ବାଲେଶ୍ୱରରେ ବନ୍ୟା ସ୍ଥିତିର ସମୀକ୍ଷା କଲେ ବରିଷ୍ଠ ଆଇଏଏସ୍ ଅଧିକାରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ତ୍ୱରିତ ରିଲିଫ୍ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ

0
ବାଲେଶ୍ୱର, ୨୯ ଜୁଲାଇ (କୃଷ୍ଣ କୁମାର ମହାନ୍ତି): ବରିଷ୍ଠ ଆଇଏଏସ୍ ଅଧିକାରୀ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମଙ୍ଗଳବାର ବାଲେଶ୍ୱର ଜିଲ୍ଲା ଗସ୍ତ କରି ବର୍ତ୍ତମାନର ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ସହ ପ୍ରଭାବିତ ଅଞ୍ଚଳରେ ଚାଲିଥିବା ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ଅନୁଧ୍ୟାନ କରିଥିଲେ।
ଗସ୍ତ ସମୟରେ ସେ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଥିଲେ। ବୈଠକରେ ବନ୍ୟା ପରିଚାଳନା ଓ ରିଲିଫ୍ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିବା ବେଳେ ସମସ୍ତ ସମ୍ପୃକ୍ତ ବିଭାଗକୁ ଦ୍ରୁତ, ସମନ୍ୱିତ ଓ ଜନକୈନ୍ଦ୍ରିକ ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ବନ୍ୟା ପ୍ରଭାବିତ ଲୋକଙ୍କ ସୁରକ୍ଷା ଓ କଲ୍ୟାଣକୁ ସର୍ବାଧିକ ଗୁରୁତ୍ୱ ଦେଇ ଶ୍ରୀ ଚକ୍ରବର୍ତ୍ତୀ ବିପଦପ୍ରବଣ ଅଞ୍ଚଳର ଲୋକଙ୍କୁ ସମୟୋପଯୋଗୀ ଭାବେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଏବଂ ସମସ୍ତ ସ୍ଥାନାନ୍ତରିତ ପରିବାରଙ୍କୁ ଉତ୍ତମମାନର ଶୁଖିଲା ଖାଦ୍ୟ ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ କହିଥିଲେ।
ଜଳବାହିତ ରୋଗର ପ୍ରକୋପକୁ ରୋକିବା ପାଇଁ ପାନୀୟ ଜଳ ଉତ୍ସଗୁଡ଼ିକର ବିଶୋଧନ ଓ ଜୀବାଣୁମୁକ୍ତିକରଣ ଉପରେ ମଧ୍ୟ ସେ ବିଶେଷ ଗୁରୁତ୍ୱ ଦେଇଥିଲେ।
ବନ୍ୟା ପ୍ରଭାବିତ ଅଞ୍ଚଳରେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଆବଶ୍ୟକ ଔଷଧ, ସାପ କାମୁଡ଼ା ପ୍ରତିଷେଧକ ଇଞ୍ଜେକ୍ସନ୍ (ଆଣ୍ଟି ସ୍ନେକ୍ ଭେନମ୍) ଓ ହସ୍ପିଟାଲରେ ପର୍ଯ୍ୟାପ୍ତ ଶଯ୍ୟା ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ସ୍ୱାସ୍ଥ୍ୟ ବିଭାଗକୁ ପ୍ରତିଷେଧକ ବ୍ୟବସ୍ଥା ଓ ଚିକିତ୍ସା ନିରୀକ୍ଷଣକୁ ଆହୁରି ଜୋରଦାର କରିବାକୁ କୁହାଯାଇଥିଲା।
ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ବନ୍ୟା ଜଳ ହ୍ରାସ ପାଇବା ପରେ ପୌରପାଳିକା ପକ୍ଷରୁ ବ୍ୟାପକ ପରିମଳ ଓ ସଫେଇ ଅଭିଯାନ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ଯୋଗାଯୋଗ ବ୍ୟବସ୍ଥା ଓ ଅତ୍ୟାବଶ୍ୟକ ସେବାର ଶୀଘ୍ର ପୁନଃସ୍ଥାପନ ପାଇଁ କ୍ଷତିଗ୍ରସ୍ତ ରାସ୍ତା ଓ ପୋଲଗୁଡ଼ିକର ତୁରନ୍ତ ମୂଲ୍ୟାଙ୍କନ କରିବାକୁ ଇଞ୍ଜିନିୟରିଂ ବିଭାଗକୁ କୁହାଯାଇଥିଲା।
ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସାଧାରଣ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ରିଲିଫ୍, ପୁନର୍ବାସ ଓ ଜନସୁରକ୍ଷା ସମ୍ବନ୍ଧୀୟ ସମସ୍ତ ପଦକ୍ଷେପକୁ ପ୍ରାଥମିକତା ଭିତ୍ତିରେ ଜାରି ରଖାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
Leave A Reply

Your email address will not be published.