ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଲଡ଼ାର ପ୍ରତିଷ୍ଠା ଦିବସ ପାଳିତ ।

0

ଗଜପତି,୧୦.୯(ମନୋଜ ପାଢ଼ୀ) :-କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡ଼ାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ସମାରୋହରେ ପାଳିତ ହୋଇଯାଇଛି।ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଅତିଥିମାନଙ୍କ ଉପସ୍ଥିତିରେ ଉତ୍ସବମୁଖର ହୋଇଉଠିଥିଲା।ବିଦ୍ୟାଳୟର ଅଧ୍ୟକ୍ଷା ସୁନୀତା କୁମାରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ, କାଶୀନଗର ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମା,ଖାଣ୍ଡବା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଶ୍ରୀ ଜଗନ୍ନାଥ ଦୋରା, ସାମ୍ବାଦିକ ଶ୍ରୀ ହୃଷିକେଶ ଗୌଡ଼ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅତିଥିମାନେ ନିଜ ବକ୍ତବ୍ୟରେ ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ସହରାଞ୍ଚଳର ଛାତ୍ରଛାତ୍ରୀଙ୍କ ସହ ସମକକ୍ଷ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଏବଂ ଆଧୁନିକ ତଥା ବିଶ୍ୱସ୍ତରୀୟ ଶିକ୍ଷାର ସୁଯୋଗ ଦେବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ। ଶିକ୍ଷା କ୍ଷେତ୍ରରେ ନୂତନ ପଦକ୍ଷେପ, ଜାତୀୟ ଶିକ୍ଷା ନୀତି, ଆଧୁନିକ ଶିକ୍ଷା ପଦ୍ଧତି ଏବଂ‌ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।ବିଦ୍ୟାଳୟରେ ପାଠପଢ଼ା ସହିତ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ସାଂସ୍କୃତିକ, ଶିକ୍ଷାମୂଳକ ଓ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଉଥିବା ବିଷୟରେ ମଧ୍ୟ ଅତିଥିମାନେ ମତବ୍ୟକ୍ତ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରି ବିଜେତା ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ଉତ୍ସବରେ ଯୋଗ ଦେଇଥିଲେ।ପ୍ରତିଷ୍ଠା ଦିବସ ଅବସରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ ଓ ଶିକ୍ଷାମୂଳକ ପ୍ରସ୍ତୁତି ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିବା ବେଳେ ଉପସ୍ଥିତ ଅତିଥି ଓ ଅଭିଭାବକମାନେ ଏହାର ଭୂୟସୀ ପ୍ରଶଂସା କରିଥିଲେ।

Leave A Reply

Your email address will not be published.