ଗଜପତି,୧୦.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ କେରାଣ୍ଡିସ୍ଥିତ ରାମଲିଙ୍ଗେଶ୍ୱର ଆଦର୍ଶ ପ୍ରାଥମିକ ସମବାୟ ସମିତି ପରିସରରେ ମିନି କୃଷକ ମେଳା–୨୦୨୬ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ, ପାରଳାଖେମୁଣ୍ଡି ଅଧୀନସ୍ଥ ଏମ୍.ଏସ୍. ସ୍ୱାମୀନାଥନ୍ ସ୍କୁଲ୍ ଅଫ୍ ଏଗ୍ରିକଲଚରର ଗ୍ରାମାଞ୍ଚଳ କୃଷି କାର୍ଯ୍ୟ ଅନୁଭବ ୨୦୨୫–୨୬ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ମେଳା ଆୟୋଜିତ ହୋଇଥିଲା।ଚାଷୀମାନଙ୍କ ମଧ୍ୟରେ ଆଧୁନିକ କୃଷି ପ୍ରଯୁକ୍ତି ସମ୍ପର୍କରେ ସଚେତନତା ସୃଷ୍ଟି, ନୂତନ କୃଷି ପଦ୍ଧତିର ପ୍ରଦର୍ଶନ ଏବଂ ଚାଷୀ ଓ କୃଷି ବିଶେଷଜ୍ଞଙ୍କ ମଧ୍ୟରେ ସିଧାସଳଖ ମତ ବିନିମୟର ସୁଯୋଗ ସୃଷ୍ଟି କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ମେଳାରେ ବସୁନ୍ଧରା ରଇତ ସମ୍ପର୍କ କେନ୍ଦ୍ରର ଭିଲେଜ୍ ଏଗ୍ରିକଲଚର ସହାୟକ ଶ୍ରୀମତୀ ପାଲାକୋଣ୍ଡା ଉଷାଶ୍ରୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଏମ୍. ପ୍ରକାଶ ରାଓ, ସମ୍ମାନିତ ଅତିଥି ଭାବେ ସିୟୁଟିଏମର ଡିନ୍ ପ୍ରଫେସର ଡ଼ଃ ସାଗର ମୈତ୍ର ଯୋଗ ଦେଇଥିଲେ ।ଏଥିସହ ରାଟିଣୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ହରିଶ୍ଚନ୍ଦ୍ର ସାମଲ ଓ କେରାଣ୍ଡି ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀ ୟେରୁସୁ ଡୋଣ୍ଡାପାଣି ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ।ଉପସ୍ଥିତ ଅତିଥିମାନେ ଆରଏଡ୍ଳୁଇପି ଛାତ୍ରଛାତ୍ରୀଙ୍କ ଦ୍ୱାରା କୃଷି ସମ୍ବନ୍ଧୀୟ ବୈଜ୍ଞାନିକ ଜ୍ଞାନକୁ ଚାଷୀମାନଙ୍କ ନିକଟରେ ପହଞ୍ଚାଇବାର ପ୍ରୟାସକୁ ପ୍ରଶଂସା କରିଥିଲେ। ସେମାନେ ଚାଷୀମାନଙ୍କୁ ଉନ୍ନତ କୃଷି ପଦ୍ଧତି, ସମନ୍ୱିତ ପୋଷକ ଓ କୀଟ ପରିଚାଳନା, ମୃତ୍ତିକା ପରୀକ୍ଷା, ଜଳ ସଂରକ୍ଷଣ ଏବଂ ଜଳବାୟୁ ଅନୁକୂଳ କୃଷି ପ୍ରଣାଳୀ ଅପନାଇବାକୁ ପରାମର୍ଶ ଦେଇଥିଲେ।ଏହି ଅବସରରେ ଆରଏଡ୍ଳୁଇପି ଛାତ୍ରଛାତ୍ରୀମାନେ କୃଷି ବିଷୟ ଉପରେ ପାଞ୍ଚଟି ବିଷୟଭିତ୍ତିକ ଚାର୍ଟ ପ୍ରଦର୍ଶନୀ ସହ ବିଭିନ୍ନ ପ୍ରାୟୋଗିକ ପ୍ରଦର୍ଶନ କରିଥିଲେ। ଏଥିସହ କୃଷକ–ବୈଜ୍ଞାନିକ ଆଲୋଚନା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ଚାଷୀମାନେ ନିଜ କୃଷି ସମସ୍ୟା ବିଶେଷଜ୍ଞମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ସହ ବୈଜ୍ଞାନିକ ପରାମର୍ଶ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା, ସ୍ଥାନୀୟ ଜନପ୍ରତିନିଧି, ପ୍ରଗତିଶୀଳ ଚାଷୀଙ୍କ ସମେତ ବି. ସୀତାପୁର, କେରାଣ୍ଡି, ଡାଲିମ୍ବପୁର, ଅମରା ଓ ରାଟିଣୀ ଗ୍ରାମର ବହୁ ସଂଖ୍ୟକ ଚାଷୀ ଯୋଗଦେଇଥିଲେ।
Sign in
Sign in
Recover your password.
A password will be e-mailed to you.