ଆର, ଉଦୟଗିରି ୨୨/୬/୨୬ (ମନୋଜ କୁମାର ପାଢୀ): କୁଇ କନ୍ଧ ଆଦିବାସୀ ସମ୍ପ୍ରଦାୟର ନିଆରା ତଥା ପାରମ୍ପରିକ ସଡ୍ରା ପର୍ବ ଗଜପତି ଜିଲାର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ଭାଲିଆଗୁଡ଼ା ଗ୍ରାମରେ ଅତ୍ୟନ୍ତ ଆଡ଼ମ୍ବର ଓ ଉତ୍ସାହର ସହ ପାଳନ କରାଯାଇଛି। କୁଇ କନ୍ଧ ସମ୍ପ୍ରଦାୟର ଲୋକେ ବର୍ଷକୁ ଥରେ ଏହି ପର୍ବ ପାଳନ କରି ଆସୁଛନ୍ତି।
ଆଦିବାସୀମାନଙ୍କ ବିଶ୍ୱାସ ରହିଛି ଯେ, ସଡ୍ରା ପର୍ବ ପାଳନ କଲେ ଗ୍ରାମରେ ଭଲ ବର୍ଷା ହୋଇଥାଏ ଏବଂ ଭଲ ବର୍ଷା ହେଲେ ଉତ୍ତମ ଫସଲ ଉତ୍ପାଦନ ହୁଏ। ଏହି ଫସଲ ବର୍ଷସାରା ସେମାନଙ୍କ ଜୀବନଜୀବିକାର ମୁଖ୍ୟ ଆଧାର ହୋଇଥାଏ। ଏହି ବିଶ୍ୱାସକୁ ନେଇ ଗ୍ରାମବାସୀ ବର୍ଷ ବର୍ଷ ଧରି ଏହି ପରମ୍ପରାକୁ ବଜାୟ ରଖି ଆସୁଛନ୍ତି।
ଏହି ପର୍ବର ବିଶେଷତ୍ୱ ହେଉଛି ମହୁଲି ମଦକୁ ପୂଜା କରାଯାଇଥାଏ। ପାଞ୍ଚ ଦିନ ଧରି ମହୁଲି ପୋଚକୁ ଗ୍ରାମର ଯାନୀ (ପୂଜାରିଣୀ) ନିଜ ଘରେ ପୂଜାର୍ଚ୍ଚନା କରି ସଂରକ୍ଷିତ ରଖିଥାନ୍ତି। ଶେଷ ଦିନରେ ମହୁଲି ମଦ ଓ ପୋଚକୁ ବିଧିବଦ୍ଧ ଭାବେ ପୂଜା କରି ନିକଟସ୍ଥ ଜଙ୍ଗଲରେ ବିସର୍ଜନ କରାଯାଏ।
ପାଞ୍ଚ ଦିନ ଧରି ଚାଲୁଥିବା ଏହି ପର୍ବ ସମୟରେ ଆଦିବାସୀ ପରିବାରଗୁଡ଼ିକରେ ରୋଷେଇରେ କୌଣସି ପ୍ରକାର ତେଲ କିମ୍ବା ମସଲା ବ୍ୟବହାର କରାଯାଏ ନାହିଁ। ଡାଲି ଜାତୀୟ ଖାଦ୍ୟ ମଧ୍ୟରେ କେବଳ କାନ୍ଦୁଳ ଡାଲି ରାନ୍ଧି ଖାଇଥାନ୍ତି। ଏହି ସମୟରେ ସମସ୍ତେ ନିଜର ପାରମ୍ପରିକ ପୋଷାକ ପରିଧାନ କରିଥାନ୍ତି ଏବଂ ନିଜେ ପ୍ରସ୍ତୁତ କରିଥିବା ମହୁଲି ମଦର ସେବନ କରି ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ନାଚ, ଗୀତ ଓ ଉତ୍ସବରେ ମସଗୁଲ ରହି ପର୍ବକୁ ଆନନ୍ଦର ସହ ପାଳନ କରିଥାନ୍ତି।
ଆଧୁନିକତାର ପ୍ରଭାବ ସତ୍ତ୍ୱେ ମଧ୍ୟ କୁଇ କନ୍ଧ ଆଦିବାସୀ ସମ୍ପ୍ରଦାୟ ନିଜର ପ୍ରାଚୀନ ପରମ୍ପରା, ରୀତିନୀତି ଓ ସାଂସ୍କୃତିକ ଐତିହ୍ୟକୁ ଅକ୍ଷୁଣ୍ଣ ରଖି ଆସୁଥିବା ଏହି ସଡ୍ରା ପର୍ବରୁ ସ୍ପଷ୍ଟ ହେଉଛି।
Sign in
Sign in
Recover your password.
A password will be e-mailed to you.
Comments are closed.