ଏସ୍‌ସିଓ ଶିଖର ସମ୍ମିଳନୀରେ ମୋଦୀଙ୍କ ବାର୍ତ୍ତା ଆତଙ୍କବାଦ ପ୍ରସଙ୍ଗରେ ଦୋମୁହାଁ ନୀତି ଚଳିବନି

ବିସ୍‌କେକ୍‌: କିର୍ଗିଜସ୍ଥାନର ବିସ୍‌କେକ୍‌ଠାରେ ଅନୁଷ୍ଠିତ ୨୬ତମ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦ ପ୍ରସଙ୍ଗରେ ଏକ କଡ଼ା ଓ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଓ ଅନ୍ୟ ଏସ୍‌ସିଓ ନେତାମାନଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ କରିଛନ୍ତି ଯେ ଆତଙ୍କବାଦ ବିରୋଧୀ ଲଢ଼େଇରେ କୌଣସି ଦୋମୁହାଁ ନୀତି ଚଳିବ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ,ଆତଙ୍କବାଦ ବିରୋଧୀ ଲଢ଼େଇ କେବଳ ଘଟଣାର ପ୍ରତିକ୍ରିୟା ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ। ଆତଙ୍କବାଦକୁ ଆର୍ଥିକ ସହାୟତା, ନୂଆ ନିଯୁକ୍ତି, କଠୋରପନ୍ଥୀ ଚିନ୍ତାଧାରାର ପ୍ରସାର ଓ ସୁରକ୍ଷିତ ଆଶ୍ରୟସ୍ଥଳୀ ଯୋଗାଉଥିବା ସମ୍ପୂର୍ଣ୍ଣ ଇକୋସିଷ୍ଟମ (ବ୍ୟବସ୍ଥା)କୁ ସମୂଳେ ଧ୍ୱଂସ କରିବାକୁ ହେବ। ଯେଉଁ ଦେଶଗୁଡ଼ିକ ଆତଙ୍କବାଦକୁ ନିଜର ରାଷ୍ଟ୍ର ନୀତି କିମ୍ବା ରଣନୈତିକ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି, ସେମାନଙ୍କୁ ମଧ୍ୟ କଡା ଚେତାବନୀ ଦିଆଯିବା ଦରକାର ଯେ ଆତଙ୍କବାଦ କାହାରି ପାଇଁ ‘ରଣନୈତିକ ସମ୍ପତ୍ତି’ ହୋଇପାରିବ ନାହିଁ। ମୋଦୀ କହିଛନ୍ତି ଯେ ଭାରତର ଏସ୍‌ସିଓ ଦୃଷ୍ଟିକୋଣ ସୁରକ୍ଷା, ଯୋଗାଯୋଗ ବା ସଂଯୋଗୀକରଣ ଏବଂ ସୁଯୋଗ ସୃଷ୍ଟି କରିବା ଉପରେ ଆଧାରିତ। ପ୍ରତ୍ୟେକ ଯୋଗାଯୋଗ ପ୍ରକଳ୍ପ (ସଡକ ଓ ରେଳପଥ ନିର୍ମାଣ) ଅନ୍ୟ ଦେଶର ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେବା ଆବଶ୍ୟକ ବୋଲି ମୋଦୀ କହିଛନ୍ତି। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଚାଲିଥିବା ସଂଘର୍ଷ (ଯେପରିକି ପଶ୍ଚିମ ଏସିଆ ସଙ୍କଟ) ଉପରେ ଚିନ୍ତା ପ୍ରକଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯୁଦ୍ଧକ୍ଷେତ୍ରରେ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ, ସମସ୍ତ ବିବାଦର ସମାଧାନ କେବଳ କୂଟନୀତି ଓ ଆଲୋଚନା ଦ୍ୱାରା ସମ୍ଭବ। ପାକିସ୍ତାନର ନାମ ନନେଇ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ସୀମାପାର ଆତଙ୍କବାଦ ଓ ଏହାକୁ ପ୍ରଶ୍ରୟ ଦେଉଥିବା ଦେଶଗୁଡ଼ିକୁ କଡା ସମାଲୋଚନା କରିଛନ୍ତି।

Comments are closed.