ମୁଖ୍ୟମନ୍ତ୍ରୀ ବସ୍ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ : ବସ୍ ସେବା ଠପ୍ ।

0

ସୁବର୍ଣ୍ଣପୁର, ତା ୦୩/୦୮ : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକର ଏକ ମୁଖ୍ୟମନ୍ତ୍ରୀ ବସ୍ ଉପରେ ଆକ୍ରମଣ କରି ଭଙ୍ଗାରୁଜା କରିବା ସଙ୍ଗେ ସଙ୍ଗେ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିବା ଘଟଣା ପ୍ରତିବାଦରେ ସୋମବାର ବସ୍ ସେବା ଠପ୍ ହୋଇଯାଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ତରଭା ବ୍ଲକ୍ ତରଫରୁ ବସ୍ ସେବାପାଇଁ ନିୟୋଜିତ ହୋଇଥିବା ମୁଖ୍ୟମନ୍ତ୍ରୀ ବସ୍ ନମ୍ବର OD0314 – 9987 ଅର୍ଡାରୁ ତରଭା ଫେରୁଥିବା ସମୟରେ ବଘିଆ ଗ୍ରାମ ନିକଟରେ ବସ୍ ଅଟକାଇ ଚାରିଜଣ ଜଣ ଲାଠି ଠେଙ୍ଗା ଧରି ଅତର୍କିତ ଆକ୍ରମଣ କରି ବସ୍’ର କାଚ ଭଙ୍ଗାରୁଜା କରିବା ସଙ୍ଗେ ସଙ୍ଗେ ଡ୍ରାଇଭର୍ ନୟନ ମହାଣାର ଉଭୟ ହାତକୁ ଆକ୍ରମଣ କରି ଥିଲେ। ଆକ୍ରମଣରେ ଡ୍ରାଇଭରର ହାତ ଫାଟି ରକ୍ତାକ୍ତ ହୋଇ ଲହୁଲୁହାଣ ହୋଇଥିଲା। ଅବସ୍ଥା ଗୁରୁତର ହେବାରୁ ଡ୍ରାଇଭରକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ରେଫର୍ କରିଥିବା ଜଣା ଯାଇଛି ।

ଏ ସଂକ୍ରାନ୍ତରେ ତରଭା ଥାନାରେ ଏକ ମାମଲା ରୁଜ୍ଜୁ ହୋଇ ତଦନ୍ତ ଜାରିରହିଥିବା ଆଇ ଆଇ ସି ଡୋଲାମଣି ନାଏକ ପ୍ରକାଶ କରିଛନ୍ତି । ଘଟଣା ଘଟିବାର ଚବିଶ ଘଣ୍ଟା ଅତିବାହିତ ହୋଇଯାଇଥିଲେ ସୁଦ୍ଧା କୌଣସି ଅପରାଧି ଧରାପଡି ନ ଥିବା ଜଣାପଡ଼ିଛି। ଏହାର ପ୍ରତିବାଦରେ ତରଭା ବ୍ଲକର ସମସ୍ତ ଚାରୋଟି ମୁଖ୍ୟମନ୍ତ୍ରୀ ବସର କର୍ମଚାରୀମାନେ କାର୍ଯ୍ୟରେ ଯୋଗ ନ ଦେବାରୁ ବସ୍ ଚଳାଚଳ ବନ୍ଦ ରହିଛି । ଏହା ଯୋଗୁଁ ବସ ଉପରେ ନିର୍ଭର କରୁଥିବା ଜନସାଧାରଣ ତଥା ଛାତ୍ରଛାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୋଟିଏ ପଟେ ଅପରାଧୀମାନଙ୍କୁ ଧରିବାରେ ପୋଲିସ ହାତ ଖାଲି ଥିବା ବେଳେ ଅନ୍ୟ ପଟେ ବସ ସେବା ବନ୍ଦ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଉଛି ଯେ ତୁରନ୍ତ ବସ ଚଳାଚଳ ଜାରି ରହୁ।

Leave A Reply

Your email address will not be published.