ନୂଆଦିଲ୍ଲୀ : ‘‘ଏବେ ଆସିଛି ନୂଆ ଯୁଗାନ୍ତର, ଗାନ୍ଧୀ କହିଛନ୍ତି ବୁଲି ବାରବାର, ଖାଅ ଭାତ ମୁଠେ ଘର ଢିଙ୍କି କୁଟା, ପିନ୍ଧ ଲୁଗା ଖଣ୍ଡେ ହାତେ କାଟି ସୂତା।’’ ଆଜି ଜାତୀୟ ହସ୍ତତନ୍ତ ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି। ପିଲା ଦିନର ଅତି ପରିଚିତ ଉପରୋକ୍ତ ଦୁଇ ପଙ୍କ୍ତି ଉଦ୍ଧୃତ କରି ରାଷ୍ଟ୍ରପତି କହିଛନ୍ତି, ଆଜି ସେ ସମୟ ଆସିଛି, ନିଜେ ଜମିରେ ହଳ କରି ନିଜର ଫସଲ ଉତ୍ପାଦନ କରିବା, କପାରୁ ସୂତା ବାହାର କରି ନିଜ ବସ୍ତ୍ର ପ୍ରସ୍ତୁତ କରିବା। ଆମ ଦେଶରେ ଉତ୍ପାଦିତ କପାରୁ ଉତ୍କୃଷ୍ଟମାନର ସୂତା ବାହାରୁଛି। ଅତି ଉଚ୍ଚମାନର କପଡ଼ା ପ୍ରସ୍ତୁତ ହୋଇପାରୁଛି। ଭଲ କପଡ଼ା ପାଇଁ ଆଉ ବିଦେଶ ଉପରେ ନିର୍ଭର କରିବାର ଆବଶ୍ୟକତା ନାହିଁ।

ରାଷ୍ଟ୍ରପତି କହିଛନ୍ତି, ଭାରତୀୟ ସଭ୍ୟତା ସହ ହସ୍ତତନ୍ତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏହି କ୍ଷେତ୍ର ନାରୀ ସଶକ୍ତୀକରଣ ସହ ନିଯୁକ୍ତି ସୁଯୋଗ, କଳା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରୁଛି। ବୁଣାକାରମାନଙ୍କ ଆୟ ବୃଦ୍ଧି କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଯୁବ ଉଦ୍ୟୋଗୀ, ଡିଜାଇନର୍ ଏବଂ ଷ୍ଟାର୍ଟଅପ୍ ପାରମ୍ପରିକ ହସ୍ତଶିଳ୍ପକୁ ଆଧୁନିକ ଧାରା ଅନୁକୂଳ ବ୍ରାଣ୍ଡରେ ପରିଣତ କରି ବିଶ୍ୱ ବଜାରରେ ପହଞ୍ଚାଇ ନୂତନ ସମ୍ଭାବନା ସୃଷ୍ଟି କରିପାରିବେ। ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ବୁଣାକାରମାନଙ୍କ ପାଇଁ ଦେଶର ସର୍ବୋଚ୍ଚ ସମ୍ମାନ। ଏହା ଭାରତର ବୟନ ପରମ୍ପରାକୁ ସଂରକ୍ଷଣ ଏବଂ ପ୍ରୋତ୍ସାହିତ କରିବା ପାଇଁ ସ୍ୱୀକୃତି ପ୍ରଦାନ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି ଅବସରରେ ଓଡ଼ିଶାର ହସ୍ତତନ୍ତ କାରିଗରୀ ପାଇଁ ଦୁଇ ଓଡ଼ିଆ ବରଗଡ଼ ଜିଲାର ବୁଣାକାର ରାମ ମେହେରଙ୍କୁ ‘ସନ୍ଥ କବୀର ହସ୍ତତନ୍ତ ପୁରସ୍କାର-୨୦୨୫’ ଏବଂ ଜଗତସିଂହପୁର ଜିଲାର ପ୍ରଫୁଲ୍ଲ କୁମାର ସାହୁଙ୍କୁ ‘ଜାତୀୟ ହସ୍ତତନ୍ତ ପୁରସ୍କାର-୨୦୨୫’ରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସମ୍ମାନିତ କରିଛନ୍ତି। ଦୁଇ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି।