ରେଳବାଇର ଖଡ଼ଗପୁର ଡିଭିଜନ ପକ୍ଷରୁ ବାଲେଶ୍ଵରରେ ଆରମ୍ଭ ହେଲା ଆରଆରବି ଲେଭେଲ-୧ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବସ୍ ଓ ଟ୍ରେନ୍ ସେବା ବ୍ୟବସ୍ଥା

0
ବାଲେଶ୍ୱର, ଅଗଷ୍ଟ ୩ (କୃଷ୍ଣ କୁମାର ମହାନ୍ତି): ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ଲେଭେଲ-୧ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା (ସିଇଏନ୍ ନଂ ୦୯/୨୦୨୫) ଦେବାକୁ ଯାଉଥିବା ପରୀକ୍ଷାର୍ଥୀମାନଙ୍କ ସୁବିଧା ପାଇଁ ଦକ୍ଷିଣ ପୂର୍ବ ରେଳବାଇର ଖଡ଼ଗପୁର ମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଓ ବସ୍ ସେବାର ବ୍ୟାପକ ବ୍ୟବସ୍ଥା କରାଯାଇଛି।
ବାଲେଶ୍ୱରରେ ପରୀକ୍ଷା କେନ୍ଦ୍ର ପଡ଼ିଥିବା ପରୀକ୍ଷାର୍ଥୀମାନଙ୍କ ଯାତାୟାତକୁ ସୁଗମ କରିବା ଉଦ୍ଦେଶ୍ୟରେ ନିର୍ଦ୍ଦିଷ୍ଟ ଦିନମାନଙ୍କରେ ହାଉରା-ରୂପସା ମଧ୍ୟରେ ସ୍ୱତନ୍ତ୍ର ମେମୁ ପରୀକ୍ଷା ସ୍ପେଶାଲ୍ ଟ୍ରେନ୍ ଚଳାଚଳ କରାଯାଉଛି। ଏହା ସହିତ ରୂପସା ରେଳ ଷ୍ଟେସନରୁ ବାଲେଶ୍ୱରସ୍ଥିତ ପରୀକ୍ଷା କେନ୍ଦ୍ରଗୁଡ଼ିକ ପର୍ଯ୍ୟନ୍ତ ସ୍ୱତନ୍ତ୍ର ବସ୍ ସେବାର ମଧ୍ୟ ବ୍ୟବସ୍ଥା କରାଯାଇଛି।
ସ୍ପେଶାଲ୍ ମେମୁ ଟ୍ରେନ୍‌ରେ ଆସୁଥିବା ପରୀକ୍ଷାର୍ଥୀମାନେ ଏହି ବସ୍ ସେବାର ସୁବିଧା ପାଇବେ। ସେମାନଙ୍କୁ ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ପହଞ୍ଚାଇବା ପାଇଁ ରୂପସା ଓ ବାଲେଶ୍ୱର ରେଳ ଷ୍ଟେସନରେ ସହାୟତା କେନ୍ଦ୍ର (ହେଲ୍ପଡେସ୍କ) ଖୋଲାଯାଇଛି। ରେଳବାଇ କର୍ମଚାରୀମାନେ ପରୀକ୍ଷାର୍ଥୀଙ୍କୁ ବସ୍‌ରେ ଚଢ଼ିବା ଏବଂ ନିଜ ନିଜ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ସମ୍ପର୍କରେ ସହଯୋଗ କରିବେ।
ଖଡ଼ଗପୁର ମଣ୍ଡଳ ପକ୍ଷରୁ କୁହାଯାଇଛି ଯେ, ପରୀକ୍ଷାର୍ଥୀମାନଙ୍କୁ ଏକ ସୁରକ୍ଷିତ, ସୁବିଧାଜନକ ଓ ନିର୍ବିଘ୍ନ ଯାତ୍ରା ଅନୁଭୂତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ବ୍ୟବସ୍ଥା କରାଯାଇଛି। ତେଣୁ ପରୀକ୍ଷାର୍ଥୀମାନେ ଏହି ସ୍ୱତନ୍ତ୍ର ଟ୍ରେନ୍ ଓ ବସ୍ ସେବାର ପୂର୍ଣ୍ଣ ସୁଯୋଗ ନେଇ ନିରାପଦ ଓ ସମୟାନୁବର୍ତ୍ତୀ ଭାବେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ରେଳବାଇ ପକ୍ଷରୁ ଅନୁରୋଧ କରାଯାଇଛି।
ଖଡ଼ଗପୁର ମଣ୍ଡଳ ପକ୍ଷରୁ ସମସ୍ତ ପରୀକ୍ଷାର୍ଥୀଙ୍କୁ ଆରଆରବି ଲେଭେଲ-୧ ପରୀକ୍ଷା ପାଇଁ ଶୁଭେଚ୍ଛା ଜଣାଯାଇଥିବା ବେଳେ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ସଫଳତା କାମନା କରାଯାଇଛି।
Leave A Reply

Your email address will not be published.