ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର! ଏହି ୭ ଦିନରେ କେତେଦିନ ବନ୍ଦ ରହିବ ବ୍ୟାଙ୍କ?

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ଯୁଗରେ ବ୍ୟାଙ୍କିଂ ସେବାର ଏକ ବଡ଼ ଅଂଶ ଅନଲାଇନ୍‌ରେ ଉପଲବ୍ଧ ହେଉଛି। ତଥାପି କିଛି ଗୁରୁତ୍ୱପୂର୍ଣ୍ଣ ସେବା ଓ କାର୍ଯ୍ୟ ପାଇଁ ଗ୍ରାହକଙ୍କୁ ନିଜ ବ୍ୟାଙ୍କ ଶାଖାକୁ ଯିବାକୁ ପଡ଼ିଥାଏ। ତେଣୁ ବ୍ୟାଙ୍କ ଛୁଟି ସମ୍ପର୍କରେ ଜାଣିବା ଗ୍ରାହକଙ୍କ ପାଇଁ ଜରୁରୀ।ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)ର ଛୁଟି କ୍ୟାଲେଣ୍ଡର ଅନୁଯାୟୀ, ସେପ୍ଟେମ୍ବର ୭ରୁ ୧୩ ତାରିଖ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କ ଛୁଟି ରହିବ। ତେବେ ଏହି ଛୁଟି ସମସ୍ତ ରାଜ୍ୟ ପାଇଁ ସମାନ ନୁହେଁ। ଆଞ୍ଚଳିକ, ଜାତୀୟ ଓ ଧାର୍ମିକ ପର୍ବପର୍ବାଣିକୁ ଆଧାର କରି ରାଜ୍ୟ ଅନୁଯାୟୀ ବ୍ୟାଙ୍କ ଛୁଟିରେ ପାର୍ଥକ୍ୟ ରହିଥାଏ।

ସାଧାରଣ ନିୟମ ଅନୁଯାୟୀ, ପ୍ରତ୍ୟେକ ରବିବାର ସହିତ ପ୍ରତି ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କଗୁଡ଼ିକ ବନ୍ଦ ରହିଥାଏ। ଏହାବ୍ୟତୀତ RBIର ଛୁଟି ତାଲିକାରେ ଥିବା ରାଜ୍ୟଭିତ୍ତିକ ଛୁଟି ଦିନରେ ମଧ୍ୟ ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ରହେ।ତେବେ ଆସନ୍ତା ସୋମବାର, ସେପ୍ଟେମ୍ବର ୭ ତାରିଖରେ ଦେଶର ଅଧିକାଂଶ ସ୍ଥାନରେ ବ୍ୟାଙ୍କ ଶାଖା ସାଧାରଣ ଭାବେ ଖୋଲିବ। ଗ୍ରାହକମାନେ ନିୟମିତ କାର୍ଯ୍ୟ ସମୟରେ ବ୍ୟାଙ୍କିଂ ସେବା ପାଇପାରିବେ।

ଏପଟେ ଦିଲ୍ଲୀରେ ସେପ୍ଟେମ୍ବର ୧୧ ତାରିଖକୁ ସରକାରୀ ଛୁଟି ଘୋଷଣା କରାଯାଇଛି। ୧୮ତମ BRICS ନେତା ସମ୍ମିଳନୀକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସରକାରୀ କାର୍ଯ୍ୟାଳୟ ଓ ସ୍ୱାୟତ୍ତ ସଂସ୍ଥାଗୁଡ଼ିକ ବନ୍ଦ ରହିବ। ଏହାର ପ୍ରଭାବରେ କିଛି ଆର୍ଥିକ ପ୍ରତିଷ୍ଠାନର ସେବା ମଧ୍ୟ ପ୍ରଭାବିତ ହୋଇପାରେ। ସେହିପରି ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ମଧ୍ୟ ଛୁଟି ଯୋଗୁଁ କିଛି ସ୍ଥାନରେ ବ୍ୟାଙ୍କ ଶାଖା ବନ୍ଦ ରହିବ। ଫଳରେ ୭ରୁ ୧୩ ସେପ୍ଟେମ୍ବର ମଧ୍ୟରେ ଗ୍ରାହକଙ୍କ ପାଇଁ ଭୌତିକ ବ୍ୟାଙ୍କ ଶାଖାର ସାଧାରଣ କାର୍ଯ୍ୟଦିବସ ସ୍ଥାନଭେଦରେ ପ୍ରାୟ ୪ରୁ ୫ ଦିନ ହୋଇପାରେ।

ତେଣୁ ବ୍ୟାଙ୍କ ଶାଖାକୁ ଯିବା ପୂର୍ବରୁ ନିଜ ରାଜ୍ୟ ଓ ସହର ପାଇଁ RBIର ଛୁଟି ତାଲିକା ଯାଞ୍ଚ କରିନେବା ଗ୍ରାହକଙ୍କ ପାଇଁ ଭଲ ହେବ। ତେବେ ବ୍ୟାଙ୍କ ଶାଖା ବନ୍ଦ ଥିଲେ ମଧ୍ୟ ଅଧିକାଂଶ ଡିଜିଟାଲ୍ ବ୍ୟାଙ୍କିଂ ସେବା, ଯେପରିକି UPI, ମୋବାଇଲ୍ ବ୍ୟାଙ୍କିଂ ଓ ଇଣ୍ଟରନେଟ୍ ବ୍ୟାଙ୍କିଂ, ସାଧାରଣତଃ ଚାଲୁ ରହିବ।

Comments are closed.