୭.୪୧ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହଡ଼ପ ଅଭିଯୋଗ: ଆଠଗଡ଼ର ପୂର୍ବତନ ଫରେଷ୍ଟର ଗିରଫ

0

ଭୁବନେଶ୍ବର: ବନୀକରଣ ଯୋଜନାରେ ଅର୍ଥ ହେରଫେର କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଠଗଡ଼ ବନଖଣ୍ଡର ପୂର୍ବତନ ଫରେଷ୍ଟର ଆଶିଷ ନାଏକଙ୍କୁ ସରକାରୀ ଅର୍ଥ ହଡ଼ପ କରିବା ଅଭିଯୋଗରେ ଗିରଫ କରାଯାଇଛି। ସେ ବର୍ତ୍ତମାନ କଟକ ବନଖଣ୍ଡ ଅଧିକାରୀଙ୍କ (ଡିଏଫ୍‌ଓ) କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। ୨୦୨୫-୨୬ ଆର୍ଥିକ ବର୍ଷରେ କାମ୍ପା ଯୋଜନା ଅଧୀନରେ ଆସିଥିବା ବନୀକରଣ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଭିଜିଲାନ୍ସ ନିକଟରେ ସୂଚନା ପହଞ୍ଚିବା ପରେ ଏହି ସ୍ୱତନ୍ତ୍ର ତଦନ୍ତ କରାଯାଇଥିଲା।

ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ଆଠଗଡ଼ ସଦର ସେକ୍ସନ ଅଧୀନରେ ଥିବା ଓରିଙ୍ଗା ସଂରକ୍ଷିତ ଜଙ୍ଗଲର କୁଲେଇଲୋ ବିଟ୍‌ ଏବଂ ସଦର ବିଟ୍‌ ଅଞ୍ଚଳରେ ଚାରାରୋପଣ ପାଇଁ ଆସିଥିବା ସରକାରୀ ଅର୍ଥକୁ ହଡ଼ପ କରାଯାଇଥିଲା। ଅଭିଯୁକ୍ତ ଫରେଷ୍ଟର ଆଶିଷ ନାଏକ ବାସ୍ତବରେ ଚାରାରୋପଣ ନକରି ଜାଲ୍‌ ଏବଂ ବଢ଼ାଇଚଢ଼ାଇ ବିଲ୍‌ ପ୍ରସ୍ତୁତ କରି ସରକାରୀ ତହବିଲରୁ ଟଙ୍କା ଉଠାଇ ନେଇଥିଲେ। ଭିଜିଲାନ୍ସ ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ କାଗଜପତ୍ରରେ ଚାରାରୋପଣ ଶେଷ ହୋଇଥିବା ଦର୍ଶାଯାଇଥିଲେ ହେଁ ସ୍ଥଳପଥରେ ୧୧,୩୭୬ଟି ଚାରା ଆଦୌ ରୋପଣ କରାଯାଇ ନଥିଲା। ଏହି ଚାଞ୍ଚଲ୍ୟକର ଅନିୟମିତତା ଯୋଗୁଁ ସରକାରୀ କୋଷାଗାରକୁ ୭ ଲକ୍ଷ ୪୧ ହଜାର ୨୯୭ ଟଙ୍କାର ସିଧାସଳଖ ଆର୍ଥିକ କ୍ଷତି ସହିବାକୁ ପଡ଼ିଛି। ଏହି ହେରଫେର ମାମଲାରେ କଟକ ଭିଜିଲାନ୍ସ ଥାନାରେ ସେପ୍ଟେମ୍ବର ୧୦, ୨୦୨୬ ରେ ମାମଲା ନମ୍ବର ୩୬ ରୁଜୁ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୧୩(୨) ସହ ୧୩(୧)(ଏ) ଏବଂ ଭାରତୀୟ ନ୍ୟାୟ ସଂହିତାର (ବିଏନଏସ ) ଧାରା ୩୧୮(୪), ୩୧୬(୫) ଓ ୬୧(୨) ଅଧୀନରେ ମାମଲା ଦାୟର କରାଯାଇଛି। ଗିରଫଦାରୀ ପରେ ଅଭିଯୁକ୍ତ ଫରେଷ୍ଟରଙ୍କୁ କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଛି।

Leave A Reply

Your email address will not be published.