ବ୍ରହ୍ମପୁର : ଗତ ୧୮.୦୭.୨୦୨୬ ଶନିବାର ଦିନ ରଙ୍ଗେଈଲୁଣ୍ଡା ସ୍ଥିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଠାରେ ପ୍ରଫେସର ରବିନାରାୟଣ ମିଶ୍ର ଙ୍କର ସ୍ମୃତି ବ୍ୟାଖ୍ୟାନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ର ମାନ୍ୟବର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମତ୍ସ୍ୟବିଜ୍ଞାନୀ ପ୍ରଫେସର ସ୍ୱର୍ଗତ ରବିନାରାୟଣ ମିଶ୍ର ଜଣେ ସ୍ଵାଭିମାନୀ, ଛାତ୍ର ବତ୍ସଳ, ନୀତିନିଷ୍ଠ, କର୍ତ୍ତବ୍ୟପରାୟଣ, ସମୟାନୁବର୍ତ୍ତୀ, ପରୋପକାରୀ ଓ ସର୍ବୋପରି ଜଣେ ଭଲ ମଣିଷ ଥିଲେ ବୋଲି ମତ ପ୍ରକାଶ କରିଥିଲେ । ପ୍ରଫେସର ସ୍ୱର୍ଗତ ରବିନାରାୟଣ ମିଶ୍ରଙ୍କ ଅମ୍ଳାନ ସ୍ମୃତି ପ୍ରତି କୁଳପତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।



ମୁମ୍ବାଇ ରେ ଅବସ୍ଥିତ କେନ୍ଦ୍ରୀୟ ମତ୍ସ୍ୟ ଶିକ୍ଷା ଅନୁଷ୍ଠାନ ର ବୈଜ୍ଞାନିକ ଡ଼. ବିନୟ ଭୂଷଣ ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମାଛର ମୂଲ୍ୟ ଯୁକ୍ତ ଖାଦ୍ୟ ବିଷୟ ରେ ବକ୍ତବ୍ୟ ପ୍ରଦାନ କରିଥିଲେ I ସେ ମୂଲ୍ୟ ଯୁକ୍ତ ଖାଦ୍ୟ ର ପ୍ରସ୍ତୁତି ଓ ତାକୁ ନେଇ ବ୍ୟବସାୟ ବିଷୟରେ ବର୍ଣ୍ଣନା କରିଥିଲେ l ବିଭନ୍ନ ଦେଶର ମାଛ କୁ ନେଇ ମୂଲ୍ୟ ଯୁକ୍ତ ଖାଦ୍ୟ ପ୍ରସ୍ତୁତି ବିଷୟରେ ମଧ୍ୟ ଆଲୋଚନା କରିଥିଲେ I ଛାତ୍ର ଛାତ୍ରୀ ମାନଙ୍କୁ ମାଛର ମୂଲ୍ୟ ଯୁକ୍ତ ଖାଦ୍ୟକୁ ନେଇ ଉଦ୍ୟୋଗୀକରଣ ବିଷୟ ରେ ଉତ୍ସାହିତ କରିଥିଲେ I ସ୍ବର୍ଗତ ରବିନାରାୟଣ ମିଶ୍ର ଜଣେ ଭଲ ଶିକ୍ଷକ ଓ ଗବେଷକ ଥିଲେ । ମତ୍ସ୍ୟକ୍ଷେତ୍ର ପ୍ରତି ତାଙ୍କର ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ନିଜର ବକ୍ତବ୍ୟ ରଖିଥିଲେ ।
ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ପଶ୍ଚିମବଙ୍ଗ ପ୍ରାଣୀ ଓ ମତ୍ସ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟ ର ଅବସରପ୍ରାପ୍ତ ଡିନ ପ୍ରଫେସର କୃଷ୍ଣ ଚନ୍ଦ୍ର ଦୋରା କହିଥିଲେ ସ୍ବର୍ଗତ ପ୍ରଫେସର ରବିନାରାୟଣ ମିଶ୍ର ଙ୍କର ମତ୍ସ୍ୟବିଜ୍ଞାନ ପ୍ରତି ଅନେକ ଅବଦାନ ରହିଛି । ସେ ଲେଖିଥିବା ବହି ଗୁଡିକ ଛାତ୍ରଛାତ୍ରୀ, ଅଧ୍ୟାପକ ଙ୍କ ଦ୍ୱାରା ଖୁବ ଗ୍ରହଣୀୟ ହୋଇପାରିଛି ବୋଲି ନିଜର ବକ୍ତବ୍ୟ ରଖିଥିଲେ ।
ମହାବିଦ୍ୟାଳୟର ଡିନ୍ ପ୍ରଫେସର ନିତ୍ୟାନନ୍ଦ ଦାସ ଅତିଥି ପରିଚୟ ଓ ସ୍ୱାଗତ ସମ୍ଭାଷଣ କରିବା ସହିତ ସ୍ବର୍ଗତ ରବିନାରାୟଣ ମିଶ୍ର ମୋର ଶିକ୍ଷକ ବୋଲି କହିଥିଲେ । ତାଙ୍କର ପାଠପଢା ଶୈଳୀ ଖୁବ ଉଚ୍ଚକୋଟିର ଥିଲା ଓ ସେ ଶିକ୍ଷକତାକୁ ବୃତ୍ତି ନୁହେଁ ବରଂ ବ୍ରତ ବୋଲି ମନେକରନ୍ତି ବୋଲି ଡିନ୍ କହିଥିଲେ ।
ପ୍ରକାଶ ଥାଉକି ପ୍ରଫେସର ସ୍ୱର୍ଗତ ରବିନାରାୟଣ ମିଶ୍ର ୧୯୮୭ ମସିହାରେ ଶିକ୍ଷକତା ଆରମ୍ଭ କରିଥିଲେ । ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ଇଞ୍ଜିନିୟରିଂ ବିଭାଗରେ କାର୍ଯ୍ୟରତ ଥାଇ ସେ ୫ଖଣ୍ଡ ବହି ସଙ୍କଳନ କରିବା ସହିତ ୬୦ ରୁ ଉର୍ଧ ନିବନ୍ଧ ଜାତୀୟ ଓ ଅନ୍ତର୍ଜାତୀୟ ଗବେଷଣା ପତ୍ରିକା ରେ ପ୍ରକାଶିତ କରିଥିଲେ । ଶିକ୍ଷାଦାନ, ଗବେଷଣା ଏବଂ ସମ୍ପ୍ରସାରଣ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ତାଙ୍କର ପାଠ୍ୟ ପୁସ୍ତକ ଗୁଡିକ ପାଇଁ ରାଜ୍ୟ ତଥା ଦେଶର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଗବେଷକ ମାନେ ଉପକୃତ ହୋଇପାରୁଛନ୍ତି । ଏହି ସଭାରେ ଦିବଂଗତ ପ୍ରଫେସର ରବିନାରାୟଣ ମିଶ୍ର ଙ୍କର ଧର୍ମପତ୍ନୀ ଡ଼. ବିଷ୍ନୁପ୍ରିୟା ମିଶ୍ର, ଅନେକ ମତ୍ସ୍ୟବିଜ୍ଞାନୀ, ବୁଦ୍ଧିଜୀବୀ, ଶିକ୍ଷାବିତ ଙ୍କ ସହିତ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଶେଷରେ ମହାବିଦ୍ୟାଳୟର ପୁରାତନ ଛାତ୍ର ତଥା ଅତିଥି ଅଧ୍ୟାପକ ଡ଼. ଅର୍ପିତ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।