ଗଜପତି,୨୪.୭(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ମହିଳା ସଶକ୍ତିକରଣ ପାଇଁ ଚାଲୁଥିବା ମିଶନ ଶକ୍ତି ବିଭାଗର କାର୍ଯ୍ୟକଳାପକୁ ନେଇ ଉଠିଛି ଏକାଧିକ ପ୍ରଶ୍ନ। କିଛି ସ୍ୱୟଂ ସହାୟକ ଗୋଷ୍ଠୀ (SHG) ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ସରକାରୀ ସୁବିଧା ଓ କାର୍ଯ୍ୟ ସୁଯୋଗ ବଣ୍ଟନରେ ସମସ୍ତ SHGଙ୍କୁ ସମାନ ସୁଯୋଗ ମିଳୁନାହିଁ। ବରଂ କେବଳ କିଛି ନିର୍ଦ୍ଦିଷ୍ଟ SHGକୁ ବାରମ୍ବାର ପ୍ରାଧାନ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି। ସରକାରଙ୍କ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ମହିଳାଙ୍କୁ ସ୍ୱାବଲମ୍ବୀ କରି ଆର୍ଥିକ ଭାବେ ସଶକ୍ତ କରିବା। କିନ୍ତୁ ସ୍ଥାନୀୟ ସ୍ତରରେ ସେହି ଲକ୍ଷ୍ୟ କେତେ ଦୂର ସଫଳ ହେଉଛି, ତାହାକୁ ନେଇ ପ୍ରଶ୍ନ ଉଠିଛି।
ଅନ୍ୟପଟେ, ଅଙ୍ଗନବାଡ଼ି ଶିଶୁମାନଙ୍କ ପାଇଁ SHG ମାଧ୍ୟମରେ ଯୋଗାଇ ଦିଆଯାଉଥିବା ପୋଷାକର ମାନକୁ ନେଇ ମଧ୍ୟ ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, ପୋଷାକଗୁଡ଼ିକ ନିମ୍ନମାନର ହେବା ସହିତ ଶିଶୁମାନଙ୍କ ମାପ ନେଇ ପ୍ରସ୍ତୁତ କରାଯାଉନଥିବାରୁ ସେଗୁଡ଼ିକ ଠିକ୍ ଭାବରେ ବ୍ୟବହାରଯୋଗ୍ୟ ହେଉନାହିଁ ଏବଂ ଅଳ୍ପ ଦିନ ମଧ୍ୟରେ ନଷ୍ଟ ହୋଇଯାଉଛି। ଏହାସହ ପ୍ରତି ତିନି ବର୍ଷରେ ବ୍ଲକ୍ ସ୍ତରୀୟ ସଙ୍ଘ ରେ ନୂତନ କମିଟି ଚୟନ ହେବାର ନିୟମ ଥିଲେ ମଧ୍ୟ, ଅନେକ ସ୍ଥାନରେ ସେହି ପ୍ରକ୍ରିୟା ଅନୁସରଣ କରାଯାଉନଥିବା ଏବଂ ମନମୁଖୀ ଭାବରେ ବିଭାଗ ପରିଚାଳନା ହେଉଥିବା ଅଭିଯୋଗ ହୋଇଛି। ତେବେ ଏହି ସମସ୍ତ ଅଭିଯୋଗର ସତ୍ୟତା ସମ୍ପର୍କରେ ସମ୍ପୃକ୍ତ ବିଭାଗର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ। ଯଦି ଅଭିଯୋଗଗୁଡ଼ିକ ସତ୍ୟ ପ୍ରମାଣିତ ହୁଏ, ତେବେ ଏହା ମିଶନ ଶକ୍ତିର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ସୃଷ୍ଟି କରିବ। ସ୍ଥାନୀୟ ମହିଳାମାନେ ଏହାର ନିରପେକ୍ଷ ତଦନ୍ତ କରି ଯୋଗ୍ୟ SHG ଗୋଷ୍ଠୀମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବାକୁ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.