ଗଜପତି,26/7(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡା ପଞ୍ଚାୟତର ଲୋବାଗୁଡା, ଗମାଙ୍ଗଗୁଡା, ସେଣ୍ଡାରୀଗୁଡା ଏବଂ କୋଣ୍ଡୁରୁଗୁଡା ଆଦି 4 ଗୋଟି ଗ୍ରାମର ଗ୍ରାମବାସୀମାନେ ବିଗତ 10 ବର୍ଷ ଧରି ପକ୍କା ରାସ୍ତା ନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି । ପକ୍କା ରାସ୍ତା ନିର୍ମାଣ ପାଇଁ ବହୁବାର ଅନେକ ଥର ନିବେଦନ କରି ଆସୁଥିଲେ ମଧ୍ୟ ରାସ୍ତା ନିର୍ମାଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି 4 ଗୋଟି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ନିର୍ମାଣ କରାନଗଲେ ସମସ୍ତ ଗ୍ରାମବାସୀ ମିଳିତ ଭାବେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ପାଇଁ ବାଧ୍ୟ ହେବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି। ଗ୍ରାମବାସୀମାନେ ଜଣାଇଛନ୍ତିଯେ ରାସ୍ତା ନଥିବାରୁ ସେମାନଙ୍କ ଦୈନନ୍ଦିନ ଜୀବନରେ ବହୁ ସମସ୍ୟା ଦେଖାଦେଇଛି। ହଠାତ କେହି ଅସୁସ୍ଥ ହେଲେ ତାଙ୍କୁ ହସ୍ପିଟାଲକୁ ନେବା, ପିଲାମାନଙ୍କୁ ସ୍କୁଲ ପଠାଇବା ଏବଂ ଚାଷଜାତ ସାମଗ୍ରୀ ବଜାରକୁ ନେବା ପାଇଁ ଗ୍ରାମବାସୀଙ୍କୁ କିଲୋମିଟର କିଲୋମିଟର ପାଦରେ ଚାଲିବାକୁ ପଡୁଛି। ବିଶେଷକରି ବର୍ଷା ଦିନରେ ସମ୍ପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ୁଥିବା ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗତ 10 ବର୍ଷ ଧରି ସେମାନେ ପ୍ରଶାସନ ଓ ଜନପ୍ରତିନିଧିଙ୍କ ନିକଟରେ ବାରମ୍ବାର ରାସ୍ତା ନିର୍ମାଣ ପାଇଁ ଦାବି କରିଆସୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନାହିଁ। ଏହାକୁ ନେଇ କ୍ଷୁବ୍ଧ ଗ୍ରାମବାସୀ ସରକାର ଏବଂ ପ୍ରଶାସନକୁ ଶେଷ ଚେତାବନୀ ଦେଇ କହିଛନ୍ତି, ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯଦି ପକ୍କା ରାସ୍ତା ନିର୍ମାଣ କାମ ଆରମ୍ଭ ନ ହୁଏ, ତେବେ ଚାରି ଗାଁର 500ରୁ ଅଧିକ ପରିବାର ସାମୂହିକ ଭାବେ ଭୋଟ ବର୍ଜନ କରିବେ।
Sign in
Sign in
Recover your password.
A password will be e-mailed to you.