ଆର , ଉଦୟଗିରି ୨୬।୬ (ମନୋଜ ପାଢ଼ୀ): ଗଜପତି ଜିଲା ରା. ଉଦୟଗିରି ଥାନା ପୋଲିସ ପକ୍ଷରୁ ଆଜି ମାଦକ ଦ୍ରବ୍ୟ କାରବାର ବିରୋଧରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ବିଭିନ୍ନ ସମୟରେ ଚଢ଼ାଉ କରାଯାଇ ଜବତ ହୋଇଥିବା ପ୍ରାୟ ୩,୧୧୬ କିଲୋଗ୍ରାମ ଗଞ୍ଜେଇକୁ NDPS ଆଇନର ସମସ୍ତ ନିୟମ ପାଳନ କରି ସଫଳତାର ସହ ପୋଡ଼ି ଧ୍ୱଂସ କରାଯାଇଛି।
ସୂଚନା ଅନୁଯାୟୀ, ଗଞ୍ଜେଇ ଚୋରା ଚାଲାଣ ସମୟରେ ବିଭିନ୍ନ ସ୍ଥାନରୁ ଜବତ କରାଯାଇଥିବା ଏହି ବିପୁଳ ପରିମାଣର ଗଞ୍ଜେଇକୁ ପ୍ରଥମେ ରା. ଉଦୟଗିରିର ମାନ୍ୟବର ଜେଏମଏଫ୍ସିଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଯାଞ୍ଚ କରାଯାଇ ଏକ ସଠିକ୍ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହାପରେ ଏହି ନିଷିଦ୍ଧ ସାମଗ୍ରୀର ଧ୍ୱଂସୀକରଣ ପାଇଁ ରାଜ୍ୟ ଡ୍ରଗ୍ ଡିସ୍ପୋଜାଲ କମିଟି ନିକଟକୁ ପ୍ରସ୍ତାବ ପଠାଯାଇଥିଲା।
ଡ୍ରଗ୍ ଡିସ୍ପୋଜାଲ କମିଟି ପକ୍ଷରୁ ଗ୍ରୀନ୍ ସିଗନାଲ୍ ବା ଅନୁମୋଦନ ମିଳିବା ପରେ ଆଜି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଶେରଗଡ଼ ଗ୍ରାମ ନିକଟରେ ଧ୍ୱଂସୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେଠାରେ ଥିବା ଇଲେକ୍ଟ୍ରି ଚୁଲା ସାହାଯ୍ୟରେ ଏହି ସମସ୍ତ ଗଞ୍ଜେଇକୁ ପୋଡ଼ି ପାଉଁଶ କରିଦିଆଯାଇଛି।
ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ସମୟରେ ଡ୍ରଗ୍ ଡିସ୍ପୋଜାଲ କମିଟିର ଅଧ୍ୟକ୍ଷଙ୍କ ସମେତ ଗଜପତି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ, ଡିଏସ୍ପି (ମୁଖ୍ୟାଳୟ), ଡେପୁଟି କଲେକ୍ଟର ଏବଂ ରା. ଉଦୟଗିରି ଥାନାର ଆଇଆଇସି ପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟାନୁଷ୍ଠାନ ବାବଦରେ ସୂଚନା ଦେଇ ରା. ଉଦୟଗିରି ଏସଡ଼ିପିଓ କହିଛନ୍ତି ଯେ, ସମସ୍ତ ପ୍ରକ୍ରିୟାକୁ ଅତ୍ୟନ୍ତ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଆଇନଗତ ନିୟମ କାନୁନର ପରିସର ମଧ୍ୟରେ ସୂଚାରୁରୂପେ ସମ୍ପନ୍ନ କରାଯାଇଛି। ପୋଲିସର ଏହି ବଡ଼ ପଦକ୍ଷେପ ଯୋଗୁ ଅଞ୍ଚଳର ଚୋରା ଗଞ୍ଜେଇ ବେପାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।
Sign in
Sign in
Recover your password.
A password will be e-mailed to you.
Comments are closed.