ଛେଳିଗଡ଼ ଜଳସେଚନ ପ୍ରକଳ୍ପ: ବିସ୍ଥାପିତ ପରିବାରଙ୍କୁ ୮.୪୮ କୋଟିର ପୁନର୍ବାସ ପ୍ୟାକେଜ୍

0

ଭୁବନେଶ୍ୱର: ଗଜପତି ଜିଲ୍ଲାର ବହୁ ପ୍ରତୀକ୍ଷିତ ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ୭୮ଟି ପରିବାରଙ୍କୁ ପୁନର୍ବାସ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାର ୮ କୋଟି ୪୮ ଲକ୍ଷ ୬୩ ହଜାର ୯୩୨ ଟଙ୍କାର ସଂଶୋଧିତ ଆର୍ଥିକ ପ୍ୟାକେଜ୍ ଅନୁମୋଦନ କରିଛନ୍ତି। ଏନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ଅନୁମୋଦନ ଆଦେଶ ଜାରି ହୋଇଛି।

ସୁଗୁବା, ତିଲିଗାଁ, ଛାଡ଼ିଆପଡ଼ା, କାକିଲି ଓ ବିଦ୍ୟାଧରପୁର ଗ୍ରାମର ୭୮ଟି ବିସ୍ଥାପିତ ପରିବାର ଏହି ସହାୟତାର ସୁବିଧା ପାଇବେ। ଓଡ଼ିଶା ପୁନର୍ବାସ ଓ ପୁନଃଥଇଥାନ ନୀତି–୨୦୦୬ର ନବମ ଦ୍ୱିବାର୍ଷିକ ସଂଶୋଧନ ଅନୁଯାୟୀ ସେମାନଙ୍କୁ ସଂଶୋଧିତ ପୁନର୍ବାସ ପ୍ୟାକେଜ୍ ପ୍ରଦାନ କରାଯିବ।

ସରକାର ସ୍ପଷ୍ଟ କରିଛନ୍ତି ଯେ, ବିସ୍ଥାପିତ ପରିବାରମାନଙ୍କର ସ୍ଥାନାନ୍ତରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ହିଁ ସହାୟତା ରାଶି ମୁକ୍ତ କରାଯିବ। ସମସ୍ତ ଅର୍ଥରାଶି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (ଡିବିଟି) ବ୍ୟବସ୍ଥାରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଜମା କରାଯିବ। ଏହାଦ୍ୱାରା ସହାୟତା ବିତରଣରେ ସ୍ୱଚ୍ଛତା ଓ ଜବାବଦେହିତା ସୁନିଶ୍ଚିତ ହେବ ବୋଲି ବିଭାଗ ଆଶା ପ୍ରକାଶ କରିଛି।

ଏଥିସହ ଜିଲ୍ଲା ପ୍ରଶାସନକୁ ହିତାଧିକାରୀଙ୍କ ସମସ୍ତ ଦସ୍ତାବିଜର ଯାଞ୍ଚ କରିବା, ସେମାନେ ପୂର୍ବରୁ ସମାନ ସହାୟତା ପାଇନଥିବା ନିଶ୍ଚିତ କରିବା ଏବଂ କୌଣସି ଜାଲିଆତି କିମ୍ବା ମିଥ୍ୟା ଦସ୍ତାବିଜ ଚିହ୍ନଟ ହେଲେ ତୁରନ୍ତ ଆଇନାନୁଗ ପଦକ୍ଷେପ ଗ୍ରହଣ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଏହି ପୁନର୍ବାସ ସହାୟତା ବାବଦରେ ହେବାକୁ ଥିବା ସମସ୍ତ ବ୍ୟୟ ୨୦୨୬–୨୭ ଆର୍ଥିକ ବର୍ଷର ବଜେଟ୍ ବ୍ୟବସ୍ଥାରୁ ବହନ କରାଯିବ। ପ୍ରକଳ୍ପ ପ୍ରଭାବିତ ପରିବାରଙ୍କ ପୁନର୍ବାସ ପ୍ରକ୍ରିୟାକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ଦିଗରେ ଏହି ଅନୁମୋଦନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଶାସନିକ ମହଲରେ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.