କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ)ର ବିଭିନ୍ନ ପଦପଦବି ପାଇଁ ନିର୍ବାଚନ ପ୍ରସଙ୍ଗକୁ ନେଇ ଦାୟର ମାମଲାରେ ଓଡ଼ିଶା ହାଇକୋର୍ଟ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ)କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସତ୍ୟପାଠ ଜରିଆରେ ବିସିସିଆଇ ନିଜର ପକ୍ଷ ରଖିବାକୁ କୋର୍ଟ କହିଛନ୍ତି।
ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ସନରାଇଜ୍ କ୍ଲବ୍ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଅନ୍ୟ ପ୍ରତିପକ୍ଷମାନେ ମଧ୍ୟ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଆବଶ୍ୟକ ସତ୍ୟପାଠ ଦାଖଲ କରିପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
ଓସିଏର ବିଭିନ୍ନ ପଦପଦବି ପାଇଁ ନିୟମ ଅନୁସାରେ ନିର୍ବାଚନ ଘୋଷଣା କରିବା ଏବଂ ନିର୍ବାଚନ ମାଧ୍ୟମରେ ପଦାଧିକାରୀ ଚୟନ ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦାବି କରାଯାଇଛି। ଓସିଏ ନିର୍ବାଚନ ସମ୍ପର୍କିତ ନିୟମ ଓ ପ୍ରକ୍ରିୟା ପାଳନ ନେଇ ମଧ୍ୟ ଏହି ମାମଲାରେ ପ୍ରଶ୍ନ ଉଠାଯାଇଛି।
ମାମଲାରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ, ବିସିସିଆଇ, ଓସିଏ ସମେତ ଓସିଏ ସଭାପତି, ଉପସଭାପତି, ଯୁଗ୍ମ ସଚିବ, କୋଷାଧ୍ୟକ୍ଷ ଏବଂ କଟକ ଜିଲ୍ଲାପାଳଙ୍କୁ ପ୍ରତିପକ୍ଷ କରାଯାଇଛି।
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିସିସିଆଇ ସମେତ ଅନ୍ୟ ପ୍ରତିପକ୍ଷଙ୍କ ସତ୍ୟପାଠ ଉପରେ ଏବେ ମାମଲାର ପରବର୍ତ୍ତୀ ଗତି ନିର୍ଭର କରିବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୧ରେ ହେବ।