ବ୍ୟବସାୟୀଙ୍କୁ ହତ୍ୟା ମାମଲା: ଘଟଣା ସ୍ଥଳ ପରିଦର୍ଶନ କଲା ବିଜେଡିର ସ୍ବତନ୍ତ୍ର ଦଳ,ଏସପିଙ୍କୁ ଦେଲେ ଦାବିପତ୍ର

ବାଲେଶ୍ବର:ବ୍ୟବସାୟୀ ସେକ ହମିଦଙ୍କୁ ହତ୍ୟା ଘଟଣାରେ ବିଜେଡିର ସ୍ବତନ୍ତ୍ର ଦଳ ଶନିବାର ଗନିପୁରରେ ମୃତକଙ୍କ ଘରେ ପରିବାରକୁ ଭେଟି ଆଲୋଚନା କରିଛନ୍ତି। ଏହା ସହିତ ଅପରାଧ ହୋଇଥିବା ଅରଡ଼ ବଜାର ଘଟଣା ସ୍ଥଳକୁ ଯାଇ ପରିଦର୍ଶନ କରିଛନ୍ତି। ପରେ ସେମାନେ ଏସପିଙ୍କ କାର୍ଯ୍ୟାଳୟକୁ ଯାଇ ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକରଙ୍କୁ ଭେଟି ଏନେଇ ଆଲୋଚନା କରିଛନ୍ତି। ଏହି ସ୍ବତନ୍ତ୍ର ଟିମରେ ଜିଲା ବିଜେଡି ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୋର ବିଧାୟକ ମାଧବ ଧଡ଼ା, ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାଶ, ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ, ଜୀବନ ପ୍ରଦୀପ ଦାଶ, ସୁଧାଂଶୁ ଶେଖର ପରିଡ଼ା, ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ସାମିଲ ଥିଲେ। ଏବେ ଜିଲାରେ ଅପରାଧୀଙ୍କ ଜଙ୍ଗଲରାଜ ଚାଲିଛି ଏହି ଘଟଣା ବହୁ ନିନ୍ଦନୀୟ ବୋଲି ଦଳର ନେତାମାନେ ପ୍ରକାଶ କରିଛନ୍ତି। ସେମାନେ ପ୍ରତ୍ୟୁଷ ଦିବାକରଙ୍କୁ ଭେଟି ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରିବାକୁ କହିଛନ୍ତି। ଏହା ସହିତ ମୃତକଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଅରୁରୋଧ କରିଥିଲେ। ଏହା ସହିତ ଏସପିଙ୍କୁ ନେତାମାନେ ଦାବିପତ୍ର ଦେଇଥିଲେ। ଏନେଇ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି ଏବେ ସୁଦ୍ଧା ପୁଲିସର ହାତ ଖାଲି ରହିଛି। କେବଳ ଏବେ ନୁହେଁ ପୂର୍ବରୁ ମଧ୍ୟ ଅରଡ଼ ବଜାର ଅପରାଧର ପେଣ୍ଠସ୍ଥଳ ପାଲଟିଛି। ସେ ଆହୁରି କହିଛନ୍ତି ଯେ, ଏପର୍ଯ୍ୟନ୍ତ ମୃତକଙ୍କ ପରିବାରକୁ ପୁଲିସ ତଦନ୍ତ ପ୍ରକ୍ରିୟାରେ ସାମିଲ କରିନାହିଁ। ଏହା ସହିତ ଦଳ ପକ୍ଷରୁ ପୁଲିସକୁ ୪୮ ଘଣ୍ଟା ସମୟ ଦିଆଯାଇଛି, ସେହି ସମୟ ମଧ୍ୟରେ ଅଭିଯୁକ୍ତ ଧରା ନପଡ଼ିଲେ ଦଳ ଏସପି କାର୍ଯ୍ୟାଳୟ ଆଗରେ ଧାରଣା ଦେବ ବୋଲି ଚେତାବନୀ ଦେଇଛି।

Comments are closed.