ରାୟଗଡ଼ା : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ଖରଯୋଡ଼ା ଗାଁରେ ବଲାଙ୍ଗୀର ପୁଲିସର ବଡ ଧରଣର ଚଢାଉ କରିଛି। ବିଭିନ୍ନ ଜିଲ୍ଲାରେ ଘଟିଥିବା ଏକାଧିକ ଚୋରି ମାମଲାର ତଦନ୍ତ ବେଳେ ଏହି ଚଢ଼ାଉ କରି ବିପୁଳ ପରିମାଣର ସୁନା ଓ ରୁପା ସାମଗ୍ରୀ ଜବତ କରିଛି ପୁଲିସ।
ପ୍ରାଥମିକ ସୂଚନା ଅନୁସାରେ ଜବତ ସୁନା-ରୁପା ସାମଗ୍ରୀର ଓଜନ ୫ କିଲୋରୁ ଅଧିକ ହୋଇପାରେ। ତେବେ ସଠିକ୍ ଓଜନ ଓ ମୂଲ୍ୟ ସମ୍ପର୍କରେ ଆନୁଷ୍ଠାନିକ ସୂଚନା ମିଳିନାହିଁ। କଲ୍ୟାଣସିଂହପୁର ଥାନା ସିଙ୍ଗାରି ପଞ୍ଚାୟତ ଖରଯୋଡ଼ା ଗ୍ରାମର ୨ ଜଣଙ୍କୁ ପୂର୍ବରୁ ଅଟକ ରଖି ପଚାରଉଚରା ପରେ ଆଜି ସମ୍ପୃକ୍ତ ଘଟଣାକୁ ନେଇ କାଶୀପୁର ଥାନା ଗାଡିବାଲି ପଞ୍ଚାୟତ ପଣସଗୁଡା ହରିଶ୍ଚନ୍ଦ୍ର ନାଏକ ଓ ଅନ୍ୟ ଜଣଙ୍କ ପରିଚୟ ମିଳିନଥିବା ବେଳେ ଏହି ଘଟଣାକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ ନ କରି ଅନୁସନ୍ଧାନ ପରେ ତଥ୍ୟ ପ୍ରଦାନ କରାଯିବା ନେଇ ବଲାଙ୍ଗୀର ପୁଲିସ ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ ଓ ଆଇଆଇସି ଖଗପତି ବିଶ୍ୱାଳ ପକ୍ଷରୁ ସୂଚନା ମିଳିଛି। ଅନେକ ଚୋର ଫେରାର ଥିବା ମଧ୍ୟ ସୂଚନା ମିଳିଛି।
ବଲାଙ୍ଗୀର ଜିଲ୍ଲାରେ ଗତ କିଛି ମାସ ଧରି ଘଟିଥିବା ଚୋରି ଘଟଣାର ତଦନ୍ତ କରୁଥିବା ପୁଲିସ କାଶୀପୁର ବ୍ଲକ ଫଣସଗୁଡ଼ା ଗାଁ ସମେତ କଲ୍ୟାଣସିଂହପୁର ବ୍ଲକର ଖରଯୋଡ଼ା ଗାଁରେ ଚଢ଼ାଉ କରିଥିଲା। ବଲାଙ୍ଗୀର ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ ଓ ଆଇଆଇସି ଖଗପତି ବିଶ୍ୱାଳଙ୍କ ନେତୃତ୍ୱରେ ଟିମ୍ ଏହି ଚଢ଼ାଉ କରିଥିଲେ। ଫେରାର ସନ୍ଦିଗ୍ଧଙ୍କୁ ଧରିବା ପାଇଁ ତଲାସି ଓ ତଦନ୍ତ ଜୋରଦାର ଚାଲିଥିବା ଜଣାପଡ଼ିଛି। ସେମାନେ କାଶୀପୁର ବ୍ଲକର ପଣସ ଗୁଡା ଗ୍ରାମର ତିନି ଜଣ ବୋଲି ସୂଚନା ମିଳିଛି।