ବାଲେଶ୍ୱର, ୧୮/୦୮ (କୃଷ୍ଣ କୁମାର ମହାନ୍ତି): ସମକାଳୀନ ସାହିତ୍ୟ ଜଗତରେ ଏକ ନୂଆ ସାହିତ୍ୟିକ ସ୍ପନ୍ଦନ ନେଇ ଭୁବନେଶ୍ୱରରୁ ପ୍ରକାଶ ପାଇଛି ନୂଆ ତ୍ରିଭାଷୀ ସାହିତ୍ୟ ପତ୍ରିକା ‘ବାକୃତି’ ବା ‘VAKKRITI’। ନୂଆ ପ୍ରତିଭା, ନୂଆ ଅଭିବ୍ୟକ୍ତି ଓ ନୂଆ ସାହିତ୍ୟିକ ସ୍ୱରକୁ ଏକ ନୂତନ ମଞ୍ଚ ଦେବାର ପ୍ରତିଶ୍ରୁତି ନେଇ ପତ୍ରିକାଟିର ଆତ୍ମପ୍ରକାଶ ହୋଇଛି। ଏହାର ପ୍ରତିଷ୍ଠାତା-ସମ୍ପାଦିକା ଅମୃତା ଦାଶଙ୍କ ପ୍ରୟାସରେ ପତ୍ରିକାଟି ପ୍ରକାଶିତ ହୋଇଛି।
ଅଗଷ୍ଟ ୨୦୨୬ର ପ୍ରଥମ ସଂଖ୍ୟା (Edition-I)ରେ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ କବିତା, ଗଳ୍ପ, ଗଦ୍ୟ ଓ ନନ୍ ଫିକସନ୍ ରଚନା ସ୍ଥାନ ପାଇଛି। ଭାଷାର ବିବିଧତା ସହିତ ଭିନ୍ନ ଭିନ୍ନ ସାହିତ୍ୟିକ ଅନୁଭବ ଓ ଅଭିବ୍ୟକ୍ତିକୁ ଏକାଠି କରିବା ଏହି ସଂଖ୍ୟାର ଏକ ପ୍ରମୁଖ ବିଶେଷତ୍ୱ।
ପତ୍ରିକାର ପ୍ରଚ୍ଛଦ ପୃଷ୍ଠାରେ ‘ଅଭିବ୍ୟକ୍ତି, ବିବର୍ତ୍ତନ, ପ୍ରତିଧ୍ଵନି’ର ବାର୍ତ୍ତା ସହିତ ବିଶ୍ଵାୟନ, ସଂସ୍କୃତି ଅନାବରଣ ଓ ଭାରତୀୟ ସାହିତ୍ୟର ମୂଲ୍ୟାଙ୍କନ ଭଳି ବିଷୟକୁ ଏଥିରେ ପ୍ରମୁଖତା ଦିଆଯାଇଛି। ଏଥିରେ ଅନୁବାଦ କବିତାକୁ ମଧ୍ୟ ସ୍ଥାନ ମିଳିଛି। ଭାରତୀୟ ସାହିତ୍ୟର ଶାସ୍ତ୍ରୀୟ ମୂଳ ଓ ସମକାଳୀନ ରୂପକୁ ବିଭିନ୍ନ ଭାଷାରେ ଅନୁସନ୍ଧାନ କରିବା ସହ ଓଡ଼ିଶାର ଉପକୂଳୀୟ ସଂସ୍କୃତି ଓ ପ୍ରାଚୀନ ପୁରାଣକୁ ଆଧୁନିକ ରୂପ ସହ ଯୋଡ଼ିବାର ପ୍ରୟାସ ମଧ୍ୟ ମୁଖପୃଷ୍ଠାରୁ ସ୍ପଷ୍ଟ ହୋଇଛି।
ଏଭଳି ଆହ୍ୱାନକୁ ଆଧାର କରି VAKKRITI ନୂଆ ସ୍ୱର, ନୂଆ ସୃଜନଶୀଳତା ଓ ବହୁଭାଷୀ ସାହିତ୍ୟିକ ଦୃଷ୍ଟିକୋଣକୁ ନେଇ ଏକ ଆଶାଜନକ ଆରମ୍ଭ କରିଛି।