ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ ଅଧୀନରେ ୭୩ ଜଣ ବରିଷ୍ଠ ନାଗରିକଙ୍କ ବୃନ୍ଦାବନ ଯାତ୍ରା।

0

ଗଜପତି,10.9(ମନୋଜ ପାଢ଼ୀ) :- ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ପବିତ୍ର ତୀର୍ଥସ୍ଥଳ ପରିଦର୍ଶନ କରିବାର ସୁଯୋଗ ପ୍ରଦାନ ଉଦ୍ଦେଶ୍ୟରେ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ ଅଧୀନରେ ପାରଳାଖେମୁଣ୍ଡିରୁ ୭୩ ଜଣ ବରିଷ୍ଠ ନାଗରିକ ବୃନ୍ଦାବନ ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି। ପାରଳାଖେମୁଣ୍ଡିରୁ ଦୁଇ ଗୋଟି ବସ୍‌ ଯୋଗେ ଏହି ୭୩ ଜଣ ତୀର୍ଥଯାତ୍ରୀଙ୍କୁ ବ୍ରହ୍ମପୁର ପର୍ଯ୍ୟନ୍ତ ନିଆଯାଇଥିଲା। ସେଠାରୁ ସେମାନେ ଏକ ସ୍ୱତନ୍ତ୍ର ତୀର୍ଥଯାତ୍ରା ଟ୍ରେନ୍‌ ଯୋଗେ ବୃନ୍ଦାବନ ଯାତ୍ରା କରିଛନ୍ତି। ଯାତ୍ରା ଆରମ୍ଭ ପୂର୍ବରୁ ପାରଳାଖେମୁଣ୍ଡିରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଯାଇଥିଲା।
ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ ସବୁଜ ପତାକା ଦେଖାଇ ତୀର୍ଥଯାତ୍ରା ବସର ଶୁଭାରମ୍ଭ କରିଥିଲେ। ବିଧାୟକ ତୀର୍ଥଯାତ୍ରୀମାନଙ୍କ ସହିତ ସେମାନଙ୍କ ଯାତ୍ରା ସମ୍ପର୍କରେ ଆଲୋଚନା କରିବା ସହିତ ଯାତ୍ରା ସୁଖଦ ଓ ସୁରକ୍ଷିତ ହେଉ ବୋଲି ଶୁଭକାମନା ଜଣାଇଥିଲେ।ବରିଷ୍ଠ ନାଗରିକମାନଙ୍କ ଯାତ୍ରା ସମୟରେ ଆବଶ୍ୟକ ସୁବିଧା ଓ ସାମଗ୍ରୀ ଯୋଗାଇଦେବା ପାଇଁ ବିଧାୟକଙ୍କ ପକ୍ଷରୁ ତୀର୍ଥଯାତ୍ରୀମାନଙ୍କୁ କିଛି ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ଉପହାର ଦିଆଯାଇଥିଲା ଏବଂ ସୁବିଧା ଓ ସୁରକ୍ଷାକୁ ଗୁରୁତ୍ୱ ଦେଇ ଯାତ୍ରା ସମୟରେ ସମସ୍ତ ପ୍ରକାର ଆବଶ୍ୟକ ବ୍ୟବସ୍ଥା ରହିବା ନେଇ ଗୁରୁତ୍ୱ ଦିଆଯାଇଥିଲା।ଏହି ଅବସରରେ ବିଧାୟକ ରୂପେଶ ପାଣିଗ୍ରାହୀ ଏକ ଘୋଷଣାରେ ଆଗାମୀ ଦିନରେ ଏହି ତୀର୍ଥଯାତ୍ରୀମାନଙ୍କୁ ନିଜସ୍ୱ ଖର୍ଚ୍ଚରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ କରାଇବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ। ବିଧାୟକଙ୍କ ଏହି ପ୍ରତିଶ୍ରୁତିକୁ ତୀର୍ଥଯାତ୍ରୀମାନେ ଆନନ୍ଦର ସହ ସ୍ୱାଗତ କରିଥିଲେ।କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାବରା ତିରୁପତି ରାଓ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ, ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀଙ୍କ ସମେତ ଜନପ୍ରତିନିଧି ଓ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.