ବାଲେଶ୍ୱର, ୨୩ ଜୁଲାଇ(କୃଷ୍ଣ କୁମାର ମହାନ୍ତି): ଇମାମି ନଗରସ୍ଥିତ ଗୁଣ୍ଡିଚା ମନ୍ଦିର ମେଳାପଡ଼ିଆରେ ଆୟୋଜିତ ରଥଉତ୍ସବ-୨୦୨୬ ବର୍ଷାଭିଜା ପରିବେଶ ମଧ୍ୟରେ ଅନୁଷ୍ଠିତ ହେବା ସହିତ ଭକ୍ତି, ସେବା ଓ ସଂସ୍କୃତିର ଏକ ଅପୂର୍ବ ସମନ୍ୱୟର ସାକ୍ଷୀ ପାଲଟିଥିଲା। ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗମ୍ଭୀର ମନ୍ତ୍ରୋଚ୍ଚାରଣ ଓ ଭକ୍ତିମୟ ପରିବେଶ ମଧ୍ୟରେ ତୁଳସୀ ଅଭିଷେକ ସମ୍ପନ୍ନ ହୋଇଥିଲା।
ଅପରାହ୍ନରେ ଆୟୋଜିତ ସମ୍ମାନ ସମାରୋହରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏଫ୍.ଏମ୍. ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ଦେବାଶିଷ ପାତ୍ର, ସ୍ୱାସ୍ଥ୍ୟ କ୍ଷେତ୍ରରେ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ, କ୍ରୀଡ଼ା କ୍ଷେତ୍ରରେ ରାଜ୍ୟସ୍ତରୀୟ କ୍ରିକେଟର କୁମାରୀ ଶୁଭଲକ୍ଷ୍ମୀ ସିଂହ, ଜନନୀ ଟେଲରିଂ ସେଣ୍ଟରର ଆରତି ପ୍ରଧାନ, ସ୍ୱେଚ୍ଛାସେବୀ ସଂଗଠନ ‘ମାତୃଭୂମି ସେବା ସଂସ୍ଥା’ ଏବଂ କୁଟିର ଶିଳ୍ପ କ୍ଷେତ୍ରରେ ବିମଳା ରଥଙ୍କୁ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଆଇଟିଆରର ଅତିରିକ୍ତ ନିର୍ଦ୍ଦେଶକ ନୀଳାଦ୍ରି ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରଥଉତ୍ସବ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ କମ୍ପାନୀର ନିର୍ଦ୍ଦେଶକ ସୁଶୀଲ ଗୋୟେଙ୍କା ଓ ସିଇଓ ସୁଶୀଲ କୁମାର ଖେତାନ ପୁରସ୍କୃତ କରିଥିଲେ। ପରେ ଦୀପଦୀପାଳିରେ ସମଗ୍ର ମେଳାପଡ଼ିଆ ଓ ଗୁଣ୍ଡିଚା ମନ୍ଦିର ଆଲୋକମାଳାରେ ଝଲମଲ କରିଉଠିଥିଲା।
ସନ୍ଧ୍ୟା ୬.୩୦ରୁ ବୃନ୍ଦାବନରୁ ଆସିଥିବା ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ୱାରା ପରିବେଷିତ ମନୋମୁଗ୍ଧକର ରାସଲୀଳା ଦର୍ଶକ ଓ ଶ୍ରଦ୍ଧାଳୁଙ୍କୁ ଆଧ୍ୟାତ୍ମିକ ଭାବାବେଗରେ ବିଭୋର କରିଦେଇଥିଲା।
ଉଦ୍ଯାପନୀ ସମାରୋହରେ ବାଲେଶ୍ୱର ଭିଜିଲାନ୍ସ ଜିଲ୍ଲା ବିଚାରପତି ଲଳିତ ଦାସ ଏବଂ ରେମୁଣା ବିଡିଓ ସାର୍ଥକ ସୌରଭ ମହାପାତ୍ର ଯୋଗଦେଇ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିଥିଲେ। ସେମାନେ ମହାପ୍ରଭୁ ଜଗନ୍ନାଥଙ୍କ ଆଦର୍ଶ, ସେବା, ମାନବିକତା ଓ ସାମାଜିକ ସମନ୍ୱୟର ବାର୍ତ୍ତାକୁ ଅନୁସରଣ କରିବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ।
ସମଗ୍ର ରଥଉତ୍ସବ ଭକ୍ତି, ସେବା, ସାମାଜିକ ସୌହାର୍ଦ୍ଦ ଓ ସାଂସ୍କୃତିକ ପରମ୍ପରାର ଏକ ସୁନ୍ଦର ନିଦର୍ଶନ ଭାବେ ସଫଳତାର ସହ ସମ୍ପନ୍ନ ହୋଇଥିଲା।