ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ୪ ଜଣଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା

0

କଟକ: ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଏସ୍‌ସିଇଆରଟିର ସହକାରୀ ନିର୍ଦେଶକ ଦିଲୀପ କୁମାର ସାହୁ, ପ୍ରଲିପ୍ତା ମିଶ୍ର ଓ ଭାରତୀ ଟୁଡୁ ଏବଂ ବେସରକାରୀ ମୁଦ୍ରଣ ସଂସ୍ଥାର ମାଲିକ ଅନୁପମ ଘୋଷଙ୍କୁ ଓଡ଼ିଶା ହାଇକୋର୍ଟ ସୋମବାର ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଏଥିସହ ମାମଲାର କେସ୍‌ ଡାଏରୀ (ସିଡି) ଦାଖଲ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦିଆଯାଇଛି। ଜଷ୍ଟିସ ଭି. ନରସିଂହ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୩ ତାରିଖକୁ ଧାର୍ଯ୍ୟ କରିଛନ୍ତି। ସେପର୍ଯ୍ୟନ୍ତ ଆବେଦନକାରୀଙ୍କ ବିରୋଧରେ କୌଣସି କଠୋର ପଦକ୍ଷେପ ନ ନେବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି। ପ୍ରକାଶ ଯେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ପ୍ରକାଶିତ ନୂତନ ପାଠ୍ୟପୁସ୍ତକରେ ବହୁ ସଂଖ୍ୟକ ତ୍ରୁଟି ଧରାପଡ଼ିବା ପରେ ସାରା ରାଜ୍ୟରେ ସମାଲୋଚନା ହୋଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ଗତ ସପ୍ତାହରେ ମନୋଜ କୁମାର ପାଢ଼ୀଙ୍କୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ ଦିଲୀପ କୁମାର ସାହୁ, ପ୍ରଲିପ୍ତା ମିଶ୍ର ଓ ଭାରତୀ ଟୁଡୁଙ୍କ ନାମରେ ମଧ୍ୟ ମାମଲା ରୁଜୁ କରିଥିଲା। ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ପାଇଁ ଉକ୍ତ ତିନି ଅଧିକାରୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କାଜଲ ସାହୁ ମାମଲା ପରିଚାଳନା କରୁଥିବା ବେଳେ ଆବେଦନକାରୀ ଅନୁପମ ଘୋଷଙ୍କ ପକ୍ଷରୁ ଆଇନଜୀବୀ ଦିବ୍ୟାଲୋକ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

Leave A Reply

Your email address will not be published.