ବନ୍ୟାବିପନ୍ନଙ୍କ ପାଖରେ ପହଞ୍ଚିଲା ବିକ୍ରମ ପଣ୍ଡା ଫାଉଣ୍ଡେସନ : ଜଳବନ୍ଦୀ ଅଞ୍ଚଳରେ ରିଲିଫ୍ ବଣ୍ଟନ, ବାସହୀନଙ୍କୁ ଦିଆଗଲା ପଲିଥିନ

ବାଲେଶ୍ଵର, ୩୦/୭ (କୃଷ୍ଣ କୁମାର ମହାନ୍ତି) : ଲଗାଣ ବର୍ଷା ଯୋଗୁଁ ବାଲେଶ୍ଵର ସହର ଓ ଉପକଣ୍ଠ ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ମଧ୍ୟରେ ବିକ୍ରମ ପଣ୍ଡା ଫାଉଣ୍ଡେସନ ପକ୍ଷରୁ ବନ୍ୟାବିପନ୍ନ ଲୋକଙ୍କୁ ତ୍ୱରିତ ସହାୟତା ଯୋଗାଇ ଦିଆଯାଇଛି। ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଜଳବନ୍ଦୀ ଅବସ୍ଥାରେ ରହିଥିବା ଏବଂ ରୋଷେଇ କରିବାରେ ଅସମର୍ଥ ଅନେକ ପରିବାରଙ୍କ ନିକଟରେ ଫାଉଣ୍ଡେସନର ସଦସ୍ୟମାନେ ପହଞ୍ଚି ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ବଣ୍ଟନ କରିଛନ୍ତି।
ଫାଉଣ୍ଡେସନର ମୁଖ୍ୟ ତଥା ଯୁବନେତା ବିକ୍ରମ କେଶରୀ ପଣ୍ଡାଙ୍କ ନେତୃତ୍ୱରେ ଏକ ଦଳ ବାଲେଶ୍ଵର ମ୍ୟୁନିସିପାଲିଟିର ୧୨ ନମ୍ବର ୱାର୍ଡ ଅନ୍ତର୍ଗତ ଦୌଡ଼ିଭଙ୍ଗା ଅଞ୍ଚଳ ପରିଦର୍ଶନ କରି ବନ୍ୟାବିପନ୍ନଙ୍କୁ ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ।
ପରବର୍ତ୍ତୀ ସମୟରେ ୨୪ ନମ୍ବର ୱାର୍ଡ ଅନ୍ତର୍ଗତ ବାରବାଟୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଶ୍ରୟ ନେଇଥିବା ବନ୍ୟାପ୍ରଭାବିତ ପରିବାରଙ୍କୁ ମଧ୍ୟ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହା ସହିତ ସଦର ବ୍ଲକର ହଳଦିପଦା ଓ ରାଇସୁଆଁ ପଞ୍ଚାୟତରେ ପହଞ୍ଚି ବାସହୀନ ପରିବାରମାନଙ୍କୁ ରିଲିଫ୍ ସାମଗ୍ରୀ ସହ ପଲିଥିନ ପ୍ରଦାନ କରାଯାଇଥିଲା।
ବନ୍ୟା ସମୟରେ ଆହୁରି ଅଧିକ ଲୋକଙ୍କୁ ସହାୟତା ପହଞ୍ଚାଇବା ପାଇଁ ବିକ୍ରମ ପଣ୍ଡା ଫାଉଣ୍ଡେସନ ପକ୍ଷରୁ ଏକ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଥିବା ଜଣାପଡ଼ିଛି। ଆଗାମୀ ଦିନରେ ମଧ୍ୟ ବନ୍ୟାବିପନ୍ନ ଲୋକଙ୍କ ସହାୟତା ପାଇଁ ଫାଉଣ୍ଡେସନର ସେବା କାର୍ଯ୍ୟ ଜାରି ରହିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Comments are closed.