ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’;ମହିଳାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଆହ୍ୱାନ

0

ଭୁବନେଶ୍ୱର: ରାଜ୍ୟର ସମସ୍ତ ମହିଳା ହିତାଧିକାରୀମାନଙ୍କୁ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟାରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜ ନିଜ ଘରେ ଦୀପ ପ୍ରଜ୍ୱଳନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆହ୍ୱାନ ଦେଇଛନ୍ତି। ସେବା, କୃତଜ୍ଞତା ଏବଂ ମହିଳା ସଶକ୍ତୀକରଣର ପ୍ରତୀକ ସ୍ୱରୂପ ଏହି ଦୀପ ପ୍ରଜ୍ୱଳନ କରାଯିବ ବୋଲି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି ।

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ସମୀକ୍ଷା ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏଥିରେ ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ (SHG), କ୍ଲଷ୍ଟର ସ୍ତରୀୟ ମହାସଂଘ (CLF), ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ (GPLAF), ବ୍ଲକ ଓ ଜିଲ୍ଲା ସ୍ତରୀୟ ମହାସଂଘ, ଲକ୍ଷପତି ଦିଦି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ କମ୍ପାନୀଗୁଡ଼ିକୁ ସକ୍ରିୟ ଭାବେ ଅଂଶଗ୍ରହଣ କରିବେ।

ଏହି ବୈଠକରେ ମିଶନ ଶକ୍ତି ବିଭାଗର ଶାସନ ସଚିବ ଶ୍ରୀମତୀ ମାନସୀ ନିମ୍ଭାଲ ଏବଂ ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶିକା ଡ. ମୋନିକା ବାନାର୍ଜୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟର ୩୦ଟି ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ (CDO), ବ୍ଲକ ଉନ୍ନୟନ ଅଧିକାରୀ (BDO), ସି.ଏଲ୍.ଏଫ୍., ଜି.ପି.ଏଲ୍.ଏ.ଏଫ୍. ପ୍ରତିନିଧି ଏବଂ ଏସ୍.ଏଚ୍.ଜି. ସଦସ୍ୟାମାନେ ଆଭାସୀ ମାଧ୍ୟମରେ ଏଥିରେ ଯୋଗଦେଇଥିଲେ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଛନ୍ତି, “ଯଦି ପ୍ରତ୍ୟେକ ମହିଳା ହିତାଧିକାରୀ ‘ବିକଶିତ ଭାରତ ୨୦୪୭’ ଏବଂ ‘ବିକଶିତ ଓଡ଼ିଶା ୨୦୩୬’ର ସଂକଳ୍ପ ଓ କୃତଜ୍ଞତାର ପ୍ରତୀକ ଭାବେ ଗୋଟିଏ ଲେଖାଏଁ ଦୀପ ପ୍ରଜ୍ୱଳନ କରିବେ, ତେବେ ସାରା ରାଜ୍ୟ ମହିଳା ସଶକ୍ତୀକରଣର ଆଲୋକରେ ଆଲୋକିତ ହୋଇଉଠିବ। ପ୍ରତିଟି ଦୀପ ଆମ ନାରୀଶକ୍ତିର ସାମର୍ଥ୍ୟ, ସ୍ୱାଭିମାନ, ଆଶା-ଆକାଂକ୍ଷା ଏବଂ ରାଜ୍ୟ ଓ ଦେଶର ବିକାଶରେ ସେମାନଙ୍କ ଯୋଗଦାନକୁ ପ୍ରତିଫଳିତ କରିବ।”ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭, ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ର ଅଂଶବିଶେଷ ଭାବେ ଏହି ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ପରିଚାଳିତ ହେଉଛି।

Leave A Reply

Your email address will not be published.