ଖଡ଼ିଆଳ ବନଖଣ୍ଡର ବଡ ସଫଳତା: ୭ କେଜି ବଜ୍ରକପ୍ତା ଉଦ୍ଧାର, ୩ ଚୋରା ଚାଲାଣକାରୀ ଗିରଫ

0

ନୂଆପଡ଼ା: ଖଡ଼ିଆଳ ବନଖଣ୍ଡ ବିଭାଗକୁ ମିଳିଛି ବଡ଼ ସଫଳତା। ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୭.୦୯୮ କେଜି ବଜ୍ରକାପ୍ତା ଛାଲ ଜବତ କରାଯିବା ସହ ଚୋରା ଚାଲାଣରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ଖଡ଼ିଆଳ ରେଞ୍ଜ ଅନ୍ତର୍ଗତ ପଲମା-ଝରନାଲା ସରକାରୀ ପମ୍ପ ହାଉସ ନିକଟରେ ଚଢ଼ାଉ କରି ବନ ବିଭାଗ ଏହି ସାମଗ୍ରୀ ଜବତ କରିଛି।ଗିରଫ ଅଭିଯୁକ୍ତମାନେ ହେଲେ ରାଣୀମୁଣ୍ଡାର ବାଲକୃଷ୍ଣ ହାତୀ (୩୦), ସୋନୁ ହାତୀ (୪୦) ଏବଂ ଛତିଶଗଡ଼ ଗରିଆବନ୍ଦ ଜିଲ୍ଲା ପିଠାପଡ଼ାର ରୋଶନ ଠାକୁର (୩୧)। ଅଭିଯୋଗ ଅନୁସାରେ, ତିନିଜଣ ମିଳିମିଶି ଓଡ଼ିଶା-ଛତିଶଗଡ଼ ସୀମାରେ ବଜ୍ରକାପ୍ତା ଚୋରା ଚାଲାଣ କରୁଥିଲେ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଫରେଷ୍ଟର ରାଜେଶ ହରିଜନଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ପଲମା-ଝରନାଲା ପମ୍ପ ହାଉସ ନିକଟରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଅଭିଯୁକ୍ତମାନଙ୍କୁ କାବୁ କରିବା ସହ ବଜ୍ରକାପ୍ତାର ଛାଲ ଜବତ କରାଯାଇଥିଲା। ଜବତ ହୋଇଥିବା ବଜ୍ରକାପ୍ତା ଛାଲର ଓଜନ ୭.୦୯୮ କେଜି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ଆନ୍ତର୍ଜାତିକ କଳାବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।ଗିରଫ ପରେ ତିନି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଏହି ଚୋରାଚାଲାଣ କାରବାରରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.