ବାଲେଶ୍ଵର, ୨୫/୭(କୃଷ୍ଣ କୁମାର ମହାନ୍ତି): ବାଲିଆପାଳ ବ୍ଲକ୍ ସ୍ଥିତ ନୟାବାଲି ଗ୍ରାମରେ ‘ଯୁବ ବିକାଶ ସଂଗଠନ’ ତରଫରୁ ଗ୍ରାମୀଣ ମହିଳାମାନଙ୍କ ଜୀବନଜୀବିକା ଉନ୍ନତି ପାଇଁ ବର୍ଷବ୍ୟାପୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି l ଏଥିରେ ନୟାବାଲି, ଇକଡପାଳ ଓ ବିଷ୍ଣୁପୁର ଅଞ୍ଚଳର ଶତାଧିକ ମହିଳା ତାଲିମ୍ ନେବା ପାଇଁ ଯୋଗ ଦେଇଥିଲେ।
ଆଗାମୀ ଦିନରେ ଏମ୍ବ୍ରୋଡୋରୀ ଏବଂ ସିଲେଇ ଟ୍ରେନିଂ ନେଇ ଆଗକୁ କିଛି ରୋଜଗାର କରିବାର ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ l ପ୍ରାକୃତିକ ବିପର୍ଯ୍ୟୟର କ୍ଷତିଗ୍ରସ୍ତ ହେଉଥିବା ପରିବାରର ମହିଳାମାନଙ୍କୁ ନୟାବାଲି ରସଲପୁର, ଇକଡପାଳ ଓ ବିଷ୍ଣୁପୁର ଗ୍ରାମସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀରେ ବିଭିନ୍ନ ରୋଜଗାର ତଥା ଗ୍ରାମୀଣ ଉଦ୍ୟୋଗଧର୍ମୀ ତାଲିମ କାର୍ଯ୍ୟକ୍ରମ ହାତକୁ ନିଆଯିବ।
ଏହି କାର୍ଯ୍ୟକ୍ରମରେ ‘ଯୁବ ବିକାଶ’ର ଚେୟାରମ୍ୟାନ ଗୋବିନ୍ଦ ଦଳାଇ, ଏସ୍.ଏମ୍.ଏଫ୍.ଜି.ର ସି.ଏସ୍.ଆର. ମୁଖ୍ୟ ଅମୋଲ ଭାଲେରାଓ, ଉପ ସଭାପତି ଅଭ୍ରଦୀପ ଦାସ, ବାଘାଯତୀନ ସ୍ମୃତି ପରିଷଦର ସଭାପତି ଅରବିନ୍ଦ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଯୁବ ସମାଜସେବୀ ପରେଶ କର, ପ୍ରଶିକ୍ଷକ ଯାଜ୍ଞସେନୀ ଦାସ ମଙ୍ଗରାଜ, ଅଜୟ ସାହୁ, ଟୁଇଟର ଆକ୍ଟିଭିଷ୍ଟ ପୂର୍ଣ୍ଣଚନ୍ଦ୍ର ଜେନା, ପ୍ରକଳ୍ପ ସଂଯୋଜକ ଭାଗ୍ୟଲକ୍ଷ୍ମୀ ରାଉତ, ସି ଆର୍ ପି ଅମିତା କର, ଲିଲିମା ସାସମଲ, ଚୌମୁଖ ଗ୍ରାମର ସବୁଜ ଯୋଦ୍ଧା, ପରିବେଶବିତ ସସ୍ମିତା ପାତ୍ର ପ୍ରଭୃତି ଯୋଗଦାନ କରିଥିଲେ l