ବଲାଙ୍ଗିର: ବଲାଙ୍ଗିରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ଅପହରଣ ଘଟଣାରେ ଦିନକୁ ଦିନ ନୂଆଁ ନୂଆଁ ତଥ୍ୟ ସାମ୍ନାକୁ ଆସୁଛି । ଅପହରଣରେ ସମ୍ପୃକ୍ତି ଅଭିଯୋଗରେ ବଲାଙ୍ଗିର ପୁଲିସ ସୋମବାର ଭୁବନେଶ୍ବର ରିଜର୍ଭ ପୁଲିସରେ କାର୍ଯ୍ୟରତ କ୍ଷିତିଶଙ୍କ ଭଉଣୀ ମହିଳା ପୁଲିସ ଏସ୍ଆଇ ସ୍ନେହାଞ୍ଜଳି ସାହୁ ଓ ଭୁବନେଶ୍ବରର ସାମ୍ବାଦିକ ସଞ୍ଜୟ ଜେନାଙ୍କୁ ଗିରଫ କରିଛି । ଏହା ସହ ଗତକାଲି ମୁଖ୍ୟ ଅଭିଯୁକ୍ତ କ୍ଷିତିଶ ସାହୁ ଓ ସହଯୋଗୀ ବଲାଙ୍ଗିର ତୁଳସୀନଗରପଡ଼ାର ସଞ୍ଜିତ ବେହେରାଙ୍କୁ ପୁଲିସ ଗିରଫ କରିଥିଲା । ଅପହରଣ ଘଟଣାରେ ୧୦ଜଣ ଦୁର୍ବୃତ୍ତଙ୍କ ସମ୍ପୃକ୍ତି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗିରଫ ସଂଖ୍ୟା ୪ରେ ପହଞ୍ଚିଛି । ଅନ୍ୟ ୬ଜଣ ଦୁର୍ବୃତ୍ତ ଫେରାର ରହିଥିବା ଜଣାପଡ଼ିଛି ।
ଅପହରଣକାରୀ ଗୁଣ୍ଡାଙ୍କୁ ଭୁବନେଶ୍ବର ଖଣ୍ଡଗିରି ଛକ ସ୍ଥିତ ସନରାଇଜ ଲଜ୍ରେ ମୁଣ୍ଡଜାମିନ ରଖିଥିଲେ । ଅପହୃତଙ୍କୁ ୧୦ କୋଟି ଟଙ୍କା ଦେବାକୁ ଦାବି କରିଥିଲେ । ଏତେ ପରିମାଣର ଟଙ୍କା ଦେବାପାଇଁ ଗୁଣ୍ଡା ଅକ୍ଷମତା ପ୍ରକାଶ କଲା ପରେ ଦୁର୍ବୃତ୍ତମାନେ ୨ କୋଟି ଟଙ୍କା ଦେବାକୁ କହିଥିଲେ । ତାଙ୍କ ଆକାଉଣ୍ଟରେ ୫୦ ଲକ୍ଷ ଟଙ୍କା ରହିଛି । ସୋମବାର ବ୍ୟାଙ୍କରୁ ୫୦ ଲକ୍ଷ ଟଙ୍କା ଉଠାଇ ସେ ଦେଇପାରିବେ ବୋଲି ଗୁଣ୍ଡା ଦୁର୍ବୃତ୍ତଙ୍କୁ କହିଥିଲେ । ପରେ ଦୁର୍ବୃତ୍ତମାନେ ତାଙ୍କ ହାତରେ ଗୁଳି ନ ଥିବା ବନ୍ଧୁକ ଧରାଇ ଫଟୋ, ଭିଡିଓ ଉଠାଇ ଗୁଣ୍ଡାଙ୍କୁ ଅଭିଯୁକ୍ତ ସଜାଇଥିଲେ । ଗତ ୧୫ ଅପରାହ୍ଣରେ ଗୁଣ୍ଡାଙ୍କୁ ନିକଟସ୍ଥ ଖଣ୍ଡଗିରି ଥାନାକୁ ନେଇଥିଲେ । କ୍ଷିତିଶଙ୍କ ଠାରୁ ସେ ପୂର୍ବରୁ ନେଇଥିବା ୫୦ ଲକ୍ଷ ଧାର ଟଙ୍କା ଫେରାଉ ନ ଥିବା ନେଇ କ୍ଷିତିଶ ଥାନାରେ ଅଭିଯୋଗ କରିଥିଲେ । ସୋମବାର ସେ ୫୦ ଲକ୍ଷ ଟଙ୍କା ଫେରାଇବାକୁ ରାଜି ହୋଇଛନ୍ତି । ଯଦି ଟଙ୍କା ଫେରସ୍ତ ନ କରନ୍ତି ତା’ହେଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି କ୍ଷିତିଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନାରେ ଉପସ୍ଥିତ ସାମ୍ବାଦିକ ସଞ୍ଜୟ କୁମାର ଜେନା ନିଜକୁ ପୁଲିସ ଏସ୍ଆଇ ଭାବେ ଗୁଣ୍ଡାଙ୍କୁ ପରିଚୟ ଦେଇ ୫୦ ଲକ୍ଷ ଟଙ୍କା ଫେରସ୍ତ କରିବା ନେଇ ଲେଖାଇ ନେଇଥିଲେ ।
କ୍ଷିତିଶଙ୍କ ପୁଲିସ ଏସ୍ଆଇ ଭଉଣୀ ସ୍ନେହାଞ୍ଜଳି ଥାନାରେ ରହି କ୍ଷିତିଶ ଓ ସଞ୍ଜୟଙ୍କ ସହ ବାରମ୍ବାର ଆଲୋଚନା କରୁଥିଲେ । ବଲାଙ୍ଗିର ଜିଲା ପୁଇଁନ୍ତଲା ପୁଲିସ ଶନିବାର ରାତିରେ ବଲାଙ୍ଗିର ଅଭିମୁଖେ ଆସୁଥିବା ମହିଳା ପୁଲିସ ଏସ୍ଆଇ ସ୍ନେହାଞ୍ଜଳିଙ୍କୁ ବଲାଙ୍ଗିର-ସୋନପୁର ରାସ୍ତା ଟୋଲ ପ୍ଲାଜା ନିକଟରୁ ଉଠାଇ ଆଣି ଅଟକ ରଖିଥିଲା । ବଲାଙ୍ଗିର ଏସ୍ପି ଅଭିଳାଷ ଜୀ ନିଜେ ସ୍ନେହାଞ୍ଜଳିଙ୍କୁ ଜେରା କରିଥିଲେ । ସ୍ନେହାଞ୍ଜଳି ଅପହରଣ ଘଟଣାରେ ସମ୍ପୃକ୍ତି ଥିବା ନେଇ ପ୍ରମାଣ ମିଳିବା ପରେ ପୁଲିସ ସୋମବାର ସ୍ନେହାଞ୍ଜଳିଙ୍କୁ ଗିରଫ କରିଛି । ଏହା ସହ ସାମ୍ବାଦିକ ସଞ୍ଜୟ ଜେନାଙ୍କୁ ମଧ୍ୟ ଗିରଫ କରାଯାଇଥିବା ବଲାଙ୍ଗିର ଏସ୍ପି ସୂଚନା ଦେଇଛନ୍ତି । ଅପରାହ୍ଣରେ ଗିରଫ ୪ଜଣ ଅଭିଯୁକ୍ତ କ୍ଷିତିଶ ସାହୁ, ସଞ୍ଜିତ ବେହେରା, ସ୍ନେହାଞ୍ଜଳି ସାହୁ ଓ ସଞ୍ଜୟ ଜେନାଙ୍କୁ ପୁଇଁନ୍ତଲା ପୁଲିସ ବଲାଙ୍ଗିର କୋର୍ଟରେ ହାଜର କରିଛି । ଜାମିନ ନାମଞ୍ଜରୁ ହେବାରୁ ସମସ୍ତଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ହନୁମାନ ମୁଦ୍ରା ପାଇଁ ଦେଇଥିବା ୨.୭୦ କୋଟି ଟଙ୍କା ଅପହରଣପଛର କାରଣ ବୋଲି ମୁଖ୍ୟ ଅଭିଯୁକ୍ତ କ୍ଷିତିଶ ଗତକାଲି ପୁଲିସକୁ ସୂଚନା ଦେଇଥିଲେ । ଅନ୍ୟପଟେ, ତାଙ୍କ ପୁଲିସ ଏସ୍ଆଇ ଭଉଣୀ ଓ ସାମ୍ବାଦିକ ଷଡ଼ଯନ୍ତ୍ରରେ ସାମିଲ ହୋଇ ପ୍ରମାଣ ନଷ୍ଟ ଓ ତଦନ୍ତ ବାଟବଣା କରିବାକୁ ଉଦ୍ୟମ କରିଥିବା ନେଇ ଜଣାପଡ଼ିଥିବା ବଲାଙ୍ଗିର ଏସ୍ପି ପ୍ରକାଶ କରିଛନ୍ତି । ବଲାଙ୍ଗିରର ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ଘଟଣା ରହସ୍ୟ ଉନ୍ମୋଚିତ କରିଛି । ଟଙ୍କା ଅସୁଲି ହିଁ ଅପହରଣ ପଛର ମୁଖ୍ୟ କାରଣ ବୋଲି ଜଣାପଡ଼ିଥିବା ଏସ୍ପି କହିଛନ୍ତି । ଅପହରଣ ଘଟଣାରେ ସମ୍ପୃକ୍ତ ଅନ୍ୟ ୬ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଏସ୍ପି ଶ୍ରୀ ଜୀ କହିଛନ୍ତି ।