ଗଜପତି,୧.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲାଣ ହେଉଥିବା ଏକ ଶିଶୁକୁ ପାରଳାଖେମୁଣ୍ଡି ରେଳ ଷ୍ଟେସନରୁ ଉଦ୍ଧାର କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଶାସନ ପକ୍ଷରୁ ନିକଟ ଅତୀତରେ ହାଇଦରାବାଦ ଚାଲାଣ ହୋଇଥିବା ୭ ଜଣ ନାବାଳିକାଙ୍କୁ ପୋଲିସ ପ୍ରଶାସନ ଉଦ୍ଧାର କରି ଥଇଥାନ କରିଥିଲା ।ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାକୁ ଶିଶୁ ଚାଲାଣ ମୁକ୍ତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ୧୦୭ଟି ଗ୍ରାମରେ ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା ଓ ମଙ୍ଗଳ କମିଟିର ବୈଠକ ଆୟୋଜନ କରାଯାଇଛି। ଶିଶୁ ଚାଲାଣର ଆଶଙ୍କା ଥିବା ସ୍ଥାନ ତଥା ଜିଲ୍ଲାର ବିଭିନ୍ନ ପ୍ରବେଶ ଓ ପ୍ରସ୍ଥାନ ପଥ, ବସ୍ଷ୍ଟାଣ୍ଡ ଏବଂ ରେଳ ଷ୍ଟେସନ୍ଗୁଡ଼ିକରେ ଅଚାନକ ଯାଞ୍ଚ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗତକାଲି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ , ଶ୍ରମ ବିଭାଗ , ଶିଶୁ ସହାୟତା କେନ୍ଦ୍ର ଓ ପୋଲିସ ବିଭାଗର ମିଳିତ ଭାବେ ଯାନବାହାନ ଯାଞ୍ଚ ପ୍ରକିୟା ପାରଳାଖେମୁଣ୍ଡି ର ଫରେଷ୍ଟ ଗେଟ, ପୁରୁଣାପାଟଣା ରାସ୍ତା , ପାରଳାଖେମୁଣ୍ଡି ବସଷ୍ଟାଣ୍ଡ , ରାଣିପେଣ୍ଠ ଛକ ଓ ରେଲୱେ ଷ୍ଟେସନ ଆଦି ପରିଭ୍ରମଣ କରି ଯାଞ୍ଚ କରିବା ବେଳେ ରେଲୱେ ଷ୍ଟେସନରୁ ବିଶାଖାପାଟଣାକୁ ଚାଲାଣ ହେଉଥିବା ଏକ ୧୬ ବର୍ଷର ନାବାଳକକୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତି ନିକଟରେ ଉପସ୍ଥାପନ କରାଯାଇଛି। ଶିଶୁ କଲ୍ୟାଣ ସମିତି ଦ୍ବାରା ଉକ୍ତ ଶିଶୁଙ୍କୁ ଉତ୍କଳ ବାଳଶ୍ରମ ପାରଳାଖେମୁଣ୍ଡିରେ ଥଇଥାନ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।