ମର୍ତ୍ତ୍ୟ ବୈକୁଣ୍ଠ

ଅର୍ଜୁନୀ ଚରଣ ବେହେରା

କାହିଁ ଯାଉ କାଶୀ କାହିଁ ଯାଉ ବୃନ୍ଦାବନ l
ନୀଳାଚଳ ଧାମେ ବିଜେ ବ୍ରହ୍ମ ସନାତନ ll
ନାନାଦେଶ ତୀର୍ଥେଯିବା କିବା ପ୍ରୟୋଜନ l
ଏ ମର୍ତ୍ତ୍ୟବୈକୁଣ୍ଠେ ବିଜେ ସ୍ୱୟଂ ନିରଞ୍ଜନ ll
ଯଶୋଦା ନନ୍ଦନ ଦଇତାରୀ ଦୀନବନ୍ଧୁ l
ଦର୍ଶନ ମାତ୍ରକେ ପ୍ରାଣୀ ତରେ ଭବସିନ୍ଧୁ ll
କେଶବ ମାଧବ ଜୟ ମଙ୍ଗଳ ମୁରାରୀ l
ଶଙ୍ଖ ଚକ୍ର ବାହୁ ବେନି ବସିଛି ପ୍ରସାରି ll
ଦର୍ଶନେ ଯାହାଙ୍କ ସର୍ବ ଦୁରିତ ପଳାଏ l
ଭକ୍ତ ଜନଙ୍କର ବାଞ୍ଛା କଳ୍ପ ତରୁ ସିଏ ll
କମଳା ବିଳାଶ ପ୍ରଭୁ ପତିତପାବନ l
କୋଳାଇନିଅନ୍ତି ଭକ୍ତ ଶ୍ରୀଚକାନୟନ ll
ପତିତ ଉଦ୍ଧାରେ ତାର ନୀଳଚକ୍ରେ ନେତ l
ଉଡ଼ି ଉଡ଼ାଇ ଦେଉଛି ଏ ଭଵ ଦୁରିତ ll
ମହାପ୍ରସାଦ ତାହାର ସାକ୍ଷାତେ ଅମୃତ l
କୈବଲ୍ୟ ନିମନ୍ତେ ସର୍ବେ ପ୍ରସାରନ୍ତି ହାତ ll
ଦେବ ଯକ୍ଷ ରକ୍ଷ ନର ଗନ୍ଧର୍ବ କିନ୍ନର l
ବନ୍ଦନା କରନ୍ତି ତାଙ୍କ କମଳ ପୟର ll
କରୁଣା ବାରିଧି ପ୍ରଭୁ ଭକତ ବତ୍ସଳ l
ଜଗବନ୍ଧୁ ପ୍ରଭୁ ଜଗତର ଆଦି ମୂଳ ll
ଚଉଦ ବ୍ରହ୍ମାଣ୍ଡ ନାଥ ଜଗତ ଠାକୁର l
ଜଗନ୍ନାଥ ଧାମ ନିତ୍ୟ ବୈକୁଣ୍ଠ ମର୍ତ୍ତ୍ୟର ll
ଭକତ ବତ୍ସଳ ପ୍ରଭୁ ଭକ୍ତ ତାର ପ୍ରାଣ l
ଭକତ ଭାବେ ଭକତ ଭକ୍ତିରେ ବନ୍ଧନ ll
ଗୋପିକାବଲ୍ଲଭ ପଦେ ନିତ୍ୟ କରେ ଧ୍ୟାନ l
ନମଃ ନୀଳାଦ୍ରୀ କେଶରୀ ନମଃ ନାରାୟଣ ll
🙏🙏🙏
ଅର୍ଜୁନୀ
—————
ମୋ – 7693091971

Comments are closed.