ଭୁବନେଶ୍ଵର: ଓଡ଼ିଶା ସିନେ ଜଗତର ବହୁପ୍ରତୀକ୍ଷିତ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଗୁରୁବାର ଘୋଷଣା କଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଚଳିତ ବର୍ଷ ଏକକାଳୀନ ଦୁଇ ବର୍ଷ ଅର୍ଥାତ ୨୦୨୩ ଏବଂ ୨୦୨୪ ମସିହା ପାଇଁ ପୁରସ୍କାର ପ୍ରଦାନ କରାଯିବ।ଚଳଚ୍ଚିତ୍ର ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ କଳାକାର ଓ ସିନେମାଗୁଡ଼ିକୁ ବିଭିନ୍ନ ବିଭାଗରେ ସମ୍ମାନିତ କରାଯାଇଛି ।୨୦୨୩ ଓ ୨୦୨୪ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ୨୦୨୩ ପାଇଁ ‘ପୁଷ୍କରା’ ଓ ‘ମାଇଁ ସୁଇଟ୍ ହାଉସ୍ ୱାଇଫ୍’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।
- ଶ୍ରେଷ୍ଠ ଚଳଚ୍ଚିତ୍ର: ‘ପୁଷ୍କରା’ ଏବଂ ‘ମାଇଁ ସୁଇଟ୍ ହାଉସ୍ ୱାଇଫ୍’ (ଯୁଗ୍ମ)
- ଶ୍ରେଷ୍ଠ ନିର୍ଦ୍ଦେଶକ: ପିନାକୀ ସିଂହ ଓ ଶିଶିର କୁମାର ସାହୁ
- ଶ୍ରେଷ୍ଠ ମୁଖ୍ୟ ଅଭିନେତା: ହରିହର ମହାପାତ୍ର
- ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ: ନୈନା ଦାସ ତିୱାରୀ ଏବଂ ସୁପ୍ରିୟା ନାୟକ (ଯୁଗ୍ମ)
- ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର (ଜୀବନବ୍ୟାପୀ ସାଧନା): ଅଭିନେତା ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ
- ୨୦୨୪ ମସିହା ପାଇଁ ପୁରସ୍କାର ବିଜେତାଙ୍କ ତାଲିକା:
- ୨୦୨୪ ବର୍ଷ ପାଇଁ ଚଳଚ୍ଚିତ୍ର ‘ଆଶ୍ରମ’ ବାଜିମାତ କରିଥିବା ବେଳେ ଓଲିଉଡର ଚକୋଲେଟ୍ ବୟ ବାବୁଶାନ ଓ ଅଭିନେତ୍ରୀ ଦେବଜାନୀ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି।
- ଶ୍ରେଷ୍ଠ ଚଳଚ୍ଚିତ୍ର: ‘ଆଶ୍ରମ’
- ଶ୍ରେଷ୍ଠ ନିର୍ଦ୍ଦେଶକ: ଅଶୋକ ପତି
- ଶ୍ରେଷ୍ଠ ମୁଖ୍ୟ ଅଭିନେତା: ବାବୁଶାନ ମହାନ୍ତି
- ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ: ଦେବଜାନୀ
- ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର (ଜୀବନବ୍ୟାପୀ ସାଧନା): ବରିଷ୍ଠ ଅଭିନେତ୍ରୀ ନମ୍ରତା ଦାସ
ରାଜ୍ୟ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ “ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର” ପାଇଁ ୨୦୨୩ ବର୍ଷ ନିମନ୍ତେ ଅଭିନେତା ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ଚୟନ କରାଯାଇଥିବା ବେଳେ, ୨୦୨୪ ବର୍ଷ ପାଇଁ ବରିଷ୍ଠ ଅଭିନେତ୍ରୀ ନମ୍ରତା ଦାସଙ୍କ ନାମ ଘୋଷଣା କରାଯାଇଛି।
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିବା ସହିତ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ସମସ୍ତ ବିଜେତା ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ନିଶ୍ଚିତ ଭାବରେ ଓଡ଼ିଶାରେ ଓଡ଼ିଆ ଭାଷାରେ ଉନ୍ନତ, ମୂଲ୍ୟବୋଧ ଭିତ୍ତିକ, ସାମାଜିକ ପ୍ରାସଙ୍ଗିକତା ବିଷୟ ବସ୍ତୁ ଉପରେ ଆଧାରିତ ଚଳଚ୍ଚିତ୍ର ପ୍ରସ୍ତୁତ କରିବା ନିମନ୍ତେ ପ୍ରୋତ୍ସାହନ ଯୋଗାଇବ। ଏଥିସହ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓଡ଼ିଆ ଚଳଚ୍ଚିତ୍ର ଜଗତର ବିକାଶ ଓ ସମୃଦ୍ଧିରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।
ପ୍ରକାଶଯୋଗ୍ୟ ଯେ, ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବା ଚଳଚ୍ଚିତ୍ର ଜଗତର ବିଶିଷ୍ଟ ନିର୍ଦ୍ଦେଶକ ଶ୍ରୀ ପ୍ରଣବ ଦାସଙ୍କ ଅଧ୍ୟକ୍ଷତାରେ ଏକ ଜୁରୀ କମିଟି ଗଠନ କରାଯାଇଥିଲା। ଆଜିର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଣବ ଦାସଙ୍କ ସମେତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.