ଦିଲ୍ଲୀ : ଆଜି ଦେଶ ତା’ର 80 ତମ ସ୍ୱାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଲାଲକିଲ୍ଲାରୁ ସ୍ୱାଧୀନତା ଦିବସ ପାଳନର ନେତୃତ୍ୱ ନେଇଥିଲେ। ସେ ପହଞ୍ଚିବା ପରେ ପ୍ରଥମ ଥର ପାଇଁ, ଲାଲକିଲ୍ଲାରେ ଜାତୀୟ ସଂଗୀତ “ବନ୍ଦେ ମାତରମ୍” ଗାନ କରାଯାଇଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଏହି ସମୟରେ ଭାରତୀୟ ବାୟୁସେନାର ଦୁଇଟି Mi-17 ହେଲିକପ୍ଟର ଦ୍ୱାରା ଆକାଶ ମାର୍ଗରୁ ଫୁଲ ବର୍ଷା କରାଯାଇଥିଲା।
ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଲାଲକିଲ୍ଲାରୁ “ବନ୍ଦେ ମାତରମ୍” ସଂଗୀତ ପ୍ରତିଧ୍ବନିତ ହୋଇଛି। ସେ କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ ଦେଶର କିଛି ଅଂଶରେ ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ ଦେଖାଦେଇଛି, ଯାହା ଅନେକ ପରିବାରକୁ ପ୍ରଭାବିତ କରିଛି। ପ୍ରଧାନମନ୍ତ୍ରୀ ସମସ୍ତ ପ୍ରଭାବିତ ପରିବାରକୁ ଆଶ୍ୱାସନା ଦେଇ କହିଥିଲେ ଯେ, ସମଗ୍ର ଦେଶ ସେମାନଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗତ ବାର ବର୍ଷ ମଧ୍ୟରେ ଦେଶର କୋଟି କୋଟି ନାଗରିକ ନିଜ ଦୃଢ଼ ନିଷ୍ପତ୍ତି ଏବଂ ସମର୍ପଣ ସହିତ ଦେଶକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ଯଥାସମ୍ଭବ ପ୍ରୟାସ କରିଛନ୍ତି। ସେ କହିଛନ୍ତି ଯେ, ଏହି ପ୍ରୟାସ ଯୋଗୁଁ 25 କୋଟି ଲୋକ ଦାରିଦ୍ର୍ୟରୁ ବାହାରି ଆସିଛନ୍ତି। ସେ କହିଛନ୍ତି ଯେ, ଭାରତ ଯାହା ଏକଦା ଋଗଣ ଅର୍ଥନୀତିରେ ପଞ୍ଚମ ଥିଲା, ଏବେ ବିଶ୍ୱର ଏକ ପ୍ରମୁଖ ଏବଂ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ଉଭା ହୋଇଛି। ଶ୍ରୀ ମୋଦୀ କହିଛନ୍ତି ଯେ ଭାରତ 2047 ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ହେବା ପାଇଁ ଏକ ବଡ଼ ଲକ୍ଷ୍ୟ ରଖିଛି।
ବିଭିନ୍ନ କ୍ଷେତ୍ରରେ ହାସଲ ହୋଇଥିବା ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ 12 ବର୍ଷ ମଧ୍ୟରେ ପ୍ରତିରକ୍ଷା ଉତ୍ପାଦନ ପ୍ରାୟ ଚାରି ଗୁଣ, ଖଦି ଏବଂ ଗ୍ରାମୋଦ୍ୟୋଗ ଉତ୍ପାଦନ ପ୍ରାୟ ପାଞ୍ଚ ଗୁଣ, ଇଲେକ୍ଟ୍ରୋନିକ୍ ଉତ୍ପାଦନ ପ୍ରାୟ ସାତ ଗୁଣ, ଆଧୁନିକ ରେଳ କୋଚ୍ ନିର୍ମାଣ 21 ଗୁଣ ଏବଂ ମୋବାଇଲ୍ ଫୋନ୍ ଉତ୍ପାଦନ 33 ଗୁଣ ବୃଦ୍ଧି ପାଇଛି। ସେ କହିଛନ୍ତି ଯେ, ଇଣ୍ଟରନେଟ୍ ବ୍ୟବହାରକାରୀ ପ୍ରାୟ ଚାରି ଗୁଣ ଏବଂ ଡିଜିଟାଲ୍ କାରବାର 100 ଗୁଣ ବୃଦ୍ଧି ପାଇଛି।
ଶ୍ରୀ ମୋଦୀ କହିଛନ୍ତି ଯେ, ଏନଡିଏ ସରକାର ସାଧାରଣ ଲୋକଙ୍କ କଲ୍ୟାଣ ଏବଂ ସୁବିଧା ପ୍ରତି ଗମ୍ଭୀରତାର ସହିତ କାର୍ଯ୍ୟ କରିଛି। ସେ କହିଛନ୍ତି, ହଜାର ହଜାର ଅନୁପାଳନକୁ ଉଚ୍ଛେଦ କରାଯାଇ ଶହ ଶହ ପୁରୁଣା ଆଇନକୁ ରଦ୍ଦ କରାଯାଇ ଦେଶ ଶାସନରେ ମଧ୍ୟ ଏକ ବିରାଟ ପରିବର୍ତ୍ତନ ଆଣିଛି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ 2047 ସୁଦ୍ଧା ଏକ ବିକଶିତ ରାଷ୍ଟ୍ରର ଲକ୍ଷ୍ୟ ହାସଲ କରିବା ସହିତ ଅନେକ ଅଭୂତପୂର୍ବ ସଙ୍କଟକୁ ସଫଳତାର ସହ ଦୂର କରିଛି। ସେ ୟୁକ୍ରେନ ଏବଂ ପଶ୍ଚିମ ଏସିଆ ଯୁଦ୍ଧ, କୋଭିଡ-19 ମହାମାରୀ ଏବଂ ପରବର୍ତ୍ତୀ ସଂଘର୍ଷମୟ ପରିସ୍ଥିତି ଦ୍ୱାରା ଉପୁଜିଥିବା ଚ୍ୟାଲେଞ୍ଜଗୁଡ଼ିକୁ ମନେ ପକାଇଛନ୍ତି। ସେ କହିଛନ୍ତି ଯେ, ଏହି ସଙ୍କଟ ସମୟରେ, ଟୀକା, ଇନ୍ଧନ, ଗ୍ୟାସ, ଡିଜେଲ ଏବଂ ସାରର ଅଭାବ ବିଷୟରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ପାଇଁ ଅନେକ ଭବିଷ୍ୟବାଣୀ ଏବଂ ଗୁଜବ ପ୍ରସାରିତ ହୋଇଥିଲା।
ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ ଭାରତର ସୁଚିନ୍ତିତ ନୀତି, ପ୍ରସ୍ତୁତି ଏବଂ ସକ୍ରିୟ ପଦକ୍ଷେପ ଦେଶକୁ ଏହି ଚ୍ୟାଲେଞ୍ଜଗୁଡ଼ିକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରିବାରେ ସାହାଯ୍ୟ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନାଗରିକ ଦେବୋ ଭବୋ ନୀତି ଦ୍ୱାରା ପରିଚାଳିତ ସରକାରଙ୍କ ଆଭିମୁଖ୍ୟ ନିଶ୍ଚିତ କରିଛି ଯେ ଗତ ଦଶନ୍ଧିରେ କରାଯାଇଥିବା ବ୍ୟବସ୍ଥା ସଙ୍କଟ ସମୟରେ ପ୍ରଭାବଶାଳୀ ପ୍ରମାଣିତ ହୋଇଛି। ସେ କହିଛନ୍ତି ଯେ ଆଜି ଦେଶରେ ଗ୍ୟାସ, ପେଟ୍ରୋଲ ଏବଂ ୟୁରିଆର ପର୍ଯ୍ୟାପ୍ତ ପରିମାଣର ମହଜୁଦ ଅଛି ଏବଂ ଏହା ନିଜସ୍ୱ କ୍ଷମତା ବଳରେ ଆତ୍ମବିଶ୍ୱାସ ସହିତ ଆଗକୁ ବଢ଼ୁଛି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱର ପ୍ରତ୍ୟେକ ଦେଶ ନିଜ ସ୍ୱାର୍ଥର ପରିଚାଳନା ଏବଂ ସୁରକ୍ଷା ଦିଗରେ ମୁହାଁଇଛନ୍ତି କିନ୍ତୁ ଦୁର୍ଭାଗ୍ୟବଶତଃ, ଏହି ସଙ୍କଟ ସମୟରେ କିଛି ଦେଶ ପେଟ୍ରୋଲ, ଡିଜେଲ ଏବଂ ସାର ହେଉ, ସେମାନଙ୍କର ପ୍ରାଧାନ୍ୟ ପ୍ରଦର୍ଶନ କରିବା ପାଇଁ ଏହି ସମ୍ପଦକୁ ଅସ୍ତ୍ର କରି ଖେଳ ଖେଳିଛନ୍ତି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଏପରି ଚ୍ୟାଲେଞ୍ଜିଂ ସମୟରେ, ଯଦି ଦେଶ ଗତ ଦଶନ୍ଧି ଧରି ଆତ୍ମନିର୍ଭରତାର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ସଠିକ୍ ପଥ ଅନୁସରଣ କରି ନ ଥାନ୍ତା, ତେବେ ଭାରତ କିପରି ଏପରି ମହାନ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥାନ୍ତା ଏବଂ ଏହାକୁ ପରାସ୍ତ କରିଥାନ୍ତା ତାହା କଳ୍ପନା କରିବା କଷ୍ଟକର।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କୌଣସି ଦେଶ ସମ୍ବଳ ଅଭାବରୁ କ୍ଷତିଗସ୍ତ ହୁଏ ନାହିଁ, ବରଂ ଠିକ ସମୟରେ ଠିକ ନିଷ୍ପତି ନ ନେବା ଯୋଗୁଁ କ୍ଷତି ହୋଇଥାଏ। ବର୍ତ୍ତମାନ ଭାରତ ଅଶୋଧିତ ତୈଳ ପାଇଁ ବାହାର ଦେଶ ଉପରେ ନିର୍ବର କରୁଛି, ହେଲେ ଠିକ ଭାବେ ଚିନ୍ତା କରି ପଦକ୍ଷେପ ନେବା ଯୋଗୁଁ ଆଜି ସେହି ସଙ୍କଟରୁ ଭାରତ ମୁକୁଳିପାରିଛି। ସେ କହିଛନ୍ତି ଯେ ସରକାର 99 ପ୍ରତିଶତ ଉପକୂଳବର୍ତ୍ତୀ ଅଞ୍ଚଳକୁ ଖୋଲି ଦେଇଛନ୍ତି ଯାହାକୁ ଥରେ ନିଷେଧ ଅଞ୍ଚଳ ଭାବରେ ନାମିତ କରାଯାଇଥିଲା ଏବଂ ସେଗୁଡ଼ିକୁ ଅଗ୍ରଗତି କ୍ଷେତ୍ରରେ ପରିଣତ କରିଛନ୍ତି। ସେ କହିଛନ୍ତି ଯେ ସରକାର ଏବେ ସକ୍ରିୟ ଭାବରେ ସମୁଦ୍ର ତଳେ ଅନୁସନ୍ଧାନ ଜାରି ରଖିଛନ୍ତି ଯାହା କିଛି ନୂତନ ଭଣ୍ଡାର ଆବିଷ୍କାର କରିବା ପାଇଁ ପ୍ରୟାସ ଜାରୀ ରହିଛି।