ମରଣଯନ୍ତା ପାଲଟିଛି ଅସୁରଘାଟି ରାସ୍ତା, ମରାମତି କେବେ ?

ନୁଆଗଡ ୨୪/୭(ମନୋଜ ପାଢ଼ୀ) ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ସଦର ମହକୁମା ନିକଟସ୍ଥ ଅସୁର ଘାଟି ରାସ୍ତା ୧୦ମାସ ପୂର୍ବେ ଲଗାଣ ବର୍ଷାରେ ଫାଟ ଫାଟ ହୋଇ ଧୋଇଯାଇଥିବା ରାସ୍ତା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହି ମରଣଯାନ୍ତା ପାଲଟିଛି। ଖରାପ ରାସ୍ତା କାରଣରୁ ଦୁର୍ଘଟଣାର ଆଶଙ୍କା ଦିନକୁ ଦିନ ବଢ଼ିଯାଇଛି। ବିଭିନ୍ନ ସମୟରେ ଲୋକେ ଏହି ରାସ୍ତାରେ ଦୁର୍ଘଟଣା ହୋଇ ଅନେକେ ଆହତ ହେଉଥିବା ଅଭିଯୋଗ ହେଉଛି। ରାସ୍ତାର ମରାମତି କେବେ ହବ ଏ ନେଇ ଉଠିଛି ପ୍ରଶ୍ନ। ତୁରନ୍ତ ମରାମତି ପାଇଁ ଦାବି କରିଛନ୍ତି ଅଞ୍ଚଳ ବାସି। ଏହି ରାସ୍ତା ଦେଇ ବିଭାଗୀୟ କର୍ମଚାରୀ ନିତି ଯିବା ଆସିବା କରୁଥିଲେ ମଧ୍ୟ ଦୃଷ୍ଟି ଅଡୁଆଳରେ ରହିଛି। ରାସ୍ତା ସମସ୍ୟା ନେଇ ବାରମ୍ବାର ବିଭାଗୀୟ କତୃପକ୍ଷଙ୍କୁ ଅବଗତ କରାଗଲେ ମଧ୍ୟ ନିରବଦଷ୍ଟା ସାଜି ରାସ୍ତାର ମରାମତି କରିବା ପାଇଁ ତତ୍ପରତା ଦେଖାଉଥିବା ଅଭିଯୋଗ ହେଉଛି। ଏହି ରାସ୍ତା ନୂଆଗଡ଼ ବ୍ଲକ ସଦର ମହକୁମା ଠାରୁ ଖଜୁରୀପଦାକୁ ସଂଯୋଗ କରୁଥିବାରୁ ପ୍ରତିଦିନ ଦ୍ୱିଚକ୍ରଯାନ ମାଲବାହୀ ଓ ଯାତ୍ରୀବାହୀ ଯାନ, ଆମ୍ବୁଲାନ୍ସ ଯିବା ଆସିବା କରିଥାନ୍ତି। ଏଥିସହ ବିଭାଗୀୟ କତୃପକ୍ଷ, ସରକାରୀ ଉନ୍ନୟନ ବିଭାଗୀୟ କର୍ମଚାରୀ, ରାଜନେତା ମାନେ ରାସ୍ତା ଦେଇ ଯିବା ଆସିବା କରନ୍ତି। ତଥାପି ଏହି ଜରାଜୀର୍ଣ୍ଣ ରାସ୍ତାର ମରାମତି କରିବା ନିମନ୍ତେ କାହାର ଇଛା ଶକ୍ତି ନଥିବା ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ସୂଚନା ପ୍ରକାରେ ଗତ ବର୍ଷ ଅକ୍ଟୋବର ମାସରେ ହୋଇଥିବା ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଅସୁର ଘାଟି ଉପରେ ଥିବା ଶଙ୍ଖ ଉପର ଦେଇ ବନ୍ୟା ପାଣି ମାଡିଆସି ରାସ୍ତାରେ ପ୍ରବେଶ କରି ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିଲା ଏବଂ ଘାଟିର ତଳ ମୁହାଁଣରେ ଥିବା ଲୁହାର ସୁରକ୍ଷା ବାଡ଼ କିଛି ଅଂଶ ଢଳି ପଡିଯାଇଥିଲା । ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ ରାସ୍ତା ଉପରି ଅଂଶକୁ କାଡି ସମତୁଲ କରାଯାଇଥିଲା। ଏତିକିରେ ଅଟକି ରହିଲା କାର୍ଯ୍ୟ। ବର୍ତ୍ତମାନ ୧୦ ମାସ ବିତି ଯାଇଥିଲେ ମଧ୍ୟ ରାସ୍ତାର ମରାମତି ହୋଇନାହିଁ କି ରାସ୍ତାର ଲୁହା ସୁରକ୍ଷା ବାଡ଼କୁ ସଜଡ଼ା ଯାଇନାହିଁ। ସେମିତି ହିଁ ପଡ଼ି ରହିଛି। ଏହି ରାସ୍ତାରେ ଅସୁରକ୍ଷିତ ଭାବେ ଲୋକେ ଯିବା ଆସିବା କରୁଥିବାରୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ମରାମତି କରିବା ପାଇଁ ଅଞ୍ଚଳର ବୁଦ୍ଧିଜୀବୀ, ଯୁବଗୋଷ୍ଠୀ ଦାବି କରିଛନ୍ତି। ସମସ୍ୟା ସମ୍ପର୍କରେ ଜିଲ୍ଲା ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଅଭିଷେକ ସେଠୀଙ୍କୁ ଯୋଗାଯୋଗ କରାଗଲେ ମଧ୍ୟ ସମ୍ଭବ ହୋଇ ନାହିଁ। ନୂଆଗଡ଼ ପୂର୍ତ୍ତ ବିଭାଗ ବିଭାଜନ ଯନ୍ତ୍ରୀ ବଳରାମ ମାଝୀ କ୍ଷତିଗ୍ରସ୍ତ ରାସ୍ତାର ସ୍ଥିତି ଅନୁଧ୍ୟାନ କରି ପ୍ରସ୍ତାବ ପଠା ଯାଇଛି। ମଞ୍ଜୁର ହୋଇ ଆସିଲେ ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରାଯିବ କହିଛନ୍ତି।

Comments are closed.