ଗଜପତି,୧୦.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲାର ପୂର୍ବତନ ଏସିଏଫ୍ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ବ୍ୟକ୍ତିଗତ ହାଜିରାରୁ ଛାଡ ପାଇଁ କରିଥିବା ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଥିବା ଜଣାପଡ଼ିଛି। । ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ପାଇଁ ଆଇନଗତ ଅଡ଼ୁଆ ବଢ଼ିଛି। ଟ୍ରାଏଲ୍ କୋର୍ଟରେ ବ୍ୟକ୍ତିଗତ ହାଜିରାରୁ ମୁକ୍ତି ପାଇଁ ସେ କରିଥିବା ଆବେଦନକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେବା ସହିତ ବିଦ୍ୟାଭାରତୀଙ୍କୁ ଆସନ୍ତା ଅକ୍ଟୋବର ୧ ତାରିଖ ସୁଦ୍ଧା ପାରଳାଖେମୁଣ୍ଡି ଏସଡ଼ିଜେଏମଙ୍କ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଭାରତୀ ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାର ନୁଆଗାଁରେ ଚୁକ୍ତିଭିତ୍ତିକ ସରକାରୀ ଚାକିରି କରୁଥିବା ଏବଂ ପାରଳାଖେମୁଣ୍ଡି ଯାତାୟାତ କରିବାରେ ଅସୁବିଧା ହେଉଥିବା ଦର୍ଶାଇଥିଲେ। ତେବେ ପ୍ରତିପକ୍ଷରୁ ସେ ଜାଣିଶୁଣି କୋର୍ଟ ପ୍ରକ୍ରିୟାରୁ ଦୂରେଇ ରହୁଥିବା ଯୋଗୁଁ ମାମଲା ବିଳମ୍ବିତ ହେଉଥିବା ଯୁକ୍ତି ରଖାଯାଇଥିଲା। କୋର୍ଟ ନିର୍ଦ୍ଦେଶ ଅନୁଯାୟୀ, ଅକ୍ଟୋବର ୧ ସୁଦ୍ଧା ଟ୍ରାଏଲ୍ କୋର୍ଟରେ ହାଜର ହେବା ପରେ ବିଦ୍ୟାଭାରତୀ ଜାମିନ ପାଇଁ ଆବେଦନ କରିପାରିବେ। ଟ୍ରାଏଲ୍ କୋର୍ଟରେ ଜାମିନ ଖାରଜ ହେଲେ ସେହିଦିନ ସେସନ୍ସ କୋର୍ଟରେ ଆବେଦନ କରିପାରିବେ ବୋଲି ହାଇକୋର୍ଟ ସୁଯୋଗ ରଖିଛନ୍ତି।ଉଲ୍ଲେଖଯୋଗ୍ୟ ଯେ ୨୦୨୧ ଜୁଲାଇ ୧୧ରେ ସରକାରୀ ବାସଭବନରେ ସନ୍ଦେହଜନକ ଅବସ୍ଥାରେ ପୋଡ଼ି ଯାଇଥିବା ଏସିଏଫ୍ ସୌମ୍ୟରଞ୍ଜନଙ୍କର ଜୁଲାଇ ୧୩ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଥିଲା। ମାମଲାରେ ପ୍ରଥମେ ୩୦୨ ଓ ୧୨୦-ବି ଧାରାରେ ମାମଲା ରୁଜୁ ହୋଇଥିବାବେଳେ ତଦନ୍ତ ପରେ ୩୦୪-ଏ ଧାରାରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ପରେ ପ୍ରୋଟେଷ୍ଟ ପିଟିସନ୍ ଆଧାରରେ ମାଜିଷ୍ଟ୍ରେଟ୍ ୩୦୨/୧୨୦-ବି ଧାରାରେ କଗ୍ନିଜାନ୍ସ ନେଇଥିଲେ। ତେବେ ହାଇକୋର୍ଟଙ୍କ ଆଦେଶ ପରେ ବିଦ୍ୟାଭାରତୀଙ୍କୁ ଅକ୍ଟୋବର ୧ ସୁଦ୍ଧା ଟ୍ରାଏଲ୍ କୋର୍ଟରେ ହାଜର ହେବାକୁ ପଡ଼ିବ ଏବଂ ଏହା ପରେ ତାଙ୍କ ଜାମିନ ପ୍ରକ୍ରିୟା ଉପରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିର୍ଭର କରିବ।
Sign in
Sign in
Recover your password.
A password will be e-mailed to you.