ଶସ୍ତା ଗୀତକୁ ବିରୋଧ କରି ଜଗନ୍ନାଥ ଭଜନ ପାଇଁ ବାଲେଶ୍ୱରର ଗୀତିକାର ସମରେନ୍ଦ୍ରନାଥ ମହାପାତ୍ରଙ୍କ ନୂଆ ସୃଜନଯାତ୍ରା

ବାଲେଶ୍ୱର, ଜୁଲାଇ ୧ (କୃଷ୍ଣ କୁମାର ମହାନ୍ତି): ସମକାଳୀନ ଓଡ଼ିଆ ସଙ୍ଗୀତରେ ବଢ଼ିଚାଲିଥିବା ଶସ୍ତା ଗୀତର ପ୍ରବଣତାକୁ ନେଇ ବ୍ୟଥିତ ହୋଇ ବାଲେଶ୍ୱରର ବିଶିଷ୍ଟ କବି, ଗୀତିକାର, ସାମ୍ବାଦିକ ଓ ସମ୍ପାଦକ ସମରେନ୍ଦ୍ରନାଥ ମହାପାତ୍ର ସମ୍ପ୍ରତି ଜଗନ୍ନାଥ ଭଜନ ରଚନାରେ ମନୋନିବେଶ କରିଛନ୍ତି। ତାଙ୍କ ରଚିତ ଏକାଧିକ ଭଜନ ଇତିମଧ୍ୟରେ ଲୋକାର୍ପିତ ହୋଇ ସଙ୍ଗୀତପ୍ରେମୀଙ୍କ ମଧ୍ୟରେ ପ୍ରଶଂସାଭାଜନ ହୋଇପାରିଛି।
ଶ୍ରୀ ମହାପାତ୍ରଙ୍କ ଲେଖା ଲୋକପ୍ରିୟ ଭଜନଗୁଡ଼ିକ ମଧ୍ୟରେ ‘ଚଉବର୍ଗ ଦାନୀ ବୋଲି’ (କଣ୍ଠଶିଳ୍ପୀ: କୁମାର ବାପି, ସଙ୍ଗୀତ: ସମର), ‘ମହାବାହୁ’ (କଣ୍ଠଶିଳ୍ପୀ: ବିଷ୍ଣୁମୋହନ କବି, ସଙ୍ଗୀତ: ମନୋଜ ରଥ), ‘ଶ୍ରୀକ୍ଷେତ୍ରମଣି’ (କଣ୍ଠଶିଳ୍ପୀ: ସଂଗ୍ରାମ ମହାନ୍ତି, ସଙ୍ଗୀତ: ଦିନେଶ ମଲ୍ଲିକ), ‘କାଳିଆ ତୁ ଏଡେ ନିରିଦୟ ହେଲୁ’ (କଣ୍ଠଶିଳ୍ପୀ: ବିଭୁପ୍ରସାଦ ତ୍ରିପାଠୀ, ସଙ୍ଗୀତ: ସମର) ଏବଂ ‘ଆରେ ମୋ କାଳିଆ ସାଥୀ’ (କଣ୍ଠଶିଳ୍ପୀ: ବହ୍ନିମାନ ରଥ, ସଙ୍ଗୀତ: ସମର) ବିଶେଷ ଭାବେ ଉଲ୍ଲେଖଯୋଗ୍ୟ। ସମର ଅଡିଓ ଭିଜୁଆଲ୍ ବ୍ୟାନରରେ ପ୍ରସ୍ତୁତ ଏହି ଜଗନ୍ନାଥ ଭଜନ ସବୁ ଏବେ ଲୋକପ୍ରିୟ ହେବାରେ ଲାଗିଛି।
ପୁରୀର ମୂଳନିବାସୀ ସମରେନ୍ଦ୍ରନାଥ ମହାପାତ୍ର ବର୍ତ୍ତମାନ ସପରିବାର ବାଲେଶ୍ୱରରେ ବସବାସ କରୁଛନ୍ତି। ସେ ଜଣେ ସୁପରିଚିତ କବି ଭାବେ ପରିଚିତ ହେବା ସହ ତାଙ୍କର ଏକାଧିକ କବିତା ସଂକଳନ ମଧ୍ୟ ପ୍ରକାଶିତ ହୋଇଛି। ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ସେ ସୁନାମ ଅର୍ଜନ କରିଛନ୍ତି। ଏହା ସହ ‘ଚିତ୍ରଲିପି’ ଓ ‘ଝର୍କା’ ନାମକ ଦୁଇଟି ସାହିତ୍ୟ ପତ୍ରିକାର ସମ୍ପାଦନା କରୁଛନ୍ତି।
ଶୁଦ୍ଧ ସାହିତ୍ୟିକ ଚେତନା ଓ ଭକ୍ତିଭାବକୁ ସଙ୍ଗୀତ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ଶ୍ରୀ ମହାପାତ୍ର ଜଗନ୍ନାଥ ଭଜନ ରଚନାରେ ନିଜକୁ ସମର୍ପିତ କରିଛନ୍ତି। ତାଙ୍କର ଏହି ପ୍ରୟାସ ଓଡ଼ିଆ ଭକ୍ତି ସଙ୍ଗୀତକୁ ଏକ ନୂଆ ଦିଗ ଦେବ ବୋଲି ସଙ୍ଗୀତପ୍ରେମୀ ଓ ସାହିତ୍ୟପ୍ରେମୀ ମହଲରେ ଆଶା ପ୍ରକାଶ ପାଉଛି।

Comments are closed.