ଭୁବନେଶ୍ୱର: କନ୍ଦାଉଛି ପିଆଜ, ଡରାଉଛି ଚିନି। ମିଠା ଚିନିକୁ କିଣିବାକୁ ଖାଉଟିଙ୍କୁ ଲାଗୁଛି ପିତା। କାରଣ ଏଇ କିଛି ଦିନ ଭିତରେ ଚିନିର ଦର ଆକାଶଛୁଆଁ। ମାସେ ତଳେ ରାଜ୍ୟର ଖୋଲା ବଜାରରେ ରୋଷେଇ ଘରର ଏ ଅନ୍ୟତ୍ୟମ ଅତ୍ୟାବଶ୍ୟକ ସାମଗ୍ରୀର କିଲୋ ପ୍ରତି ଦର ଥିଲା ୪୦ରୁ ୪୫ ଟଙ୍କା। କିନ୍ତୁ ଏବେ କିଲୋ କେଉଁଠି ୬୦ ତ କେଉଁଠି ୬୪ ଆଉ କେଉଁଠି ୭୦ ଟଙ୍କା ଛୁଇଁଲାଣି। ଫଳରେ ଖାଲି ଗରିବ କି ମଧ୍ୟବିତ୍ତ ପରିବାରର ଗୃହିଣୀ ନୁହେଁ, ବରଂ ସବୁ ବର୍ଗର ଗ୍ରାହକଙ୍କ ବଜେଟକୁ ବାଧୁଛି।
ଏପଟେ ଚା ପାଇଁ ଚିନି, ଜଳଖିଆ ପ୍ରସ୍ତୁତି ପଛରେ ଚିନି। ମିଠା ସାମଗ୍ରୀ ମୁଖ୍ୟ ଉପାଦାନ ଆଉ ଅନ୍ୟ ରୋଷେଇ ପାଇ ଅତ୍ୟାବଶ୍ୟକ ପଦାର୍ଥ। ତେଣୁ ହଠାତ୍ ଏ ଦର ବୃଦ୍ଧି ପରେ ଚିନିକୁ ନେଇ ଖାଦ୍ୟ ପ୍ରସ୍ତୁତ କରୁଥିବା ବ୍ୟବସାୟୀ ବି ଏବେ ଅକଳରେ। ବିଶେଷକରି ଛୋଟ ଛୋଟ ଚା ଦୋକାନୀ ଓ ଜଳଖିଆ ଦୋକାନୀଙ୍କୁ ଚିନିର ଚଢା ଦର ଭାରି ପଡ଼ିଛି। ଏପଟେ ଆଗକୁ ରାକ୍ଷୀ ପୂର୍ଣ୍ଣିମା ଆସୁଥିବାରୁ ଚିନି ଦର ପୂରା ମିଠା ବଜାରକୁ ବି ପ୍ରଭାବିତ କରିବାର ଆଶଙ୍କା ବଢିଛି।
ଗତ ଜୁଲାଇ ଶେଷ ସପ୍ତାହରେ ଚିନି କୁଇଣ୍ଟାଲ ପିଛା ରେଟ୍ ଥିଲା ୪ ହଜାର ୨ ଶହ ଟଙ୍କା। ଏବେ କିନ୍ତୁ କୁଇଣ୍ଟାଲ ପିଛା ହୋଲସେଲ ଦର ୬ ହଜାର ୩ ଶହ ଟଙ୍କାରେ ପହଞ୍ଚିଛି। ସେପଟେ ଓଡ଼ିଶାରେ ଚିନିର ଚାହିଦା ଅମଳ ନାହିଁ। ଚାହିଦାର ମାତ୍ର ୨ ପ୍ରତିଶତରୁ କମ୍ ଅମଳ ହେଉଥିବାରୁ ଓଡିଶାକୁ କର୍ଣ୍ଣାଟକ ଓ ମହାରାଷ୍ଟ୍ର ବଜାର ଉପରେ ନିର୍ଭର କରିବାକୁ ପଡୁଛି। ଏପଟେ ଆଉ ଏକ ଚର୍ଚ୍ଚା ଯେ, ପେଟ୍ରୋଲରେ ଇଥାନଲ୍ ମିଶାଯିବା ପରେ ଇଥାନଲ୍ ର ମୁଖ୍ୟ ଉପାଦାନ ଆଖୁର ଚାହିଦା ବଢ଼ିଯିବା ଯୋଗୁଁ ଏହା ଚିନିର ଉତ୍ପାଦନ ତଥା ଦରକୁ ପ୍ରଭାବିତ କରୁଥିବା ବିଶେଷଜ୍ଞ କହିଛନ୍ତି।