ବୌଦ୍ଧ: ବୌଦ୍ଧ ଜିଲ୍ଲାକୁ କୁଷ୍ଠ ରୋଗମୁକ୍ତ ଜିଲ୍ଲାରେ ପରିଣତ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ଅଭିଯାନ ଆରମ୍ଭ କରାଯିବ। ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି।ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମହେନ୍ଦ୍ର କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଆସନ୍ତା ୧୭ରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ ବୋଲି ବୈଠକରେ ସୂଚନା ଦିଆଯାଇଛି।ଅଭିଯାନ ପାଇଁ ଜିଲ୍ଲାରେ ୬୬୬ ଜଣ ଆଶା କର୍ମୀ ଓ ୯୧ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାଯାଇଛି। ସେମାନେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ କୁଷ୍ଠ ରୋଗର ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରିବେ। ଚିହ୍ନଟ ସନ୍ଦିଗ୍ଧଙ୍କ ପରବର୍ତ୍ତୀ ୭୨ ଘଣ୍ଟା ମଧ୍ୟରେ ପରୀକ୍ଷା କରାଯିବ।
ଏହାସହ ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ କୁଷ୍ଠ ରୋଗ ପରୀକ୍ଷଣ କରାଯିବ। ରୋଗକୁ ପ୍ରାରମ୍ଭିକ ସ୍ତରରେ ଚିହ୍ନଟ କରି ଚିକିତ୍ସା ଯୋଗାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି।ଏହି ଅଭିଯାନକୁ ସଫଳ କରିବା ସହ ବୌଦ୍ଧକୁ କୁଷ୍ଠ ରୋଗମୁକ୍ତ ଜିଲ୍ଲା କରିବା ଦିଗରେ ସମସ୍ତ ଜିଲ୍ଲାବାସୀ ସହଯୋଗ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।
Comments are closed.