ଆଜିଠୁ ହକି ବିଶ୍ବକପ : ପୁରୁଷରେ ୱେଲ୍‌ସକୁ ଭେଟିବ ଭାରତ

0

ୱାଭ୍‌ରେ(ବେଲଜିୟମ) : ଏଫ୍‌ଆଇଏଚ୍‌ ପୁରୁଷ ଓ ମହିଳା ହକି ବିଶ୍ବକପ-୨୦୨୬ ନେଦରଲାଣ୍ଡ୍‌ସ ଓ ବେଲଜିୟମରେ ଚଳିତ ଅଗଷ୍ଟ ୧୫ରୁ ୩୦ ପର୍ଯ୍ୟନ୍ତ ଖେଳାଯିବ। ପ୍ରଥମ ଥର ପାଇଁ ଏକ ସଙ୍ଗରେ ପୁରୁଷ ଓ ମହିଳା ହକି ବିଶ୍ବକପ ଆୟୋଜିତ ହେଉଛି। ନୂଆ ଫର୍ମାଟରେ ଆୟୋଜିତ ଉକ୍ତ ବିଶ୍ବକପର ମ୍ୟାଚ ଗୁଡ଼ିକ ୱାଭ୍‌ରେ ଓ ଆମଷ୍ଟଲଭିନରେ ଖେଳାଯିବ। ପୁରୁଷ ବିଭାଗରେ ମୋଟ୍‌ ୧୬ଟି ଦଳ ଅଂଶଗ୍ରହଣ କରିଛନ୍ତି। ଦଳ ଗୁଡ଼ିକୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଗ୍ରୁପ-ଏ ରେ ନେଦରଲାଣ୍ଡ୍‌ସ, ନ୍ୟୁଜିଲାଣ୍ଡ, ଜାପାନ ଓ ଆର୍ଜେଣ୍ଟିନା ରହିଥିବାବେଳେ ଗ୍ରୁପ-ବିରେ ବେଲଜିୟମ, ଫ୍ରାନ୍‌ସ, ଜର୍ମାନୀ ମାଲେସିଅା, ଗ୍ରୁପ-ସି ରେ ଅଷ୍ଟ୍ରେଲିଆ, ସ୍ପେନ, ଆୟରଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଗ୍ରୁପ-ଡି ରେ ଇଂଲଣ୍ଡ, ଭାରତ, ପାକିସ୍ତାନ ଓ ୱେଲ୍‌ସ ରହିଛନ୍ତି। ପ୍ରତି ଗ୍ରୁପର ଦୁଇଟି ଲେଖାଏଁ ଦଳ ଦ୍ବିତୀୟ ରାଉଣ୍ଡକୁ ଉନ୍ନୀତ ହେବେ। ୪ଟି ଗ୍ରୁପର ୮ଟି ଦଳକୁ ନେଇ ଦ୍ବିତୀୟ ରାଉଣ୍ଡ ମ୍ୟାଚ ଖେଳାଯିବ। ୮ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ। ଦ୍ବିତୀୟ ରାଉଣ୍ଡ ମ୍ୟାଚ ଅଗଷ୍ଟ ୨୨ରୁ ୨୪ ପର୍ଯ୍ୟନ୍ତ ଖେଳାଯିବ। ଦୁଇ ଗ୍ରୁପର ଶ୍ରେଷ୍ଠ ୪ଟି ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ଅଗଷ୍ଟ ୨୮ରେ ସେମିଫାଇନାଲା ଓ ୩୦ରେ ଫାଇନାଲ ୱାଭ୍‌ରେ ଷ୍ଟାଡ଼ିୟମରେ ଖେଳାଯିବ। ୧୫ରେ ଗ୍ରୁପ-ବି ର ଦୁଇଟି ମ୍ୟାଚ ଜର୍ମାନୀ-ମାଲେସିଆକୁ ଓ ବେଲଜିୟମ-ଫ୍ରାନ୍‌ସକୁ ଭେଟିବ। ଗ୍ରୁପ-ଡି ମ୍ୟାଚରେ ଭାରତ-ୱେଲ୍‌ସକୁ ଓ ଇଂଲଣ୍ଡ-ପାକିସ୍ତାନକୁ ଭେଟିବ। ଭାରତ ଓ ୱେଲ୍‌ସ ମ୍ୟାଚ ନେଦରଲାଣ୍ଡ୍‌ସର ଆମଷ୍ଟଲଭିନରେ ଖେଳାଯିବ। ହରମନପ୍ରୀତ ସିଂହଙ୍କ ନେତୃତ୍ବାଧିନ ଭାରତୀୟ ଦଳ ପୁରୁଣା ଲକ୍ଷ୍ୟ ଓ ନୂଆ ଆଶା ନେଇ ପଡ଼ିଆକୁ ଓହ୍ଲାଇବ। କ୍ରେଗ ଫୁଲଟନଙ୍କ ପ୍ରଶିକ୍ଷଣପ୍ରାପ୍ତ ଭାରତୀୟ ଦଳରେ ବରିଷ୍ଠ ଓ ଯୁବ ଖେଳାଳିଙ୍କ ସମିଶ୍ରଣ ରହିଛି। ଦଳରେ ମୋହିତ ଏଚ୍‌ ଏସ୍ ଓ ସୂରଜ କେରକେରାଙ୍କ ଭଳି ଗୋଲରକ୍ଷକ ସହ ରକ୍ଷଣାଭାଗରେ ଜର୍ମାନପ୍ରୀତ ସିଂହ, ହରମନପ୍ରୀତ ସିଂହ, ଅମିତ ରୋହିଦାସ, ମିଡ୍‌ଫିଲଡର ଭାବେ ରାଜିନ୍ଦର ସିଂହ, ହାର୍ଦିକ ସିଂହ, ମନପ୍ରୀତ ସିଂହ, ବିବେକ ସାଗର ପ୍ରସାଦ ଓ ଫରୱାର୍ଡରେ ଦିଲପ୍ରୀତ ସିଂହ, ଶୀଳାନନ୍ଦ ଲାକ୍ରା, ସୁଖଜିତ ସିଂହ, ମନଦୀପ୍‌ ସିଂହ ରହିଛନ୍ତି। ଦଳ ୱେଲ୍‌ସ ବିପକ୍ଷରେ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଭାରତ ଓ ୱେଲ୍‌ସ ମ୍ୟାଚ ଅପରାହ୍ଣ ୪ଟା୩୦ରେ ଖେଳାଯିବ।
ଭାରତ ପ୍ରଥମ ସଂସ୍କରଣ ୧୯୭୧ରେ କାଂସ୍ୟ, ୧୯୭୩ ଦ୍ବିତୀୟ ସଂସ୍କରଣରେ ରୌପ୍ୟ ଓ ୧୯୭୫ ତୃତୀୟ ସଂସ୍କରଣରେ ସ୍ବର୍ଣ୍ଣ ପଦକ ଜିତିଥିଲା। ବିଶ୍ବକପର ଇତିହାସକୁ ଦେଖିଲେ ପାକିସ୍ତାନ ସର୍ବାଧିକ ୪ଥର, ଜର୍ମାନୀ, ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍‌ସ ୩ଥର ଲେଖାଏଁ, ଭାରତ ଓ ବେଲଜିୟମ ଥରେ ଲେଖାଏଁ ଚମ୍ପିଆନ ହୋଇଛନ୍ତି। ।

Leave A Reply

Your email address will not be published.