ଶ୍ରୀ ଏ. ବାଲକୃଷ୍ଣନଙ୍କ ବିୟୋଗରେ ଶୋକ: ପ୍ରଧାନମନ୍ତ୍ରୀ ମୋଦୀ ଓ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି

0

କଲକାତା: ବିବେକାନନ୍ଦ କେନ୍ଦ୍ର (କନ୍ୟାକୁମାରୀ)ର ପୂର୍ବତନ ଅଖିଳ ଭାରତୀୟ ଅଧ୍ୟକ୍ଷ ଶ୍ରୀ ଏ. ବାଲକୃଷ୍ଣନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଶ୍ରୀ ବାଲକୃଷ୍ଣନଙ୍କ ଦୀର୍ଘ ପାଞ୍ଚ ଦଶନ୍ଧିରୁ ଅଧିକ ସମୟର ସମାଜସେବା ଓ ଉତ୍ତର-ପୂର୍ବ ଭାରତ ସହିତ ତାଙ୍କର ଗଭୀର ସମ୍ପର୍କକୁ ସ୍ମରଣ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶ୍ରୀ ବାଲକୃଷ୍ଣନ ନିଜ ଜୀବନର ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଏବଂ ସମାଜସେବା ପାଇଁ ସମର୍ପିତ କରିଥିଲେ। ତାଙ୍କର ନିଷ୍ଠା, ସେବା ଓ ଆଦର୍ଶବାଦ ଅନେକଙ୍କୁ ପ୍ରେରଣା ଯୋଗାଇଥିଲା।
ଏହି ବିୟୋଗରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍) ମଧ୍ୟ ଗଭୀର ସମବେଦନା ପ୍ରକାଶ କରିଛି। ସରସଂଘଚାଳକ ଶ୍ରୀ ମୋହନ ଭାଗବତ ଓ ସରକାର୍ଯ୍ୟବାହ ଶ୍ରୀ ଦତ୍ତାତ୍ରେୟ ହୋସବାଲେ ଏକ ଶୋକବାର୍ତ୍ତାରେ ଶ୍ରୀ ବାଲକୃଷ୍ଣନଙ୍କୁ ‘କର୍ମଯୋଗର ସାକ୍ଷାତ୍ ପ୍ରତିମୂର୍ତ୍ତି’ ଭାବେ ସ୍ମରଣ କରିଛନ୍ତି।


ସ୍ୱାମୀ ବିବେକାନନ୍ଦଙ୍କ ବିଶ୍ୱବନ୍ଧୁତ୍ୱ, ମାନବସେବା ଓ ରାଷ୍ଟ୍ରସେବାର ବାର୍ତ୍ତାର ପ୍ରଚାର ପାଇଁ ଶ୍ରୀ ବାଲକୃଷ୍ଣନ ନିଜ ସମଗ୍ର ଜୀବନ ଉତ୍ସର୍ଗ କରିଥିଲେ। କନ୍ୟାକୁମାରୀସ୍ଥିତ ବିବେକାନନ୍ଦ କେନ୍ଦ୍ରର ଆଜୀବନ ସମର୍ପିତ ‘ଜୀବନବ୍ରତୀ’ କାର୍ଯ୍ୟକର୍ତ୍ତା ଦଳର ପ୍ରଥମ ପିଢ଼ିର ସଦସ୍ୟ ଭାବେ ସେ ସ୍ୱାମୀ ବିବେକାନନ୍ଦଙ୍କ କାର୍ଯ୍ୟକୁ ଆଗକୁ ବଢ଼ାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।
ତାଙ୍କର ସରଳ ଜୀବନ, ନିଃସ୍ୱାର୍ଥ ସେବା, ତ୍ୟାଗ ଓ ରାଷ୍ଟ୍ରୀୟ ମୂଲ୍ୟବୋଧ ପ୍ରତି ଅଟଳ ନିଷ୍ଠା ସାମାଜିକ କର୍ମୀ ଓ ଯୁବପିଢ଼ି ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ। ତାଙ୍କ ବିୟୋଗରେ ସମାଜ ଜଣେ ମହାନ ସେବାନିଷ୍ଠ ବ୍ୟକ୍ତିତ୍ୱଙ୍କୁ ହରାଇଛି ବୋଲି ଶୋକବାର୍ତ୍ତାରେ କୁହାଯାଇଛି।
ଶ୍ରୀ ବାଲକୃଷ୍ଣନଙ୍କ ପବିତ୍ର ଆତ୍ମାର ସଦ୍ଗତି ଓ ମୋକ୍ଷ କାମନା କରି ଶୋକସନ୍ତପ୍ତ ପରିବାର, ସହଯୋଗୀ ଓ ଅନୁଗାମୀମାନଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଛି।
ରିପୋର୍ଟ-ସନାତନ ମହାକୁଡ଼ ।

Leave A Reply

Your email address will not be published.