ନବରଙ୍ଗପୁର (ଶେଖର ଖୁରା): ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ଅନ୍ତର୍ଗତ ବରଡ଼ା ଯୋଡ଼ି ଗାଁକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ନଥିବାରୁ ଗ୍ରାମବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିକାଶର ଯୁଗରେ ମଧ୍ୟ ଏହି ଗାଁର ଲୋକେ ମୌଳିକ ଯାତାୟାତ ସୁବିଧାରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି।
ଗତକାଲି ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ରାସ୍ତା ନଥିବାରୁ ଗାଁ ଭିତରକୁ ଆମ୍ବୁଲାନ୍ସ ଯାଇପାରିନଥିଲା। ଫଳରେ ଜଣେ ଗର୍ଭବତୀ ମହିଳାଙ୍କୁ ପରିବାର ଓ ସମ୍ପର୍କୀୟମାନେ ଖଟିଆରେ ବୋହି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ନେଇଥିଲେ।
ସବୁଠାରୁ ଚିନ୍ତାଜନକ ଘଟଣା ହେଉଛି, ହସ୍ପିଟାଲ ଯିବା ବାଟରେ ମହିଳାଙ୍କର ପ୍ରସବ ହୋଇ ଶିଶୁ ଜନ୍ମ ନେଇଥିବା ଜଣାପଡ଼ିଛି। ରାସ୍ତା ଅଭାବରୁ ଜଣେ ଗର୍ଭବତୀ ମହିଳାଙ୍କୁ ଏଭଳି ଭାବେ ଖଟିଆରେ ବୋହି ନେବା ଘଟଣା ଅଞ୍ଚଳର ମୌଳିକ ସ୍ୱାସ୍ଥ୍ୟ ଓ ଯୋଗାଯୋଗ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ଉଠାଇଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବର୍ଷ ବର୍ଷ ଧରି ରାସ୍ତା ନିର୍ମାଣ ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ। ଜରୁରୀ ସମୟରେ ଆମ୍ବୁଲାନ୍ସ ଗାଁକୁ ପହଞ୍ଚି ନପାରିବା ଯୋଗୁଁ ଲୋକଙ୍କ ଜୀବନ ମଧ୍ୟ ବିପଦରେ ପଡ଼ୁଛି।
ତେଣୁ ଗ୍ରାମବାସୀ ତୁରନ୍ତ ବରଡ଼ା ଯୋଡ଼ି ଗାଁକୁ ସର୍ବକାଳୀନ ରାସ୍ତା ନିର୍ମାଣ କରିବା ସହ ଜରୁରୀକାଳୀନ ଯାତାୟାତ ସୁବିଧା ସୁନିଶ୍ଚିତ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି।
ରାସ୍ତା ନଥିଲେ ବିକାଶ କେତେ ଦୂର? — ବରଡ଼ା ଯୋଡ଼ି ଘଟଣା ଏହି ପ୍ରଶ୍ନ ଉଠାଇଛି। ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର l