କାନପୁର : ଉତ୍ତର ପ୍ରଦେଶର କାନପୁରରେ ଘଟିଛି ଏକ ବଡ଼ ବିମାନ ଦୁର୍ଘଟଣା। ଗଙ୍ଗା ବ୍ୟାରେଜ୍ ନିକଟରେ ଏକ ଟ୍ରେନିଂ ଏୟାରକ୍ରାଫ୍ଟ କ୍ରାସ୍ ହୋଇଥିବା ବେଳେ ଏଥିରେ ଥିବା ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ, ଦୁଇ ଇଞ୍ଜିନ ବିଶିଷ୍ଟ ଏହି ତାଲିମ ବିମାନରେ ମୋଟ ଚାରିଟି ସିଟ୍ ଥିଲା। ଦୁର୍ଘଟଣା ପରେ ବିମାନଟି ଗଙ୍ଗା ବ୍ୟାରେଜ୍ ନିକଟ ଏକ ବିଲରେ ଖସି ପଡ଼ିଥିବା ଦେଖିବାକୁ ମିଳିଛି।
ଏହି ଦୁର୍ଘଟଣାରେ ଜଣେ ଟ୍ରେନି ପାଇଲଟ୍ ଏବଂ ଜଣେ ଇନଷ୍ଟ୍ରକ୍ଟର ପାଇଲଟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଠିକ୍ କେଉଁ ପରିସ୍ଥିତିରେ ବିମାନଟି କ୍ରାସ୍ ହେଲା, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।
ଖବର ପାଇବା ପରେ ପୁଲିସ ଏବଂ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣାସ୍ଥଳକୁ ସୁରକ୍ଷିତ କରାଯାଇ ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରାଯାଇଛି।
ବିମାନଟି କେଉଁଠାରୁ ଉଡ଼ାଣ ଭରିଥିଲା ଏବଂ ଦୁର୍ଘଟଣା ପୂର୍ବରୁ କୌଣସି ଯାନ୍ତ୍ରିକ ସମସ୍ୟା ହୋଇଥିଲା କି ନାହିଁ, ସେନେଇ ତଦନ୍ତ ପରେ ଅଧିକ ସୂଚନା ସାମ୍ନାକୁ ଆସିବ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।