ପୁଣି ବଢୁଛି ବ୍ରାହ୍ମଣୀ : ଦୁର୍ବଳ ନଦୀ ବନ୍ଧରେ ଘାଇ ଆଶଙ୍କା ! ଲୋକମାନେ ଆତଙ୍କିତ
ପଟ୍ଟାମୁଣ୍ଡାଇ ୨୬/୮: ବ୍ରାହ୍ମଣୀ ଓ କାଣୀ ନଦୀରେ ୩ୟ ବନ୍ୟା ସାମାନ୍ୟ ହ୍ରାସ ପାଇବା ପରେ ବିପନ୍ନମାନେ ସାମାନ୍ୟ ଆଶ୍ୱସ୍ତ ହୋଇଥିଲେ Iବନ୍ୟା ଜଳ ପତ୍ତନ ଦିନକୁ ଦିନ ବଢୁଥିବାରୁ ଦୁର୍ବଳ ନଦୀ ବନ୍ଧରେ ଘାଇ ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି I ଘାଇ ହେବା ଚର୍ଚ୍ଚା ଚାଲିଥିବାରୁ ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି I କୁମ୍ଭୀର ଆତଙ୍କ ସାଙ୍ଗକୁ ଘାଇ ହେବା ଆତଙ୍କ ଲୋକମାନଙ୍କ ଚିନ୍ତା ବଢ଼ାଇ ଦେଇଛି I ଅଳଭା ଠାରେ ବନ୍ୟା ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି I ଯାହାଫଳରେ ପଟ୍ଟାମୁଣ୍ଡାଇ ଅଂଚଳର ବନ୍ୟା ସ୍ଥିତି ସଂଗୀନ ହୋଇପଡିଛି I ବାରମ୍ବାର ବନ୍ୟା ଆସିବା ଫଳରେ ବହୁ ନଦୀ ବନ୍ଧ ଦୁର୍ବଳ ହୋଇ ଘଳିଆ ପଡିବା ଆଶଙ୍କା ରହିଛି Iଚଳିତ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତ ଓ ପୌରାଞ୍ଚଳର ୧୧ଟି ୱାର୍ଡର ପ୍ରାୟ ୫୦ ହଜାରରୁ ଉର୍ଦ୍ଧ ଲୋକ ଓ ୧୫ହଜାର ଗୃହ ପାଳିତ ପଶୁ ଜଳବନ୍ଦୀ ହୋଇପଡିଛନ୍ତି I

ବନ୍ୟା ଯୋଗୁଁ ବ୍ଲକ ଓ ପୌରାଞ୍ଚଳର ୬୫ ହଜାର ଲୋକ ବିପନ୍ନ ହୋଇଛନ୍ତି Iପଟ୍ଟାମୁଣ୍ଡାଇ ବ୍ଲକର ସବୁଠାରୁ ଦୁର୍ଗମ ଅଂଚଳ ଭାବେ ପରିଚିତ ସିଂହଗାଁ ପଂଚାୟତ ବାହ୍ୟଜଗତରୁ ବିଛିନ୍ନ ହୋଇପଡିଥିବାବେଳେ ସିଂହଗାଁ ପଂଚାୟତର ସିଂହଗାଁ, କୃଷ୍ଣଦାସପୁର ରାଉଳିଆଡିଆ, ପାଣିସାଉଁଳିଆ ଆଦି ଅଂଚଳ ଜଳମଗ୍ନ ହୋଇ ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି I ଅଳପୁଆ ପଂଚାୟତ ଗୋଜିଆକଣ, ବିଲମଳିକସାହି, ବେହେରାସାହି, ମିଶ୍ରବାଗ, ସେଠୀସାହି, ଜେନାସାହି, ପାହାନ୍ତାସିଂହ ସାହି,ତରଡ଼ିପାଳ ପଂଚାୟତର ପୋଖରୀକୂଳ,ଗୋପାଳପୁର, ଜେନାସାହି, ବିଶ୍ୱାଳ ସାହି, ନାଥସାହି,ମଳିକସାହି ଘାଗରାଡିଆ ପେଣ୍ଠପାଳ ପଂଚାୟତର କୂଳସାହି, କୋଳଥିଆ,ବାଲିକିରା,ଦାଣ୍ଡିସାହି ଦାଣ୍ଡିସାହି,ଅଣ୍ଢରା ପଂଚାୟତର ବ୍ରହ୍ମପୁର,ବିଷ୍ଣୁପୁର, ବ୍ରାହ୍ମଣସାହି, ଦାଣ୍ଡିଉପର, ଅମୃତମଣୋହି ପଂଚାୟତର ନୂଆଡିଆ,ଜଗନ୍ନାଥ ପୁର, ଶାନ୍ତିପଡା, ସିଦ୍ଧବାଲି, ବଲୁରିଆ ପଂଚାୟତର ଫୁଲପାଟଣା ଆଦି ବହୁ ଗ୍ରାମ ଓ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇପଡିଛି I ବନ୍ୟା ପାଣି ସୁଅ ଛୁଟିବା ଫଳରେ ଧୋୟାଞ୍ଚଳର ବହୁ ପଂଚାୟତ ସହିତ ଯୋଗାଯୋଗ ବିଛିନ୍ନ ହୋଇଛି ଗତ ବର୍ଷ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳରେ କୁମ୍ଭୀର ଆକ୍ରମଣ ଘଟଣାରେ ଦୁଇ ଜଣ ଓ ଚଳିତବର୍ଷ ଜଣକ ମୃତ୍ୟୁ ଘଟିଥିବାରୁ ସମ୍ପ୍ରତି ବନ୍ୟା ବିପନ୍ନ ବିଭିନ୍ନ ଅଂଚଳରେ କୁମ୍ଭୀର ଦେଖାଯାଉଥିବା ଖବର ଜଣାପଡିବା ପରେ ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି I ଫଳରେ ଲୋକମାନେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି I ସେହିପରି ବନ୍ୟାଞ୍ଚଳର ଚାରିଆଡେ ସାପ ବୁଲୁ ଥିବାରୁ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି Iସୁବଳପୁର -ଗୋଜିଆକଣ ରାସ୍ତାରେ ବନ୍ୟାଜଳ ସୁଅ ଛୁଟୁଛି I ତରଡ଼ିପାଳ ପଂଚାୟତ ର ବିଭିନ୍ନ ଅଂଚଳ ବନ୍ୟାଜଳରେ ବୁଡି ରହିଛି I ଗୋପାଳସାହିରେ ସ୍ଥିତି ଅଧିକ ଖରାପ ହୋଇଛିI ଧୋୟା ଞ୍ଚଳର ୩ଟି ସ୍ୱାସ୍ଥ୍ୟକେନ୍ଦ୍ର ଅଣ୍ଢରା ଅଳପୁଆ ଓ ତୁଳସୀଡ଼ିଆ ସ୍ୱାସ୍ଥ୍ୟକେନ୍ଦ୍ର ବନ୍ୟା ଘେରରେ ଥିବାରୁ ସ୍ୱାସ୍ଥ୍ୟସେବା ବ୍ୟାହତ ହୋଇଛି I ବିଦ୍ୟୁତ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ ଅନେକ ସ୍ଥାନରେ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି I କିରୋସିନର ଉତ୍କଟ ଅଭାବ ଦେଖାଦେଇଛିI ଧୋୟା ଞ୍ଚଳର ବହୁ ସ୍କୁଲ କଲେଜରେ ବନ୍ୟା ପାଣି ପଶି ଶିକ୍ଷାଦାନ ଠପ ହୋଇଯାଇଛି I ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ଶ୍ରୀରାମପୁର, ଡାମରପୁର, ନୀଳକଣ୍ଠପୁର, ବାଲିପାଟଣା, ବାଛରା, ବଳଭଦ୍ରପୁର ଶାସନ ଆଦି ପଂଚାୟତର ବିଭିନ୍ନ ଅଂଚଳ ଓ ଚାଷଜମି ଜଳମଗ୍ନ ହୋଇପଡିଛି Iବନ୍ୟା ବିପନ୍ନ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ହଜାର ହଜାର ଏକର ଚାଷ ଜମି ବନ୍ୟାଜଳରେ ବୁଡି ରହିଥିବାରୁ ପନିପରିବା ସମେତ ବିଭିନ୍ନ ଫସଲହାନୀ ଘଟିଛିI ବନ୍ୟା ବିପନ୍ନଲୋକମାନେ ଜଳବନ୍ଦୀ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ ପାଇବାରୁ ବଂଚିତ ହୋଇଛନ୍ତି Iପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବାଲିପଡ଼ା, ତଳବାଲିପଡ଼ା, ବଳଦେବନଗର, ସିଦ୍ଧପାଟଣା, କଷଣଅଣ୍ଟା, ନୂଆଗାଁ, କାକୁଡିପଲ୍ଲୀ, ତନୁପୁର, ନନ୍ଦିନୀନଗର, ଷଣ୍ଢପଲ୍ଲୀ, ଅଳଭା ଆଦି ବିଭିନ୍ନ ଗ୍ରାମ ଓ ୧୧ଟି ୱାର୍ଡ ଜଳମଗ୍ନ ହୋଇପଡିବା ସହିତ ଶହ ଶହ ଏକର ଚାଷଜମି ମଧ୍ୟ ବୁଡି ରହିଛି Iବନ୍ୟା ପାଣିରେ ବୁଡି ରହି ପନିପରିବା ସମେତ ବିଭିନ୍ନ ଫସଲ ନଷ୍ଟ ହୋଇଛି I.ବ୍ରାହ୍ମଣୀ ବନ୍ୟା ପାଣି ପଟ୍ଟାମୁଣ୍ଡାଇ ସହର ମଧ୍ୟରେ ପ୍ରବେଶ କରିଛି I ପଟ୍ଟାମୁଣ୍ଡାଇ ସହରର ମହାବୀର ବଜାରର ବହୁ ଦୋକାନ ଘରେ ବନ୍ୟା ପାଣି ପଶି ଦୋକାନ ସାମଗ୍ରୀ ନଷ୍ଟ ହେବା ସହିତ ଯାତାୟାତ ବାଧା ପ୍ରାପ୍ତ ହୋଇଛି I ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ବହୁ ସ୍କୁଲ ପାଣି ଘେରରେ ଥିବାରୁ ଶିକ୍ଷା ଦାନ ଠପ ହୋଇଯାଇଛି Iବନ୍ୟା ସ୍ଥିତି ଗମ୍ଭୀର ହୋଇ ଥିବାରୁ ଦୁର୍ବଳ ନଦୀବନ୍ଧ କ୍ଷତିଗ୍ରସ୍ତ ହୋଇ ଘାଇ ସୃଷ୍ଟି ହେବା ଆଶଙ୍କା ଥିବାରୁ ଲୋକମାନେ ଦିବାରାତ୍ର ସଜାଗ ହୋଇ ରହିଛନ୍ତି I ବ୍ରାହ୍ମଣୀ ନଦୀରେ ୩ଥର ବନ୍ୟା ଆସିବା ପରେ ୪ର୍ଥ ଥର ବନ୍ୟା ଆସିବା ଫଳରେ ବିପନ୍ନ ଲୋକ, ଗରିବ ଖଟିଖିଆ ଓ ଚାଷୀଙ୍କ ଦୁର୍ଦଶା ବଢ଼ି ଯାଇଛି Iପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତର ୫୦ ହଜାରରୁ ଉର୍ଦ୍ଧ ଲୋକ ଓ ପୌରାଞ୍ଚଳର ୧୧ଟି ୱାର୍ଡର ୧୧ହଜାର ଲୋକ ବନ୍ୟା ଜଳ ଘେରରେ ରହିଛନ୍ତି I ପ୍ରାୟ ୧୫ ହଜାରରୁ ଉର୍ଦ୍ଧ ଗୃହପାଳିତ ପଶୁ ଗୋ ଖାଦ୍ୟ ପାଇଁ ଡହଳ ବିକଳ ହେଉଛନ୍ତି I ରାସ୍ତାଘାଟ ବୁଡି ଯାଇଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ପରିଲକ୍ଷିତ ହେଉଛି I ସମ୍ପ୍ରତି ବନ୍ୟା ସ୍ଥିତି ଗମ୍ଭୀର ହେବାକୁ ଯାଇଥିବାରୁ ଲୋକମାନେ ଭୟ ଭୀତ ଅଛନ୍ତି I ବନ୍ୟା ଯୋଗୁଁ ପରିବେଶ ଦୂଷିତ ହୋଇ ଚାରିଆଡେ ଝାଡା ବାନ୍ତି, ଥଣ୍ଡା, ଜ୍ୱର ଲାଗି ରହିଛିI I ବନ୍ୟା ଜଳ ବୃଦ୍ଧି ପାଉଥିବାରୁ ଘାଇ ଆଶଙ୍କାରେ ଲୋକମାନେ ଦିନରାତି ସଜାଗ ଅଛନ୍ତି I