ବାଲେଶ୍ୱର, ୨୨ ଜୁନ[କୃଷ୍ଣ କୁମାର ମହାନ୍ତି : ଫକୀର ମୋହନ କଲେଜ ଆଲୁମିନି ଆସୋସିଏସନ ଏବଂ ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ରବିବାର ବିବିସିସି ବ୍ୟାଙ୍କର ସମ୍ମିଳନୀ କକ୍ଷରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ୫୦ରୁ ଅଧିକ ବ୍ୟକ୍ତି ଯୋଗ ଦେଇ ବିଏମ୍ଡି (Bone Mineral Density) ପରୀକ୍ଷା କରାଇଥିଲେ।
ଶିବିର ଆରମ୍ଭ ପୂର୍ବରୁ ଏକ ସ୍ୱାସ୍ଥ୍ୟ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ବ୍ୟାଙ୍କର ସଭାପତି ଗଣେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଏଫ୍ଏମ୍ ଆଲୁମିନିର ସଭାପତି ଡା. ପ୍ରଭାତ ଚୌଧୁରୀ, ଉପସଭାପତି ଅନିଲ କୁମାର ପଟ୍ଟନାୟକ, ବ୍ୟାଙ୍କର ନିର୍ଦ୍ଦେଶିକା ଅନିତା ଭୂୟାଁ, ଡିଜିଏମ୍ ହିମାଂଶୁ ଶେଖର ଦାସ, ଏଜିଏମ୍ ବ୍ରଜ କିଶୋର କର ଓ ପ୍ରଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ଡା. ପ୍ରଭାତ ଚୌଧୁରୀ ବିଏମ୍ଡି ପରୀକ୍ଷାର ଆବଶ୍ୟକତା ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ଅଷ୍ଟିଓପୋରୋସିସ୍ ଓ ଅଷ୍ଟିଓପେନିଆ ଭଳି ହାଡ଼ଜନିତ ସମସ୍ୟା ଶରୀରର ବିଭିନ୍ନ ଅଂଶରେ ଯନ୍ତ୍ରଣା ସୃଷ୍ଟି କରିବା ସହ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ। ଉପଯୁକ୍ତ ସମୟରେ ପରୀକ୍ଷା ଓ ଚିକିତ୍ସା ମାଧ୍ୟମରେ ଏହି ସମସ୍ୟାଗୁଡ଼ିକର ଉପଶମ ସମ୍ଭବ ବୋଲି ସେ ମତ ପ୍ରକାଶ କରିଥିଲେ। ପରୀକ୍ଷା ରିପୋର୍ଟ ଅନୁଯାୟୀ ସେ ଉପସ୍ଥିତ ବ୍ୟକ୍ତିମାନଙ୍କୁ ଆବଶ୍ୟକ ପରାମର୍ଶ ଓ ଔଷଧ ସେବନ ସମ୍ପର୍କିତ ସୂଚନା ମଧ୍ୟ ପ୍ରଦାନ କରିଥିଲେ।
ଶେଷରେ ଆଲୁମିନିର ଉପସଭାପତି ଅନିଲ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବିର ପରିଚାଳନାରେ ଆଲୁମିନିର ଶତ୍ରୁଘ୍ନ ମଲ୍ଲିକ, ରାମଚନ୍ଦ୍ର ସେଠୀ, ପୀତାମ୍ବର ଦାସ, ଦେବାଶିଷ ପାଣି, ଅକ୍ଷୟ ତ୍ରିପାଠୀଙ୍କ ସମେତ ବ୍ୟାଙ୍କର ବହୁ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।
Comments are closed.