ଦିନ ଦ୍ୱିପ୍ରହରରେ ପ୍ରଧାନଶିକ୍ଷକଙ୍କ ଘରୁ ଚୋରି ଉଦ୍ୟମ: ଗାଡ଼ି ଗ୍ଲାସ ଭାଙ୍ଗିଲା ମାତ୍ରେ ବାଜିଲା ସାଇରନ୍‌, ଆଉ ତା’ପରେ…

0

ମୋହନା,୧୨।୮( ମନୋଜ ପାଢ଼ୀ): ଦ୍ୱିପ୍ରହରରେ ଚୋରି ଉଦ୍ୟମ। ଘରେ କେହି ନଥିବାର ସୁଯୋଗ ନେଇ ଚୋରି ପାଇଁ ଘରେ ପଶିବାକୁ ଉଦ୍ୟମ କରିଥିଲେ ଚୋର। ହେଲେ ଘରର ଗ୍ରିଲ କବାଟରେ ଲାଗିଥିବା ତାଲା ଭାଙ୍ଗିବାରେ ବିଫଳ ହେବା ପରେ ନିକଟରେ ଥିବା କାର୍‌ର ଗ୍ଲାସ ଭାଙ୍ଗିଥିଲେ। ଡୋର୍‌ ଖୋଲିବା ମାତ୍ରେ ଏକ ସାଇରନ ବାଜିଥିଲା । ଯାହାକି ଆଖ ପାଖରେ ରହୁଥିବା ବ୍ୟକ୍ତିମାନେ ଆସିବା ଦେଖି ଫେରାର୍‌ ହୋଇଯାଇଥିଲେ ।ଏଭଳି ଘଟଣା ଦେଖିବାକୁ ମିଳିଛି ମୋହନା ସହରର ନାରାୟଣ ନଗରରେ। ମଙ୍ଗଳବାର ଦିନ ଦ୍ୱିପହରର ଘଟଣା। ନାରାୟଣ ନଗରରେ ରହୁଥିବା ପ୍ରଧାନଶିକ୍ଷକ ଟଙ୍କଧର ମଲିକ ରଙ୍ଗ ମାଟିଆ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ଘରେ କେହି ନଥିବାର ସୁଯୋଗ ନେଇ ଚୋର ତାଙ୍କ ଘରେ ଚୋରି କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।ଘରର ଗ୍ରିଲ କବାଟରେ ଲାଗିଥିବା ତାଲା ଭାଙ୍ଗିବାକୁ ଚୋର ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ସଫଳ ହୋଇପାରିନଥିଲେ। ଶେଷରେ ଘର ନିକଟରେ ଥିବା ଏକ ଗାଡ଼ିର ଡାହାଣ ପାର୍ଶ୍ୱର ଗ୍ଲାସ ଭାଙ୍ଗି ଚୋର ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି।
ବିଦ୍ୟାଳୟରୁ ଆସିବାପରେ ଟଙ୍କଧର ମଲିକ ମୋହନା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ପାଇବା ପରେ ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରି ଉଦ୍ୟମ ପଛରେ କିଏ ରହିଛି ଏବଂ ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଚଳାଇଛି।

Leave A Reply

Your email address will not be published.