ତେନ୍ତୁଳିଖୁଣ୍ଟି, ୧୫/୦୮ (ଶେଖର ଖୁରା): ତେନ୍ତୁଳିଖୁଣ୍ଟି ବ୍ଲକରେ ଆଜି ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ପଞ୍ଚାୟତ, ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର, ରାଜସ୍ୱ କାର୍ଯ୍ୟାଳୟ, ବ୍ୟାଙ୍କ, ସମବାୟ ସମିତି, ଡ୍ରାଇଭର ସଂଘ, ରାଜମିସ୍ତ୍ରୀ ସଂଘ ଓ ବଣିକ ସଂଘ ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।
ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ପରିସରରେ ଅଧ୍ୟକ୍ଷା ଶ୍ରୀମତୀ ନିଳାନ୍ଦ୍ରୀ ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବ୍ଲକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ ସ୍ୱାଧୀନତା ଦିବସର ମହତ୍ତ୍ୱ ଓ ଦେଶ ପ୍ରତି ନାଗରିକଙ୍କ କର୍ତ୍ତବ୍ୟ ସମ୍ପର୍କରେ ଅଭିଭାଷଣ ରଖିଥିଲେ।

ଏହି ଅବସରରେ ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦିବ୍ୟ ହୃଦୟ ବାଳିକା ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଯୋଗଦେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ ପାଣିଗ୍ରାହୀଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
ସେହିପରି ଇନ୍ଦ୍ରାବତୀ ପ୍ରକଳ୍ପ କାର୍ଯ୍ୟାଳୟରେ ପ୍ରକଳ୍ପ ଅଧିକାରୀ, ଲମତାଗୁଡ଼ା ପଞ୍ଚାୟତରେ ସରପଞ୍ଚ କୃଷ୍ଣ ସୌରାଙ୍କ ଉପସ୍ଥିତିରେ ଏବଂ ବେଜୁଗୁଡ଼ା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ, ତେନ୍ତୁଳିଖୁଣ୍ଟି ସମବାୟ ସମିତି, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ, ତେନ୍ତୁଳିଖୁଣ୍ଟି ସାମ୍ବାଦିକ ପ୍ରକୋଷ୍ଠ, ରାଜମିସ୍ତ୍ରୀ ସଂଘ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।
ବ୍ଲକର ସମସ୍ତ ୧୫ଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟାମାନେ ଏହି ଜାତୀୟ ଉତ୍ସବରେ ସାମିଲ ହୋଇଥିଲେ।
ଏଥିସହ ଗ୍ରାମାଞ୍ଚଳରେ ସ୍ୱଚ୍ଛତା ଅଭିଯାନ ଓ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମକୁ ମଧ୍ୟ ସଫଳ କରାଯାଇଥିଲା। ଏଥିରେ ମିଶନ ଶକ୍ତିର ଏମ୍ବିକେ ଓ ସିଆର୍ପିମାନେ ସକ୍ରିୟ ଭାବେ ଯୋଗଦେଇଥିଲେ।