ମୋହନା ୬.୭(ମନୋଜ ପାଢ଼ୀ)-: ବନମହୋତ୍ସବ ସପ୍ତାହ ଅବସରରେ ଭାରତୀୟ ରେଡକ୍ରସ, ଓଡ଼ିଶା ରାଜ୍ୟ ଶାଖା ଏବଂ ଗଜପତି ଜିଲ୍ଲା ଜୁନିଅର ରେଡକ୍ରସର ମିଳିତ ଆନୁକୂଳ୍ୟରେ ଜିଲ୍ଲାର ବିଭିନ୍ନ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଛି। ଗଜପତି ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ତଥା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀ ସଞ୍ଜୀବ କୁମାର ଦାସଙ୍କ ନେତୃତ୍ୱରେ ବୁରୁପଦା, କମଳାପୁର, ଲବାରସିଂ, ଶଗଡ଼ା, ତେନ୍ତୁଳୀଖୁଣ୍ଟି, ଅନଙ୍ଗପୁର, ଲମ୍ପଦା, ରାଇପୁରରୁ ଆରମ୍ଭ କରି ପାଢ଼ୀଗାଁ ପର୍ଯ୍ୟନ୍ତ ବିଭିନ୍ନ ବିଦ୍ୟାଳୟରେ ପ୍ରାୟ ୨୦୦ରୁ ଅଧିକ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା।


ପିଜୁଳି, ବେଲ, ସୀତାଫଳ, ଅର୍ଜୁନ, ପଳାଶ ଓ ବାହାଡ଼ା ଭଳି ପରିବେଶ ଉପଯୋଗୀ ବୃକ୍ଷର ଚାରା ରୋପଣ କରି ପରିବେଶ ସୁରକ୍ଷା ଏବଂ ସବୁଜିମା ବୃଦ୍ଧିର ବାର୍ତ୍ତା ଦିଆଯାଇଥିଲା। ଶ୍ରୀ ଦାସ ଜଣେ ସମାଜସେବୀ ଓ ଆଦର୍ଶ ଶିକ୍ଷକ ଭାବେ ସୁପରିଚିତ। ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ମହାମହିମ ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କଠାରୁ ସମ୍ମାନିତ ହୋଇସାରିଛନ୍ତି। ଏହି ଅଭିନବ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମାୟାଧର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏସ୍. ଗିରିଧାରୀ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ୱାଇ. କ୍ରିଷ୍ଣା ରାଓ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର, ରାଜ୍ୟ ଜୁନିଅର ରେଡକ୍ରସ ଅଧିକାରୀ ଶ୍ରୀ ଲକ୍ଷ୍ମଣ ସ୍ୱାଇଁଙ୍କ ସମେତ ବିଭିନ୍ନ ସାମାଜିକ, ଶିକ୍ଷା ଓ ସ୍ୱେଚ୍ଛାସେବୀ ସଂଗଠନ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି। ପରିବେଶ ସୁରକ୍ଷା ଦିଗରେ ଏଭଳି ନିରନ୍ତର ପ୍ରୟାସ ଗଜପତି ଜିଲ୍ଲା ପାଇଁ ଏକ ପ୍ରେରଣାଦାୟକ ପଦକ୍ଷେପ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। ଶ୍ରୀ ସଞ୍ଜୀବ କୁମାର ଦାସଙ୍କ ଏହି ସେବାମୂଳକ କାର୍ଯ୍ୟକୁ ନେଇ ଜିଲ୍ଲାବ୍ୟାପୀ ପ୍ରଶଂସାର ସୁଅ ଛୁଟିଛି।
Comments are closed.