ଗାଧୋଇବା ବେଳେ ନଈର ପ୍ରଖର ଶ୍ରୋତରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ
ପଟ୍ଟାମୁଣ୍ଡାଇ ୨୯/୮-ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଯାଇଛି। ବ୍ରାହ୍ମଣୀ ଶାଖା ନାଳରେ ଗାଧୋଇବା ସମୟରେ ପ୍ରଖର ଶ୍ରୋତରେ ବୁଡ଼ିଯାଇ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳିକା ଜଣକ ସ୍ଥାନୀୟ ତନୂପୁର ଗ୍ରାମର ସନ୍ତୋଷ ମଲିକ ଝିଅ ଅଞ୍ଜଳି (୧୩) ବୋଲି ଜଣାପଡିଛି I
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଶନିବାର ମଧ୍ୟାହ୍ନ ସମୟରେ ଅଞ୍ଜଳି ଘର ପାଖ ନାଳକୁ ଗାଧୋଇବା ପାଇଁ ଯାଇଥିଲେ। ତେବେ ସମ୍ପ୍ରତି ବନ୍ୟା ଯୋଗୁଁ ନଦୀରେ ପ୍ରଖର ଜଳସ୍ରୋତ ପ୍ରବାହିତ ହେଉଥିବା ସହ ଗଭୀର ଗଣ୍ଡ ସୃଷ୍ଟି ହୋଇଛି। ଗାଧୋଇବା ସମୟରେ ଅଞ୍ଜଳି ଅସାବଧାନତାବଶତଃ ଗଭୀର ପାଣିକୁ ଚାଲି ଯାଇ ଭାସି ଯାଇଥିଲେ। ଖବରପାଇ ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ମାତ୍ର ଅଗ୍ନିଶମ ବାହିନୀ ଠିକ୍ ସମୟରେ ଘଟଣାସ୍ଥଳରେ ପହଁଚି ନପାରିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଳମ୍ବ ନକରି ଗ୍ରାମର କେତେକ ସାହସୀ ଯୁବକ ନିଜ ଜୀବନକୁ ବାଜି ଲଗାଇ ଅଣ୍ଟାରେ ରସି ବାନ୍ଧି ନଦୀର ପ୍ରଖର ସ୍ରୋତ ମଧ୍ୟକୁ ଓହ୍ଲାଇଥିଲେ। କଠିନ ପରିଶ୍ରମ ପରେ ଯୁବକମାନେ ନାବାଳିକାଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ପରେ ଗ୍ରାମବାସୀ ଗୁରୁତର ଅବସ୍ଥାରେ ଅଞ୍ଜଳିଙ୍କୁ ତୁରନ୍ତ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଥିବା ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ତନୂପୁର ଗ୍ରାମ ସମେତ ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ରାଜନଗର ବିଧାୟକ ଧ୍ରୁବ ସାହୁ ଓ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ହସ୍ପିଟାଲ ଯାଇ ଶୋକ ସନ୍ତପ୍ତ ପରିବାର କୁ ଭେଟି ସମବେଦନା ଜ୍ଞାପନ କରିଥିଲେ I ପଟ୍ଟାମୁଣ୍ଡାଇ ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟେବଛେଦପାଇଁ ଆଳି ଡାକ୍ତରଖାନା ପଠାଇଛି ।
Comments are closed.