ବୁର୍ଲା : ବୁର୍ଲାସ୍ଥିତ ଭିମସା ର ପ୍ରତିଷ୍ଠାନ ଅଧିକାରୀ-କମ୍-ଅଫିସ୍ ସୁପରିଣ୍ଟେଣ୍ଡେଣ୍ଟ ଧନୁର୍ଦ୍ଧର ବିଶ୍ୱାଳଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ରଖିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବୁଧବାର ଏକକାଳୀନ ଚଢ଼ାଉ କରାଯାଇଛି।ମାନ୍ୟବର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି, ସମ୍ବଲପୁରଙ୍କ ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୨ ଜଣ ଡିଏସ୍ପି, ୫ ଜଣ ଇନ୍ସପେକ୍ଟର, ୩ ଜଣ ଏଏସ୍ଆଇ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଭିଜିଲାନ୍ସ ଟିମ୍ ସମ୍ବଲପୁର ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ତଲାସି ଚଳାଇଛି।ଯେଉଁ ସ୍ଥାନଗୁଡ଼ିକରେ ଚଢ଼ାଉ କରାଯାଇଛି, ସେଗୁଡ଼ିକ ହେଲା ସମ୍ବଲପୁର ଧନକୌଡାରେ ଥିବା ତାଙ୍କର ଦୁଇ ମହଲା ବିଶିଷ୍ଟ ବାସଭବନ, ସମ୍ବଲପୁରର ଗୁଡେସିଙ୍ଗାରେ ଥିବା ଅନ୍ୟ ଏକ ଘର, ଭିମସାର ମେଡିକାଲ ଷ୍ଟାଫ୍ କଲୋନିରେ ଥିବା ସରକାରୀ କାର୍ଯ୍ୟାଳୟ ଏବଂ ଭିମସାର ସୁପରିଣ୍ଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ପରିସରରେ ଥିବା ତାଙ୍କର କାର୍ଯ୍ୟାଳୟ ପ୍ରକୋଷ୍ଠ।ଭିଜିଲାନ୍ସ ଟିମ୍ ପକ୍ଷରୁ ସମସ୍ତ ସ୍ଥାନରେ ଦସ୍ତାବିଜ, ସମ୍ପତ୍ତି ସମ୍ବନ୍ଧୀୟ କାଗଜପତ୍ର ଓ ଅନ୍ୟାନ୍ୟ ପ୍ରମାଣର ଯାଞ୍ଚ ଚାଲିଥିବା ବେଳେ ତଲାସି ଶେଷ ପରେ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ, ଧନୁର୍ଦ୍ଧର ବିଶ୍ୱାଳଙ୍କ ବିରୋଧରେ ପୂର୍ବରୁ ଭିମସାରରେ ପ୍ରଶାସନିକ କାର୍ଯ୍ୟ ଓ ବିଭିନ୍ନ ଅନିୟମିତତା ସମ୍ପର୍କିତ ଅଭିଯୋଗ ଉଠିଥିଲା। ତେବେ ସେହି ଅଭିଯୋଗଗୁଡ଼ିକର ସତ୍ୟତା ସମ୍ପର୍କରେ କୌଣସି ଚୂଡ଼ାନ୍ତ ନିଷ୍କର୍ଷ ଆସିନଥିବା ବେଳେ ଭିଜିଲାନ୍ସର ତଦନ୍ତ ଜାରି ରହିଛି। ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ସ୍ଥିତି ସ୍ପଷ୍ଟ ହେବ।
Comments are closed.