ବାଲେଶ୍ୱର, ୨୮ ଜୁଲାଇ(କୃଷ୍ଣ କୁମାର ମହାନ୍ତି): ଲଗାତାର ଦୁଇଦିନର ପ୍ରବଳ ବର୍ଷା ଯୋଗୁଁ ବସ୍ତା ନିର୍ବାଚନମଣ୍ଡଳୀର ବହୁ ଅଞ୍ଚଳ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଚାଷଜମିରୁ ବର୍ଷାଜଳ ନିଷ୍କାସିତ ନ ହୋଇପାରିବାରୁ ବ୍ୟାପକ ଫସଲ କ୍ଷତି ହୋଇଥିବା ଦେଖିବାକୁ ମିଳିଛି।
ପଳପଳା ନଦୀରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ବସ୍ତା ବ୍ଲକ୍ ମୁକୁଳିସି ପଞ୍ଚାୟତ ଅନ୍ତର୍ଗତ ଦୁନ୍ଦ ନିକଟରେ ନଦୀବନ୍ଧରେ ଏକ ଘାଇ ସୃଷ୍ଟି ହୋଇଛି। ଏହାଦ୍ୱାରା ଦୁନ୍ଦ, କୁସିଦା, ମୁକୁଳିସି ଓ ଛଚିନା ଗ୍ରାମର ଶତାଧିକ ଏକର ଚାଷଜମିରେ ବନ୍ୟାଜଳ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି।

ଖବର ପାଇବା ମାତ୍ରେ ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା ଆଜି ପ୍ରଭାବିତ ଦୁନ୍ଦ ଓ ଛଚିନା ଅଞ୍ଚଳ ପରିଦର୍ଶନ କରିଥିଲେ। ସେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସ୍ଥିତିର ସମୀକ୍ଷା କରିଥିଲେ। ଘାଇର ତୁରନ୍ତ ମରାମତି କରିବା ସହ ବନ୍ୟା ପ୍ରଭାବିତ ଚାଷୀମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।
ଏହାସହ ବନ୍ୟା ସମୟରେ ବିଦ୍ୟୁତ୍ଜନିତ ଦୁର୍ଘଟଣା ଏଡ଼ାଇବା ପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ନେବାକୁ ଏବଂ ଯେଉଁଠାରେ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଛି ସେଠାରେ ତ୍ୱରିତ ଭାବେ ସେବା ସ୍ୱାଭାବିକ କରିବାକୁ ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
ପରେ ବିଧାୟିକା ଶ୍ରୀମତୀ ଜେନା ବାଲିଆପାଳ ବ୍ଲକ୍ର କୋଷ୍ଟ କେନାଲ ଅଞ୍ଚଳକୁ ଯାଇ ଷୋଳଶାପାଣ୍ଠରେ ଜମି ରହିଥିବା ଉଦ୍ବୃତ୍ତ ଜଳ ନିଷ୍କାସନ ବ୍ୟବସ୍ଥା ନେଇ ଡ୍ରେନେଜ୍, ପି.ଡବ୍ଲ୍ୟୁ.ଡି. ବିଭାଗର ବରିଷ୍ଠ ଅଧିକାରୀ ଓ ବାଲିଆପାଳ ତହସିଲଦାରଙ୍କ ସହ ଆଲୋଚନା କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଷୋଳଶାପାଣ୍ଠ ଅଞ୍ଚଳର ଜଳନିଷ୍କାସନ ସମସ୍ୟା ସମ୍ପର୍କରେ ବିଧାୟିକା ପୂର୍ବରୁ ବିଧାନସଭାରେ ପ୍ରସଙ୍ଗ ଉଠାଇଥିଲେ। ତାଙ୍କ ଉଦ୍ୟମରେ କଚୁଆ, ଗଢ଼ଖାଳ ଓ ଆମ୍ବଚୁଆ ନାଳର ଖନ କାର୍ଯ୍ୟ ମାଧ୍ୟମରେ ଜଳ ନିଷ୍କାସନର ବ୍ୟବସ୍ଥା କରାଯାଇଥିଲା। ତଥାପି ଏହି ଅଞ୍ଚଳରେ ଏବେ ମଧ୍ୟ ଅଧିକ ଜଳ ଜମି ରହୁଥିବାରୁ କୋଷ୍ଟ କେନାଲରେ ଅତିରିକ୍ତ ସ୍ଲୁଇସ୍ ଗେଟ୍ ନିର୍ମାଣ ପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି।
ଆଜିର ପରିଦର୍ଶନ ସମୟରେ ଜିଲ୍ଲା ପରିଷଦ ସଭ୍ୟ ବେଣୁଧର ଜେନା, ନିଶାକର ସେଠୀ, ବରିଷ୍ଠ ନେତା ଲକ୍ଷ୍ମୀଧର ଦାସ, ପ୍ରଦୀପ ବିଶ୍ୱାଳ, ଗୋବିନ୍ଦ ପ୍ରସାଦ ଦାସ, ଅଜୟ ପାତ୍ର, ରଞ୍ଜନ ଧଳ, ସୁଧାଂଶୁ ବାରିକ, ଚିନ୍ମୟ ପାଳ, କମଲ ଲୋଚନ ଦତ୍ତ, ସାର୍ଥକ ରଞ୍ଜିତ୍, ପ୍ରଦୀପ ନାୟକ ଏବଂ ଶ୍ରୀଧର ଡାକୁଆଙ୍କ ସମେତ ବହୁ ସ୍ଥାନୀୟ ନେତୃବୃନ୍ଦ ଓ ଚାଷୀ ଉପସ୍ଥିତ ଥିଲେ।