୁଖୀ,ପୁତ୍ର ଯଦି ହୁଏସୁଖୀ କୁଳଧର୍ମ ରଖି l” ପୁତ୍ର ଜନ୍ମଦେଇ ଲାଳନ ପାଳନ କରି ସମାଜରେ ପ୍ରତିଷ୍ଠିତ କରାଇବାରେ ପିତାର ଭୂମିକା ଅତ୍ୟନ୍ତ ମହତ୍ବପୂର୍ଣ୍ଣ l ପୁତ୍ର ପାଇଁ ପିତା ଦୁନିଆରେ ଶ୍ରେଷ୍ଠ ସମ୍ପଦ l ତାଙ୍କର ପରିତୃପ୍ତି ପାଇଁ କର୍ତ୍ତବ୍ୟ କରିବା ପୁତ୍ରର ଧର୍ମ l ଶାସ୍ତ୍ରରେ କୁହାଯାଇଛି :-
ପିତାଧର୍ମଃ,ପିତାସ୍ୱର୍ଗ, ପିତାହି ପରମୋତପଃ l
ପିତରି ପ୍ରିତିମାପର୍ଣ୍ଣେ ପ୍ରିୟନ୍ତେ ସର୍ବ ଦେବତାଃ ll
ଜଗତରେ ଜ’କାର ବିଶିଷ୍ଟ ପାଞ୍ଚଟି ଦୁର୍ଲଭ ପଦାର୍ଥ ଅଛି l ସେମାନେ ହେଉଛନ୍ତି ଜନନୀ, ଜନ୍ମ ଭୂମି, ଜାହ୍ନବୀ, ଜନାର୍ଦ୍ଦନ ଓ ଜନକ l ଏହି ପଞ୍ଚ ଦୁର୍ଲଭ ପଦାର୍ଥର ନିରାଜନା କରିବା ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ କାରଣ ଏହାକୁ ଥରେ ହରାଇଲେ ଆଉ ମିଳେନାହିଁ l ଏଣୁ ଶାସ୍ତ୍ରରେ କୁହାଯାଇଛି :-
ଜନନୀ ଜନ୍ମଭୁମିଶ୍ଚ ଜାହ୍ନବୀଶ୍ଚ ଜନାର୍ଦ୍ଦନଃ l ଜନକଃ ପଞ୍ଚମଶ୍ଚଇଵଃ ଜକାରା ପଞ୍ଚ ଦୁର୍ଲଭଃl ll
ପିତା ଓ ପିତୃ ପୁରୁଷଙ୍କର ସନ୍ତୋଷ ବିଧାନ ପାଇଁ ପୁତ୍ରର ତିନୋଟି କର୍ମ କରିବା ବିଧେୟ l ଜୀବିତ ଅବସ୍ଥାରେ ପିତାଙ୍କ ବାକ୍ୟ ବା ଆଦେଶ ପାଳନ l ପିତାଙ୍କ ମୃତ୍ୟୁରେ ଗୟାରେ ପିଣ୍ଡଦାନ ସହ ଜ୍ଞାତି, କୁଟୁମ୍ବ, ସୁହୃଦ, ବ୍ରାହ୍ମଣ, ସାଧୁ, ଇତ୍ୟାଦିଙ୍କୁ ଭୁରି ଭୋଜନ ଦେଇ ପରିତୃପ୍ତ କରିବା l ସେଥି ପାଇଁ କୁହାଯାଇଛି :-
ଜୀବିତେ ବାକ୍ୟ କରଣମ୍,
ମୃତାହେ ଭୁରି ଭୋଜନମ୍ l
ଗୟାୟା ପିଣ୍ଡ ଦାନେନ
ତ୍ରିଭି ପୁତ୍ରସ୍ୟ ପୁତ୍ରତା ll
ପିତାଙ୍କ ଗୌରବ ବର୍ଣ୍ଣନା କରି ପିତୃ ସ୍ତବରେ କୁହା ଯାଇଛି :-
ଦେବତାଃଭ୍ୟ ପିତୃଭ୍ୟଶ୍ଚ ମହାଯୋଗାଭ୍ୟଏବ ଚ
ନମଃ ସ୍ୱାହା ସ୍ୱାଧାଇ ନିତ୍ୟମେବ ନମୋନମଃ l
ବର୍ଣ୍ଣେ ଗୁରୁ ଵିମୃତ୍ୟlତ ପାପାତ ଗୋବଧେ ନାନା ପାତକଂ l
ପିତୃ ଭକ୍ତି ପରାଜ୍ଞୟେ ସର୍ବେ ଯାନ୍ତି ପରାଙ୍ଗତି ll
ଅର୍ଥାତ ଗୁରୁ,ବ୍ରାହ୍ମଣ, ଗୋବଦ୍ଧ ଭଳି ମହାପାତକ କରିଥିଲେ ମଧ୍ୟ ପିତୃଭକ୍ତି ପରାୟଣ ପୁତ୍ରର ତାହା ଖଣ୍ଡନ ହୋଇଥାଏ l ମହାଳୟା ପିଣ୍ଡଦାନ କରି ପିତୃପୁରୁଷଙ୍କୁ ତୃପ୍ତ କରିବା ପ୍ରତି ପୁତ୍ରର କର୍ତ୍ତବ୍ୟ l ଏଥି ପାଇଁ ବିବାହ ବନ୍ଧନରେ ଆବଦ୍ଧ ସମସ୍ତେ ପୁଅଟିଏ କାମନା କରିଥାନ୍ତି l ତେଣୁ କୁହା ଯାଏ
” ପୁତ୍ରlର୍ଥେ କ୍ରୀୟତେ ଭାର୍ଯ୍ୟା,
ପୁତ୍ରପିଣ୍ଡ ପ୍ରୟୋଜନମ୍ “l
ଗରୁଡ଼ ପୁରାଣରେ କୁହା ଯାଇଛି ବିନା ପୁତ୍ରରେ କୌଣସି ବ୍ୟକ୍ତିର ମୋକ୍ଷ ହୁଏନାହିଁ l ମାର୍କଣ୍ଡେୟ ପୁରାଣ କହେ ଶ୍ରାଦ୍ଧ ଦେଇ ପିତୃ ଗଣଙ୍କୁ ପରିତୃପ୍ତ କଲେ ମଣିଷ ସକଳ ଐଶ୍ୱର୍ଯ୍ୟ, ଯଶ ଓ ମୋକ୍ଷର ଅଧିକାରୀ ହୋଇଥାଏ l ପବିତ୍ର ଏହି ମହାଳୟା ତିଥିରେ ପିତୃପୁରୁଷ ମାନେ ଶ୍ରୀମନ୍ଦିରର ବାଇଶି ପାବଚ୍ଛରେ ଉପସ୍ଥିତ ରହି ଥାନ୍ତି ବୋଲି ବିଶ୍ୱାସ ରହିଛି l ସେଇଥି ପାଇଁ ମହାଳୟା ଅବସରରେ ବାଇଶି ପାବଛରେ ପିଣ୍ଡଦାନ କରାଯାଏ l ଏତଦ ବ୍ୟତୀତ ନରେନ୍ଦ୍ରପୁଷ୍କରିଣୀ,ଶ୍ଵେତଗଙ୍ଗା,ବିନ୍ଦୁସର ଯାଜପୁରର ବିରଜା ପୀଠରେ ଦଶାଶ୍ୱମେଧ ଘାଟ ଓ ନାଭୀଗୟା ଇତ୍ୟାଦି ସ୍ଥାନରେ ମହାଳୟା ପିଣ୍ଡ ଦାନ କରାଯାଏ l ସର୍ବଭାରତୀୟ ସ୍ତରରେ ଗୟା, ବାରାଣାସୀ, ପ୍ରୟାଗ, ସରଯୁ ଘାଟ, ଋଷିକେଶ, ହରିଦ୍ୱାର,ପୁସ୍କର, ପଶ୍ଚିମବଙ୍ଗର ତ୍ରିବେଣୀ ଏବଂ ଜଗନ୍ନାଥ ଘାଟ ଓ ପରମ ପାବନୀ ଜାହ୍ନବୀଙ୍କର ଅନ୍ୟାନ୍ୟ ପବିତ୍ର ଘାଟମାନଙ୍କରେ ପିଣ୍ଡଦାନ କରା ଯାଏ l ସୁତିକା,ମୃତିକା ପାଇଁ ଯଦି ମହାଳୟାରେ ପିଣ୍ଡ ଦାନ କରାଯାଇ ନ ପାରେ ତେବେ କାର୍ତ୍ତିକ ଅମାବାସ୍ୟାରେ(ଦୀପାବଳୀ)ପିଣ୍ଡଦାନର ବିଧାନ ରହିଛି l କୌଣସି କାରଣରୁ ଏହି ଅବସରରେ ପିଣ୍ଡଦାନ ନ କରି ପାରିଲେ ଏକ ବର୍ଷ ଅପେକ୍ଷା କରିବାକୁ ପଡ଼େ l ମର୍ତ୍ତ୍ୟରେ ଗୋଟିଏ ଦିନ ପିତୃ ଲୋକରେ ଏକ ବର୍ଷ lଏହି ଅବସରରେ ଗୋଟିଏ ଦିନ ପିଣ୍ଡଦାନ କଲେ ପିତୃପୁରୁଷ ବର୍ଷେ ପର୍ଯ୍ୟନ୍ତ ଭୋଜନ କରନ୍ତି l ପିତୃ ପକ୍ଷରେ ପିତୃପୁରୁଷ ଗଣ ଧରା ଅବତରଣ କରି ଦୀପାବଳି ଅମାବାସ୍ୟା ପର୍ଯ୍ୟନ୍ତ ଅବସ୍ଥାନ କରନ୍ତି ଓ ଦୀପାବଳୀ ଦିନ ପିତୃଲୋକକୁ ପ୍ରତ୍ୟାବର୍ତ୍ତନ କରନ୍ତି lଦୀପାବଳୀ ଦିନ ପିପେଇ ଡକାଯାଏ l ସେଦିନ ବଡ଼ ବଡୁଆ ଡାକି କାଉଁରିଆ ଜଳାଇ ପିତୃ ପୁରୁଷ ମାନଙ୍କ ପ୍ରତ୍ୟାବର୍ତ୍ତନ ମାର୍ଗକୁ ଆଲୋକିତ କରାଯାଏ l ଏଣୁ ପିପେଇ ଜାଳି ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ କୁହାଯାଏ :-
ବଡ଼ ବଡୁଆ ହୋ ଅନ୍ଧାରରେ ଆସ
ଆଲୁଅରେ ଯାଆ l
ଗଙ୍ଗା ଯାଆ ଗୟା ଯାଆ
ଶ୍ରୀ ପୁରୁଷୋତ୍ତମ ଯାଆ
ବାଇଶି ପାହାଚରେ ଗଡ଼ ଗଡ଼ାଉ ଥାଆ ll
ପିତୃପକ୍ଷ ଶେଷରେ ଦେବୀ ପକ୍ଷ ଆରମ୍ଭ ହୁଏ ଓ ମାଆ ଦୁର୍ଗାଙ୍କ ଆଗମନରେ ପିତୃପକ୍ଷ ଶେଷହୁଏ l ମହାଳୟା ଦିନ ମୃଣ୍ମୟୀ ଦୁର୍ଗାଙ୍କ ଚକ୍ଷୁଦାନ କରା ଯାଇଥାଏ l ମାଆଙ୍କ ଆଗମନରେ ଧରା ଉଲ୍ଲସିତ ହୋଇଉଠେ ଏଣୁ ବଙ୍ଗବାସୀ କୁହନ୍ତି,” ବାଜିଲୋ ତୋମାର ଆଲୋର ବେଣୁ”l
ଭାରତୀୟ ହିନ୍ଦୁଧର୍ମଶାସ୍ତ୍ର ଅନୁସାରେ ମହାଳୟା ଏକ ଅତି ପବିତ୍ର ଦିନ l ଆସନ୍ତୁ ଏହି ଦିବସରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଭକ୍ତି ଭରା ପ୍ରଣତି ବାଢ଼ିବା ଓ ପିତୃଗଣଙ୍କ ଆଶିର୍ବାଦ ଭିକ୍ଷା କରିବା l ଉତ୍କଳମଣିଙ୍କ ଭାଷାରେ —
ଆସିଅଛି ପିତୃପକ୍ଷ କରୁଛି ତର୍ପଣ l
ମନ୍ତ୍ରପାଠ ତିଳୋଦକେ କରେଁ ସମର୍ପଣ ll
ଆସ ମୋର ପିତୃ ମାତୃ ମାତାମହ ଗଣ l
ଘେନ ସର୍ବେ ଏଥି ମୋର ଭକ୍ତି ଆବାହନ ll
ଘେନ ମୋର ଜଳାଞ୍ଜଳି ଘେନ ନମସ୍କାର l
ଦିବ୍ୟ ଅବଧାନେ ସର୍ବେ କର ହେ ବିଚାର ll
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.